ପ୍ରଧାନମନ୍ତ୍ରୀ ଫସଲ ବୀମା ହଡ଼ପ୍‌ ଅଭିଯୋଗରେ ୨ ଜଣଙ୍କୁ ବାନ୍ଧିଲା ବଲାଙ୍ଗିର ସାଇବର୍‌ ପୋଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ହଡ଼ପ୍‌ ଅଭିଯୋଗରେ ୨ ଜଣଙ୍କୁ ବାନ୍ଧିଛି ବଲାଙ୍ଗିର ସାଇବର୍‌ ପୋଲିସ୍‌ । ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ ଗତ ୧୫ ତାରିଖ ଦିନ ସିନ୍ଧେକେଲା ଥାନା ଅନ୍ତର୍ଗତ ଗଞ୍ଜିଆପଡ଼ା ଗ୍ରାମର କୁଶ ପରାଭୋଇ ଏକ ଗୁରୁତର ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ତାଙ୍କ ଗ୍ରାମର ପଞ୍ଚାନନ ପୁଟେଲ ଓ ଟିଟିସିଲଟ ଗ୍ରାମର ଚନ୍ଦ୍ରଶେଖର ସାହୁ ତାଙ୍କ ଜମି ଉପରେ ଗତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଆବେଦନ କରି ଟିଟିସିଲଟ ଗ୍ରାମର ତ୍ରିନାଥ ପରାଭୋଇଙ୍କ ବ୍ୟାଙ୍କ ଆକାଉଣ୍ଟ୍ ବ୍ୟବହାର କରି ଫସଲ ବୀମା ଟଙ୍କା ସବୁ ଆତ୍ମସାତ କରିଛନ୍ତି । ତେବେ କେସ୍‌ର ତଦନ୍ତ ସମୟରେ ସାକ୍ଷୀ ଓ ଅନ୍ୟାନ୍ୟ ସୂତ୍ରରୁ ଏହା ଜଣା ପଡିଛି କି ଗତ ବର୍ଷ ଗଞ୍ଜିଆପଡ଼ା ଗ୍ରାମର ପଞ୍ଚାନନ ପୁଟେଲ୍ ଓ ଟିଟିସିଲଟ ଗ୍ରାମର ତାଙ୍କ ସହଯୋଗୀ ଚନ୍ଦ୍ରଶେଖର ସାହୁ ଦୁହେଁ ମିଶି ଯୋଜନାବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ଚାଷୀମାନଙ୍କ ଜମିକୁ ବ୍ୟବହାର କରି ଫସଲ ବୀମାର ଟଙ୍କାକୁ ଅନ୍ୟ ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଣି ଆତ୍ମସାତ କରିଛନ୍ତି । ଦୁଇ ଜଣ ମିଶି ଅନଲାଇନରେ ଭୁଲେଖରୁ ବିଭିନ୍ନ ଜାଗାକୁ ବାଛି ଚାଷୀମାନଙ୍କ ଅଜାଣତରେ ସେହି ଜାଗା ଉପରେ ଫସଲ ବୀମା ଆବେଦନ କରି ବୀମା ଟଙ୍କାକୁ ଅନ୍ୟ ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ନେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି । ଆଜି ଦୁଇ ଅଭିଯକ୍ତଙ୍କୁ ବଲାଙ୍ଗିର ସାଇବର ଥାନା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଆହୁରି ତଦନ୍ତ ଜାରି ରହିଥିବା କୁହାଯାଇଛି ।

Leave A Reply

Your email address will not be published.