om academy

ବଲାଙ୍ଗିର ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ତେବେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିବା କୁହାଯାଇଛି । କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲା କେ.ବି.କେ ଅନ୍ତର୍ଗତ ଏକ ପଛୁଆ ଜିଲ୍ଲା । ଜିଲ୍ଲାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ । କେତେବେଳେ ପ୍ରାକୃତିକ ଦାଉ ତ କେତେବେଳେ ପ୍ରଶାସନିକ ଅବହେଳା ସତ୍ୱେ ଅନ୍ନଦାତା କୃଷକ ନିଜର ପାରମ୍ପରିକ ବୃତ୍ତି ଚାଷକୁ ଆପଣେଇ ନେଇଛି । ଇତି ମଧ୍ୟରେ ସରକାର ବଲାଙ୍ଗିର ଜିଲ୍ଲାରେ ଖରିଫ ଋତୁର ଉତ୍ପାଦିତ ଧାନ ଗତ ୧୮ ନଭେମ୍ବରରୁ ମଣ୍ଡି ମାଧ୍ୟମରେ କିଣିବା ଆରମ୍ଭ କରିଛନ୍ତି । ମଣ୍ଡିରେ ମିଲର୍‌ମାନଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ କୁଇଣ୍ଟାଲ ପିଛା ୭ରୁ ୮ କେ.ଜି ଧାନ କଟନୀ ଛଟନୀ କରାଯାଉଥିବା ଯୋଗୁଁ କୃଷକଙ୍କ ମଧ୍ୟରେ ଆକ୍ରୋଶ ଦେଖା ଦେଉଛି । ପରିଣାମ ସ୍ୱରୂପ ହଜାର ହଜାର ବସ୍ତା ଧାନ ବକ୍ରୀ ନ ହୋଇ ମଣ୍ଡିରେ ପଡିରହିଛି । ଧୂମାଭଟା ମଣ୍ଡି ଏହାର ଜ୍ୱଳନ୍ତ ଉଦାହରଣ । ସରକାରଙ୍କ ଗାଇଡଲାଇନ ଅନୁସାରେ ଏଫ୍‌ଏକ୍ୟୁ ମାନର ଧାନ କୁଇଂଟାଲ ପ୍ରତି ୬ କେ.ଜି (ବାଲି,ମାଟି, ଗୋଡି,ଧୂଳି,କାଠି,କୁଟା, ଭୂସି, ବେରଙ୍ଗି, ପୋକରା, ଅପରିପକ୍ୱ ଆଦି) ଥିଲେ ମଧ୍ୟ କାଟିବାର ନିୟମ ନ ଥିଲେ ହେଁ ଚାଷୀଙ୍କର ଅଜ୍ଞତା ଓ ଆର୍ôଥକ ଦୁର୍ବଳତାର ସୁଯୋଗ ନେଇ ଜୋର୍‌ ଜବରଦସ୍ତି ଚାଲିଛି । ଫଳରେ ଅନେକ ଚାଷୀ ଧାନର ମୂଲ୍ୟ କୁଇଂଟାଲ ପିଛା ୧୮୬୮ଟଙ୍କା ଥିଲେ ହେଁ ଦଲାଲ୍‌ର ଶିକାର ହୋଇ ନିଜ କଷ୍ଟ ଉପାର୍ଜିତ ଫସଲକୁ ଟ୧୧୦୦-୧୨୦୦ରେ ବିକିବାକୁ ବାଧ୍ୟ ହେଉଛନ୍ତି । ତଦୃପ କପାର ସହାୟକ ମୂଲ୍ୟ କୁଇଂଟାଲ ପିଛା ୫୮୨୫ ଟଙ୍କା ଦର ନିର୍ଦ୍ଧାରିତ ଥିଲେ ବି ଲିଲ୍ଲାରେ ଥିବା ୪ଟି ଯାକ କପା ମଣ୍ଡିରେ ଚାଷୀମାନଙ୍କର ଆର୍ଥିକ ବିବଶତାର ସୁଯୋଗ ନେଇ ଟ୪୦୦୦-୪୫୦୦ ଭିତରେ ଦଲାଲ ମାଧ୍ୟମରେ ବିକି ଦେଉଥିବା ଦେଖାଯାଉଛି ।

ବଲାଙ୍ଗିର ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଦାବୀ କରାଯାଇଛି ଯେ, ଏଫ୍‌.ଏ.କ୍ୟୁ ବାହାନାରେ କଟନୀ-ଛଟନୀ ବନ୍ଦ କରାଯାଉ । ମାନ ନିର୍ଦ୍ଧାରଣରେ ମିଲରଙ୍କୁ ସମ୍ପୃକ୍ତି ନ ରଖି ସିଧା ସଳଖ ପ୍ରଶାସନ ଓ ଚାଷୀଙ୍କୁ ସୀମିତ ରଖାଯାଉ । ଟୋକନ ବଂଟନ ଜିଲ୍ଲା ସ୍ତରରେ ଡିସେମ୍ବର ଶେଷ ସୁଦ୍ଧା ସାରି ଚାଷୀର ସମସ୍ତ ଧାନ କିଣାଯାଉ । ଗତ ୨୦୧୮-୧୯ ଓ ୨୦୧୯-୨୦ ବର୍ଷର ଚାଷୀଙ୍କ ଖିଲାପି ବିମା ଟଙ୍କା ତୁରନ୍ତ ପ୍ରଦାନ କରାଯାଉ । ପ୍ରତି ପଂଚାୟତରେ କପା ମଣ୍ଡି ଖୋଳିବା ସହିତ ଜିଲ୍ଲାରେ କପା ଉନ୍ନୟନ ପରିଷଦ ଗଠନ କରାଯାଉ । ଡାଲି ଓ ତୈଳ ଜାତୀୟ ଶସ୍ୟକୁ ମଣ୍ଡି ବ୍ୟବସ୍ଥା କରି ସରକାର ସିଧା ସଳଖ କିଣନ୍ତୁ । ତେବେ ଏହି ଦାବୀଗୁଡିକ ଉପରେ ଧ୍ୟାନ ଦେଇ ଉପଯୁକ୍ତ ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ଜୟ କିଷାନ ଆନ୍ଦୋଳନ ଗଣତାନ୍ତ୍ରୀକ ମାର୍ଗରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ଓ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି କୁହାଯାଇଛି ।

ଦାବୀପତ୍ର ଦେବା ସମୟରେ ବଲାଙ୍ଗିର ଜୟ କିଷାନ ଆନ୍ଦୋଳନ ପକ୍ଷରୁ ସତ୍ୟ ବନ୍‌ଛୋର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସିପୁନ ଖମାରୀ, ଜଗନ୍ନାଥ ମହାରଣା, ପରଦେଶୀ ବିଶ୍ୱାଳ, ସୌରୀ କୁମାର ସାହୁ, କପିଳ କୁମ୍ଭାର, ମଧୁସୂଦନ କ୍ଷେତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.