
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ମାମଲା ସାମ୍ନାକୁ ଆସିଛି । ଗତକାଲି ବିଳମ୍ବିତ ରାତିରେ ଗ୍ରାମର ପାର୍ଥବ ସାହୁଙ୍କ ଘରୁ ନଗଦ ୨ ଲକ୍ଷ ପଚାଶ ହଜାର ଟଙ୍କା ସମେତ ପ୍ରାୟ ୧୭ ଭରି ସୁନା ଓ ରୂପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ପାର୍ଥବ ସାହୁ ଏବଂ ତାଙ୍କ ପରିବାର ଲୋକେ ଘରେ ଶୋଇଥିଲେ । ଏହାର ସୁଯୋଗ ନେଇ ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଦୁର୍ବୃତ୍ତମାନେ ଘରେ ପଶି ଆଲମିରା ଭାଙ୍ଗି ନଗଦ ୨.୫୦ ଲକ୍ଷ ଟଙ୍କା, ୧୭ ଭରି ସୁନା ଏବଂ ୩୦ ଭରି ରୂପା ଅଳଙ୍କାର ଲୁଟି ନେଇଛନ୍ତି । ପରିବାର ଲୋକେ ସକାଳୁ ଉଠିବା ପରେ ଆଲମିରା ଭଙ୍ଗା ଯାଇଥିବା ଏବଂ ସମସ୍ତ ସାମଗ୍ରୀ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଏ ନେଇ ବୋର୍ଡା ପୋଲିସକୁ ସୂଚନା ଦିଆଯାଇଛି । ଗତ କିଛିଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରି ବଢ଼ି ଚାଲିଛି । ତେଣୁ ପୋଲିସ ଦୁର୍ବୃତ୍ତମାନଙ୍କୁ ଠାବକରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବୀ ହେଉଛି ।

