ବିକାଶଠାରୁ ବହୁ ଦୂରରେ ଅବହେଳିତ ଗାଁ ଲାଣ୍ଡାପାଜୁ : ମୌଳିକ ସୁବିଧାରୁ ବଞ୍ଚିତ ଶତାଧିକ ଗ୍ରାମବାସୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାର ଏଭଳି ଗାଁ ରହିଛି ଯେଉଁଠି ଲୋକେ ଆଜି ପର୍ଯ୍ୟନ୍ତ ସର୍ବନିମ୍ନ ମୌଳିକ ସୁବିଧା ପାଉନାହାନ୍ତି । ବିକାଶ କଥା ବହୁ ଦୂରରେ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର ବେହେରା ଗାଁ ପଞ୍ଚାୟତ ଲାଣ୍ଡାପାଜୁ ଗାଁରେ । ସୂଚନା ଅନୁସାରେ, ଏହି ଲାଣ୍ଡାପାଜୁ ଗ୍ରାମରେ ଦୁଇଟି ସାହି ଅଛି । ଗାଁରେ ପ୍ରାୟ ୬୦ ଘରର ଲୋକ ସଂଖ୍ୟା ୪୦୦ରୁ ଊର୍ଦ୍ଧ୍ୱ ହେବେ । ବ୍ଲକ ମୁଖ୍ୟାଳୟ ଠାରୁ ୨/୩ କି.ମି. ଦୂରରେ ବେହେରା ଗାଁ ପଞ୍ଚାୟତ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ୧୬ କି.ମି. ଦୂରରେ ଲାଣ୍ଡାପାଜୁ ଗ୍ରାମ । ଏ ପର୍ଯ୍ୟନ୍ତ ଗାଁକୁ ରାସ୍ତାଟିଏ ନାହିଁ । ପାହାଡ ଏବଂ ନଦୀ ଅତିକ୍ରମ କରି ଗାଁକୁ ଯିବାକୁ ପଡେ । କିଛି ଦିନ ହେବ ଗ୍ରାମକୁ ଯିବା ଲାଗି ପାହାଡ କାଟି ରାସ୍ତା ହେଉଥିଲା । ମାତ୍ର ଲଗାଣ ବର୍ଷା ଯୋଗୁଁ ପାହାଡ କଟା ଯାଇଥିବା ଅନେକ ସ୍ଥାନରେ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି । ଏହାଛଡା ଗାଁକୁ ୭ରୁ ୮ କି.ମି. ଲମ୍ବି ରହିଥିବା ଚଲା ରାସ୍ତାରେ ମଧ୍ୟ ଅନେକ ସ୍ଥାନରେ ବଡ ବଡ ଗାତ ହୋଇଛି । ଯାହାକୁ ପାର୍‌ ହୋଇ ଯିବା ସମ୍ଭବ ନୁହେଁ । ଅଧିକ ବର୍ଷା ହେଲେ ପାହାଡ଼ି ନଦୀର ସ୍ରୋତ ପ୍ରଖର ହୁଏ । ନଦୀ ପାର୍‌ ହେବା ସମ୍ଭବ ହୁଏ ନାହିଁ । ପାଣି କମିବା ଯାଏ ଏହି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼େ । ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଖାଦ୍ୟ ସାମଗ୍ରୀ ମିଳେ ନାହିଁ । ପିଲାମାନେ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ । ରାସନ ସାମଗ୍ରୀ ଆଣିବାକୁ ହେଲେ ଗାଁରୁ ୧୮ କି.ମି. ଦୂର ଟିକାବାଲି ସହର ଉପରେ ନିର୍ଭର କରିବାକୁ ପଡେ । ପ୍ରବଳ ବର୍ଷା ହେଲେ ଯିବା ସମ୍ଭବ ହୁଏନାହିଁ । ଏହି ସମୟରେ କାହାର ଦେହ ଖରାପ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଗର୍ଭବତୀମାନେ ମେଡିକାଲ ଯାଇପାରନ୍ତି ନାହିଁ । ଏହି ଗ୍ରାମରେ ପ୍ରସବ ବେଳେ ଅନେକ ସମୟରେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ମଧ୍ୟ ଘଟିଥାଏ । କାରଣ ଗ୍ରାମକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ । । ଭତ୍ତା ଟଙ୍କା ପାଇଁ ହିତାଧିକାରୀଙ୍କୁ ୧୪ କି.ମି ଦୂର ଟିକାବାଲି ଯିବାକୁ ପଡୁଛି ବୋଲି ଅଭିଯୋଗ ହେଉଛି । ଗାଁରେ ସ୍କୁଲ କିମ୍ବା ଅଙ୍ଗନୱାଡି କେନ୍ଦ୍ର ନାହିଁ । ନିକଟସ୍ଥ ସ୍କୁଲ କହିଲେ ୧୨ କି.ମି ଦୂରରେ ଥିବା ବେହେରା ଗାଁ ପ୍ରାଥମିକ ବିଦ୍ୟାଳୟ ଏବଂ ୧୮ କି.ମି. ଦୂରରେ ଥିବା ଟିକାବାଲି ହାଇସ୍କୁଲ ଏବଂ କଲେଜ ରହିଛି । ପାହାଡିଆ ଖାଲଖମା ଜଙ୍ଗଲି ରାସ୍ତା ଦେଇ ଚାଲିଚାଲି ଯାଇ ଫେରିବା ଅସମ୍ଭବ ହେଉଛି ବୋଲି ମତ ପ୍ରକାଶ ପାଇଛି । ପାଠପଢା ପାଇଁ ଗାଁରୁ ବହୁ ଦୂର ଦୂରାନ୍ତରେ ଥିବା ସେବାଶ୍ରମ ସ୍କୁଲ ଭରସା । ଅଳ୍ପ କେତେଜଣ ଛାତ୍ରଛାତ୍ରୀ ଆଶ୍ରମରେ ରହି ପଢ଼ା ସାରିବା ପରେ ଗାଁରେ ରହିବାକୁ ବାଧ୍ୟ ହୁଅନ୍ତି । ଆଉ କେତେଜଣ ୧୮ କି.ମି. ଦୂରରେ ଥିବା ଟିକାବାଲି ସ୍କୁଲ, କଲେଜ ଯାଇ ଫେରୁଛନ୍ତି । ଲୋକେ ମହୁଲ, ଗରା ସଂଗ୍ରହ ସହ ଧାନ ଚାଷ କରି ଗୁଜୁରାଣ ମେଣ୍ଟାଉଛନ୍ତି । ଅନ୍ୟ କୌଣସି ରୋଜଗାର ପନ୍ଥା ନାହିଁ । ଗାଁରୁ ୨ କି.ମି. ଦୂର ବିଲ ମଝିର କୂଅ ପାଣି ସଂଗ୍ରହ କରି ତାହାକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ଖରାଦିନେ ୫ କି.ମି. ଦୂର ନଦୀରୁ ପାଣି ପଡ଼େ ବୋଲି ଗ୍ରାମର ରମା କହଁର, ସୁଶାନ୍ତ ମଲ୍ଲିକ, ଦିଗମ୍ବର କହଁର, ତପସ୍ୟା କହଁର ପ୍ରମୁଖ ପ୍ରକାଶ କରିଛନ୍ତି । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

1 × four =

error: Content is protected !!