ଟୀକାକରଣରେ ଫଟୋ ରାଜନୀତି ବିରୁଦ୍ଧରେ ଛାତ୍ର କଂଗ୍ରେସର ବିକ୍ଷୋଭ

  • ଶ୍ମଶାନରେ ଲାଗିଲା ମୋଦୀ ଓ ନବୀନଙ୍କ ଫଟୋ
    ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଟୀକାକରଣରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫଟୋ ରାଜନୀତି ବିରୁଦ୍ଧରେ ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଟୀକାପ୍ରମାଣ ପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ରହୁଥିବା ବେଳେ ବିଭିନ୍ନ ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ତୋରଣ ଓ କାର୍ଡ ଦେଖିବାକୁ ମିଳୁଛି । ଯଦି ଟୀକାକରଣରେ ଏମାନଙ୍କ ଫଟୋର ଯଥାର୍ଥତା ରହିଛି, ତେବେ କରୋନାରେ ପ୍ରାଣ ହରଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ମଶାଣିରେ ମଧ୍ୟ ଏମାନଙ୍କ ଫଟୋ ରହିବା ଯଥାର୍ଥ ବୋଲି ଛାତ୍ର କଂଗ୍ରେସ କହିଛି । ଏହା ସହ ଛାତ୍ର କଂଗ୍ରେସ ତରଫରୁ ବଲାଙ୍ଗିର ବିଭୂତିପଡାସ୍ଥିତ ଶ୍ମାଶାନରେ ଉଭୟ ମୋଦୀ ଓ ନବୀନଙ୍କ ଫଟୋଚିତ୍ର ଲଗାଯାଇଛି । ଦେଶ ଦୀର୍ଘ ଦେଢ ବର୍ଷ ହେବ କରୋନା ମହାମରୀ ସଂଗେ ଲଢୁଛି । ବିଦେଶରେ ଆରମ୍ଭ ହୋଇଥିବା ଏହି ମହାମାରୀ ସରକାରଙ୍କ ଅଣଦେଖା ଯୋଗୁଁ ଦେଶରେ ତାଣ୍ଡବ ରଚିଛି । ସରକାର ଏହାର ବିହିତ ବ୍ୟବସ୍ଥା କରିବାରେ ଫେଲ ମାରିଛନ୍ତି ବୋଲି ମତ ପ୍ରକାଶ ପାଇଛି । ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ବେପରୁଆ ସଟ୍‌ଡାଉନ୍ ଲକ୍‌ଡାଉନ୍ ଯୋଗୁଁ ଦେଶ ନିଜର ଅର୍ଥନୀତି ହରାଇ ବସିଛି । କେତେ ଯେ ପ୍ରବାସୀ ନିଜର ଜୀବନ ଜୀବିକା ହରାଇଛନ୍ତି ତାହାର ହିସାବ ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବାରମ୍ବାର ଚେତାବନୀ ସତ୍ୱେ ସରକାର ନିର୍ବାଚନ ଉନ୍ମାଦନାରେ ବ୍ୟସ୍ତ ରହି ଏଯାଏଁ ପ୍ରାୟ ତିନିକୋଟି ଦେଶବାସୀଙ୍କୁ କରୋନା ମୁଖକୁ ଠେଲି ଦେଇଛି । ସେ ମଧ୍ୟରୁ ପ୍ରାୟ ଚାରି ଲକ୍ଷ ଲୋକ ନିଜର ଜୀବନ ହରାଇଛନ୍ତି । ଯାହା ସରକାରୀ ସୂତ୍ର କହୁଛି, କିନ୍ତୁ ଅସଲସ୍ଥିତି ଅନ୍ତତଃ ଏହାର ଦଶ ଗୁଣା ଅନୁମାନ କରାଯାଉଥିବା ବେଳେ ସ୍ଥିତି ଅତ୍ୟନ୍ତ ଭୟଙ୍କର ରହିଛି । ଦେଶର ଅତି ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ସର୍ବ ସମ୍ମୁଖରେ ପଡିଛି । ଦେଶ ବିଦେଶରେ ଭାରତର ଅବସ୍ଥାକୁ ନେଇ ଚିନ୍ତା ପ୍ରକଟ କରାଯାଉଛି । ଏଭଳି ସ୍ଥିତିରେ ଦେଶବାସୀଙ୍କ ନାର୍ଯ୍ୟ ହକ କରୋନା ଟୀକା ସେମାନଙ୍କ ପାଇଁ ଉପଲବ୍ଧ କରିବା ପରିବର୍ତ୍ତେ କେନ୍ଦ୍ରର ମୋଦୀ ସରକାର ଟୀକା ପ୍ରମାଣ ପତ୍ରରେ ମୋଦୀଙ୍କ ଫଟୋଚିତ୍ର ଦେଇ ଅତି ହୀନ ରାଜନୀତି ଆରମ୍ଭ କରିଛି । ଆମ ରାଜ୍ୟର ନବୀନ ସରକାର ମଧ୍ୟ ଠିକ ସେହି ଦିଗରେ ଗତି କରି ଟୀକାକରଣ କେନ୍ଦ୍ର ମାନଙ୍କରେ ନବୀନଙ୍କ ବଡ ବଡ ତୋରଣ ଲଗାଉଛି । ଯଦି ଟୀକାକରଣ ପତ୍ର ଓ କେନ୍ଦ୍ରରେ ମୋଦୀ ଓ ନବୀନଙ୍କ ଫଟୋ ରହିବା ଯଥାର୍ଥତା ରହିଛି, ତେବେ ଏଯାଏଁ କରୋନାରେ ମୃତ୍ୟୂବରଣ କରିଥିବା ଲୋକଙ୍କ ପାଇଁ ମଶାଣିରେ ମଧ୍ୟ ଏମାନଙ୍କ ଫଟୋ ରହୁ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ନିଜ ପ୍ରତିକ୍ରିୟା ରଖିଛନ୍ତି । ଯଦି ଅଗାମୀ ଦିନରେ ଉଭୟ କେନ୍ଦ୍ର ଓ ରାଜ୍ୟ କରୋନା ଟୀକାକରଣକୁ ନେଇ ନିଜ ହୀନ ରାଜନୀତି ଜାରି ରଖେ ତେବେ ଏହା ବିରୁଦ୍ଧରେ ଦୁର୍ବାର ଅନ୍ଦୋଳନ କରାଯିବ ବୋଲି କଂଗ୍ରେସ କହିଛି । ଆଜିର ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ପକ୍ଷରୁ ଅଜିତ ମହାନନ୍ଦ, ରୋଶନ ମିଶ୍ର, ଟୁଲୁ ସେନ, ସୁଜିତ କୁମ୍ଭାର, ଅମୀୟ ପୁଟେଲ, ଅଞ୍ଚଳ ପଣ୍ଡା ପ୍ରମୁଖ ସହିତ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, କିସାନ କଂଗ୍ରେସ ସଭାପତି ସାନ୍ନଦ ମିଶ୍ର, ରାଜୀବ ଗାନ୍ଧୀ ପଞ୍ଚୟତିରାଜ ସଂଗଠନ ସଭାପତି ଅଜୟ ବାଲୀ, ଯୁବ କଂଗ୍ରେସ ସଭାପତି ପ୍ରେମ ମିଶ୍ର, ଲୋପନ ମିଶ୍ର ଓ ନାସିର ଖାନ ଉପସ୍ଥିତ ରହି ବିରୋଧ ପ୍ରଦର୍ଶନ କରିଥିଲେ ।
Leave A Reply

Your email address will not be published.

15 + sixteen =