ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡଃ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ବିଶ୍ଵ ସ୍କାଉଟ୍ ଓ ଗାଇଡସ ସଂସ୍ଥାର ପ୍ରତିଷ୍ଠାତା ଲର୍ଡ ବେଦେନ୍ ପାୱେଲ ଓ ଲେଡୀ ବେଡେନ୍ ପବେଲଙ୍କ ଜନ୍ମ ଦିବସ “ଆନ୍ତର୍ଜାତୀୟ ଚିନ୍ତନ ଦିବସ” ପାଳିତ ହୋଇଯାଇଛି । ତରଭା ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ନରେନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍କାଉଟ୍ ସଂସ୍ଥାର ସେବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟତମ ଅତିଥିଭାବରେ ବିଦ୍ୟାଳୟର ଅତିଥି ଶିକ୍ଷକ ମନୋଜ କୁମାର ପୂଜାରୀ ବିଦ୍ୟାଳୟର ସ୍କାଉଟମାନଙ୍କର କାର୍ଯ୍ୟ ସ୍ମରଣୀୟ ଅଟେ ବୋଲି ମତପ୍ରକାଶ କରିଥିଲେ । ସଭାରେ ସମ୍ମାନିତ ଅତିଥିଭାବରେ ସୁବର୍ଣ୍ଣପୁର ଜିଲ୍ଲା ଭାରତ ସ୍କାଉଟ୍ ଓ ଗାଇଡ୍ ସଂସ୍ଥାର ଜିଲ୍ଲା ତାଲିମ କମିଶନର ତଥା ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ଦୀନବନ୍ଧୁ ପ୍ରଧାନ ମଞ୍ଚାସୀନ ହୋଇ ସ୍କାଉଟ୍ ଇତିହାସ, ସେବାକାର୍ଯ୍ୟ, ତଥା ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଥମେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାଜୁ ମେହେର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଭାର ପ୍ରାରମ୍ଭରେ ଅନ୍ତରା ଜାଲ ଓ ସାଥୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ସଭାକୁ ସଂଯୋଜନା କରିଥିଲେ । ଶେଷରେ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଞ୍ଜୀବ ପୂଜାରୀ, କିରଣ କୁମାର ପଟେଲ, ଲିପି ପ୍ରଧାନ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ ଓ ସମୀର କଠାର ସହଯୋଗ କରିଥିଲେ ।