oom

ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର ଜୁନିୟର କଲେଜରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଦୁଇ ଅଧ୍ୟାପକଙ୍କ ନାମରେ ପାଟଣାଗଡ଼ ଥାନାରେ ଏତଲା ଦେଲେ ଅଧ୍ୟକ୍ଷ

jsmm
  • ୨୩ ବର୍ଷ ଚାକିରି, ୪୦ ଲକ୍ଷରୁ ଅଧିକ ସରକାରୀ ଟଙ୍କା ହଡ଼ପ, କାର୍ଯ୍ୟାନୁଷ୍ଠାନ ଦାବୀ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର ଜୁନିୟର କଲେଜରେ ଯୁକ୍ତ ଦୁଇ ଜାଲ କାଗଜପତ୍ର ଦାଖଲ କରି ଦୁଇ ଅଧ୍ୟାପକ ନରେନ୍ଦ୍ର ନାଗ ଏବଂ ଲିଙ୍ଗରାଜ ମେହେରଙ୍କ ନାମରେ ପାଟଣାଗଡ଼ ଥାନାରେ ଏତଲା ଦେଇଛନ୍ତି ଉକ୍ତ କଲେଜର ଅଧ୍ୟକ୍ଷ ତଥା ପରିଚାଳନା କମିଟି ସମ୍ପାଦକ ଅଶୋକ କୁମାର ତ୍ରିପାଠୀ । ସୂଚନା ଅନୁସାରେ ଏହି ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ମେହେର ଜୁନିୟର କଲେଜରେ ଯୁକ୍ତ ଦୁଇ ଅଧ୍ୟାପକ ନିଯୁକ୍ତି ପାଇଁ ୧୯୯୯ ମସିହାରେ ଏକ ବିଜ୍ଞାପନ ପ୍ରକାଶ ପାଇଥିଲା । ଏଥିରେ ଆଶାୟୀମାନେ ସେମାନଙ୍କ ପ୍ରାର୍ଥିତ୍ୱ ଦାଖଲ କରିଥିଲେ ମଧ୍ୟ ସାକ୍ଷାତକାରର ଫଳାଫଳ ଅନୁଯାୟୀ ବ୍ଲକ୍ ଅନ୍ତର୍ଗତ ବାଲିପଟା ଗ୍ରାମର ନରେନ୍ଦ୍ର ନାଗଙ୍କୁ ରାଜନୀତି ବିଜ୍ଞାନ ଏବଂ ବନାଇମୁଣ୍ଡା ଗ୍ରାମର ଲିଙ୍ଗରାଜ ମେହେରଙ୍କୁ ଓଡିଆ ବିଭାଗର ଅଧ୍ୟାପକ ଭାବରେ ନିଯୁକ୍ତି ଦିଆଯାଇଥିଲା । ଉକ୍ତ ଦିନଠାରୁ ଉଭୟେ ପରିଚାଳନା କମିଟି ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବେତନ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇ ଆସୁଥିଲେ । ଉଭୟେ ନକଲି ମୂଲ୍ୟାଙ୍କନ ପତ୍ର(ମାର୍କ ସିଟ୍‌) ଦେଇ ଚାକିରି କରୁଥିବା ସଂପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗତ ୦୪ ଏପ୍ରିଲ୍ ୨୦୨୨ ଦିନ କୌଣସି ବିଶ୍ୱସ୍ତ ସୂତ୍ରରୁ ଜାଣିବା ପରେ ୫ ତାରିଖ ଦିନ କର୍ମଚାରୀଙ୍କ ଏକ ଜରୁରୀ ବୈଠକ ଡାକି ତଦନ୍ତ ଆରମ୍ଭ କରିଥିଲେ । ଏହା ବ୍ୟତୀତ ୯ ଏପ୍ରିଲ୍ ୨୦୨୨ ଦିନ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ପତ୍ର ଲେଖି ମହାବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକମାନଙ୍କ ପ୍ରକୃତ ମୂଲ୍ୟାୟନ ପତ୍ରର ନକଲ ମାଗିଥିଲେ । ତାହା ପାଇବା ପରେ ଉଭୟ ଲିଙ୍ଗରାଜ ମେହେର ଏବଂ ନରେନ୍ଦ୍ର ନାଗ ନିଜ ନିଜ ମୂଲ୍ୟାୟନ ପତ୍ରରେ ଜାଲିଆତି କରି ଚାକିରି ହାତେଇଥିବା ଜାଣିବାକୁ ପାଇଥିଲେ । ସୂଚନାଯୋଗ୍ୟ ଯେ, ଉଭୟ ଶ୍ରୀ ମେହେର ଏବଂ ଶ୍ରୀ ନାଗ ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷରୁ ଅଧିକ ଟଙ୍କା ସରକାରୀ ତହବିଲ ଏବଂ ପରିଚାଳନା କମିଟିଠାରୁ ନେଇସାରିଥିବା ଅଧ୍ୟକ୍ଷ ଉକ୍ତ ଏତଲାରେ ଦର୍ଶାଇଛନ୍ତି । ଅନ୍ୟପଟେ ଅଧ୍ୟକ୍ଷଙ୍କ ଲିଖିତ ଏତଲାକୁ ଭିତ୍ତି କରି ପୁଲିସ ଭାରତୀୟ ପିଙ୍ଗଳ କୋଡ୍ ଧାରା ୪୬୫, ୪୬୬, ୪୬୮, ୪୭୧ ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରିଥିବା ଥାନାଧିକାରୀ ଅନନ୍ତ କୁମାର ପ୍ରଧାନଙ୍କ ଠାରୁ ସୂଚନା ମିଳିଛି । ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଏ ବିଷୟରେ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗକୁ ମଧ୍ୟ ଲିଖିତ ଜଣାଇଥିବା କହିଛନ୍ତି ।

jittmm
Leave A Reply

Your email address will not be published.