ଭତ୍ତା ହିତାଧିକାରୀଙ୍କ ପକ୍ଷରୁ ପାଇକମାଲ ବିଡ଼ିଓଙ୍କୁ ପାଞ୍ଚ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତର ଶତାଧିକ ଭତ୍ତା ପାଉଥିବା ହିତାଧିକାରୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପାଇକମାଲ ବିଡ଼ିଓଙ୍କୁ ଏକ ପାଞ୍ଚ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଟେମରୀ ପଞ୍ଚାୟତର ଶତାଧିକ ଭତ୍ତା ପାଉଥିବା ହିତାଧିକାରୀ ପାଇକମାଲରେ ପହଞ୍ଚି ନୃସିଂହନାଥ ଧର୍ମଶାଳାଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚିଥିଲେ । ଟେମରୀ ଗ୍ରାମ ପଞ୍ଚାୟତର ବୃଦ୍ଧବୃଦ୍ଧା, ବିଧବା, ସ୍ବାମୀ ପରିତକ୍ତା ଓ ଦିବ୍ୟାଙ୍ଗ ଭତ୍ତା ପାଉଥିବା ହିତାଧିକାରୀମାନେ ଏକତ୍ରିତ ହୋଇ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ତଥା ଟେମରୀ ସରପଞ୍ଚ ଦିଲୀପ କୁମାର ବେହେରାଙ୍କ ନେତୃତ୍ୱରେ ବ୍ଲକରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପାଇକମାଲ ବିଡ଼ିଓ ସୁରେନ୍ଦ୍ର ନାଥ ସାହୁଙ୍କୁ ୫ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀଗୁଡ଼ିକ ହେଉଛି ଆଜିର ଦରଦାମ ବୃଦ୍ଧି ଦିନରେ ୫୦୦ରୁ ୬୦୦ ଟଙ୍କା ପାଉଥିବା ମାସିକ ଭତ୍ତାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯାଉ, ବିଧବା ଭତ୍ତା ପାଇଥିବା ସମସ୍ତଙ୍କୁ ଅନ୍ତୋଦୟ ଅନ୍ନ ଯୋଜନାରେ ସାମିଲ କରାଯାଉ, ଛତା, କମ୍ବଳ, ଚପଲର ଦରଦାମ ବୃଦ୍ଧି ଅନୁଯାୟୀ ଏହାର ଅର୍ଥରାଶି ବୃଦ୍ଧି କରାଯାଉ, ସମସ୍ତ ଭତ୍ତା ହିତାଧିକାରୀଙ୍କୁ ହାତକୁ ହାତ ଭତ୍ତା ପ୍ରଦାନ କରାଯାଉ, ଆବାସ ଯୋଜନାରେ ବଞ୍ଚିତ ଥିବା ହିତାଧିକାରୀଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ ଘର ଯୋଗାଇବାର ବ୍ୟବସ୍ଥା କରାଯାଉ । ସରପଞ୍ଚ ଶ୍ରୀ ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଓଡ଼ିଶାରେ ଏହା ପ୍ରଥମ ହିତାଧିକାରୀଙ୍କ ଏଭଳି ପ୍ରୟାସ ଅଭିଯାନ ଅଟେ । ଜନ ସାଧାରଣରେ ଏହି ଦାବୀକୁ ଯୁକ୍ତିଯୁକ୍ତ ବୋଲି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟା ଉପସ୍ଥାପନ କରି ଆଗାମୀ ଦିନରେ ସରକାର ଦାବୀପ୍ରତି ଗୁରୁତ୍ୱ ନ ଦେଲେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ବର୍ତ୍ତମାନ ସମୟରେ ସରକାର ବୃଦ୍ଧବୃଦ୍ଧା ବିଧବା ଦିବ୍ୟାଙ୍ଗମାନଙ୍କୁ ୫୦୦ରୁ ୬୦୦ଟଙ୍କା ଏହା କେତେ ଯୁକ୍ତି ଯୁକ୍ତ ତାହା ପାଇକମାଲ ବ୍ଲକ୍ ଟେମରୀ ଗ୍ରାମ ପଞ୍ଚାୟତ ମାନଙ୍କ ଦାବିରୁ ଜଣାପଡିଛି।ନେତୃତ୍ୱ ନେଇଥିବା ସରପଞ୍ଚଙ୍କୁ ଉପସ୍ଥିତ ଥିବା ବୃଦ୍ଧବୃଦ୍ଧାମାନେ ଯେଉଁ ଆଶୀର୍ବାଦ ପ୍ରଦାନ କରିଛନ୍ତି ହିତାଧିକାରୀଙ୍କ ମୁହଁରୁ ନ ଶୁଣିଲେ ବିଶ୍ବାସ ହେବନି । ସରପଞ୍ଚ ବୃଦ୍ଧବୃଦ୍ଧାଙ୍କ ସହ ବିଡ଼ିଓଙ୍କୁ ଦାବୀ ପତ୍ର ପ୍ରଦାନ ପରେ ନୃସିଂହନାଥ ଧାମକୁ ସମସ୍ତଙ୍କୁ ନେଇ ଠାକୁର ଦର୍ଶନ କରାଇ ନୃସିଂହନାଥ ମହାପ୍ରଭୁଙ୍କ ଅନ୍ନ ଭୋଗ ପ୍ରଦାନ କରିବା ସହ ସମସ୍ତଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଘରେ ପହଞ୍ଚାଇ ଥିଲେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ତଥା ଟେମରୀ ସରପଞ୍ଚ ଦିଲୀପ କୁମାର ବେହେରା ।

Leave A Reply

Your email address will not be published.