ବଚସାକୁ ନେଇ ଛୁରାମାଡ : ୧ ମୃତ

ନୂଆପଡା, (ନିରାକାର ମେହେର) : ବଚସାକୁ ନେଇ ଛୁରାମାଡ ହୋଇଥିବା ଭଳି ଏକ ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡ଼ିଆଳ ପୁଟୁପଡା ଠାରେ । ଛୁରା ମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଦୁଇ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି । ଅପରପକ୍ଷେ ଛୁରାମାଡ କରିଥିବା ଅଭିଯୁକ୍ତ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି । ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ମୃତକଙ୍କ ପକ୍ଷରୁ ଅଭିଯୋଗ ପାଇବା ପରେ ଖଡ଼ିଆଳ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଖଡ଼ିଆଳ ସହରରେ ପୀଠେ ଦଶମୀ ପାର୍ବଣରେ ଦେବୀ ମା’ ସମଲେଶ୍ୱରୀ, ମା’ ରକ୍ତାମ୍ବରୀଙ୍କ ଯୋଡି ଛତର ଯାତ୍ରା ଧୁମ୍‌ଧାମ୍‌ ସହ ଚାଲିଥିଲା । ଏହି ସମୟରେ ଖଡ଼ିଆଳ ସାହୁପଡାର ଅଭିଯୁକ୍ତ ସାଗର ସାହୁ ତାଙ୍କ ସହଯୋଗୀ ନିରାକାର ସାହୁ ପୁଟୁପଡା ଏଫ୍‌ସିଆଇ ଗୋଦାମ ନିକଟସ୍ଥ ପଡିଆକୁ ଶୌଚ ପାଇଁ ଯାଇଥିଲେ । ସେଠାରେ ପୁଟୁପଡାର ଦେବେନ୍ଦ୍ର ଶବର, ସୁରେନ୍ଦ୍ର ଶବର ଶୌଚ ପାଇଁ ମନା କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ସେଠାରୁ ଦେବେନ୍ଦ୍ର ଏବଂ ସୁରେନ୍ଦ୍ର ଖସି ଆସି ବାଟରେ ପୁଟୁପଡା ରାଧାକୃଷ୍ଣ ମନ୍ଦିର ନିକଟରେ ଜଗି ଥିଲେ । ଶୌଚ ପାଇଁ ଯାଇଥିବା ସାହୁପଡାର ଦୁଇ ଯୁବକ ଫେରିବା ବେଳେ, ମନ୍ଦିର ପାଖରେ ପୁଣି ବଚସା ହୋଇଥିଲା । ପରେ ସାହୁପଡାର ଯୁବକ ସାଗର ସାହୁ ପୁଟୁପଡାର ପ୍ରଭାକର ଶବର, ଦେବେନ୍ଦ୍ର ଶବର, ସୁରେନ୍ଦ୍ର ଶବରକୁ ଛୁରାମାଡ କରିଥିଲା । ତେବେ ଛୁରା ମାଡରେ ପ୍ରଭାକର ଶବରଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବେନ୍ଦ୍ର ଶବର, ସୁରେନ୍ଦ୍ର ଶବରଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି । ଅନ୍ୟପଟେ ଛୁରା ମାଡ କରିଥିବା ଅଭିଯୁକ୍ତ ସାଗର ସାହୁ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି । ତାକୁ ମଧ୍ୟ ଚିକିତ୍ସା ପାଇଁ ନୂଆପଡା ପଠା ଯାଇଥିବା ଖଡ଼ିଆଳ ଥାନା ଏସ୍‌ଡିପିଓ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

five × 2 =

error: Content is protected !!