
ଗାଇସିଲାଟ, (କେପିଏନ୍ଏସ୍) : ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟର ସାଧନ ଓ ତାଲିମ୍ କେନ୍ଦ୍ର (ସିସିଆର୍ଟି) ପକ୍ଷରୁ ଚଳିତ ବର୍ଷ କନିଷ୍ଠ ଗବେଷଣା ବୃତ୍ତି ପାଇଁ ଗବେଷକ ତାଲିକା ପ୍ରକାଶ ପାଇଛି । ଏଥିରେ ବରଗଡ ଜିଲ୍ଲା, ଗାଇସିଲାଟ ବ୍ଲକ ଅନ୍ତର୍ଗତ ଭୁତିବାହାଲ୍ ଗ୍ରାମର ବିଶିଷ୍ଟ ଯୁବ କଳାକାର ଦୁର୍ଗେଶ୍ୱର ବାଗ୍ ଲୋକ ସଂଗୀତ ବିଭାଗରେ କନିଷ୍ଠ ଗବେଷଣା ବୃତ୍ତି ବା ଜୁନିଅର ଫେଲୋସିପ ପାଇଥିବା ଘୋଷଣା କରାଯାଇଛି । ଦୁର୍ଗେଶ୍ୱର୍ ପିଲାଟି ଦିନରୁ ସଂଗୀତର ବିଭିନ୍ନ ବିଭାଗ ଗୀତ, ନୃତ୍ୟ, ବାଦ୍ୟ ପ୍ରତି ଆକୃଷ୍ଟ ଅଛନ୍ତି । ୨୦୧୪ ମସିହାରେ ସେ ଜୁନିଅର ସ୍କୋଲାରସିପ ମଧ୍ୟ ପାଇଥିଲେ । ସେ ଭାରତର ବିଭିନ୍ନ ସାଂସ୍କୃତିକ ମଞ୍ଚ ତଥା ଲୋକଉତ୍ସବ ମାନଙ୍କରେ ନିଜର କଳା ପ୍ରଦର୍ଶନ କରି ଖୁବ୍ ପ୍ରଶଂସିତ ଓ ସମ୍ମାନିତ ହୋଇଛନ୍ତି । ଅନେକ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ସହିତ ଜଡିତ ଥିବା ବର୍ତ୍ତମାନ ଶରଧାପାଲିର ସରଗମଲୀ ସାଂସ୍କୃତିକ ଅନୁଷ୍ଠାନର ଆଗଧାଡ଼ିର ନିଶାନ ବାଦକ ଭାବେ ସେ ଖୁବ୍ ପରିଚିତ । ଏହି ସଫଳତା ପଛରେ ନିଜର ଅକ୍ଳାନ୍ତ ପରିଶ୍ରମ, ମା’ ବାପା ତଥା ଗୁରୁ ସୁରେନ୍ଦ୍ର ସାହୁ (ପଦ୍ମପୁର) ଓ ଅନ୍ୟ ଗୁରୁମାନଙ୍କର ଆଶୀର୍ବାଦ ରହିଛି ବୋଲି ଦୁର୍ଗେଶ୍ୱର କହନ୍ତି । ଏହି ଖବର ପ୍ରସାରିତ ହେବାପରେ ବନ୍ଧୁ ବାନ୍ଧବ, ତଥା କଳାକାର ମାନଙ୍କର ଶୁଭେଚ୍ଛାର ସୁଅ ଛୁଟିଛି ଏବଂ ତାଙ୍କ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।