jayashree

ଛତ୍ରପୁର ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ପ୍ରାୟତଃ ୭୦ ପରିବାର ଏକାଠି ହୋଇ ଓଡିଶାର ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରିଛନ୍ତି । ବହୁ ପୁରାଣଯୁଗର କଥା ଓଡ଼ିଶା ସାଧବପୁଅମାନେ ଦରିଆ ପାରି ହୋଇ ବାଣିଜ୍ୟ ବ୍ୟବସାୟ କରିବାକୁ ବୋଇତରେ ବିଦେଶ ଗସ୍ତରେ ଯାଉଥିଲେ । ନିଜର ବାଣିଜ୍ୟ ବ୍ୟବସାୟ କରି ସେଠାରୁ ଅନେକ କିଛି ବିରଳ ପଦାର୍ଥ, ଜିନିଷପତ୍ର, ସେଠାକାର ଖାଦ୍ୟଦ୍ରବ୍ୟ ଆଣି ଆମ ରାଜ୍ୟର ନିଜ ନିଜ ଅଞ୍ଚଳରେ ବିକ୍ରି କରି ଭଲ ରୋଜଗାର କରୁଥିଲେ ବୋଲି କଥିତ ଅଛି । ସେହିଭଳ ତୈଳିକ ବୈଶ୍ୟ ଜାତିର ଲୋକେ ଘଣାରେ ତେଲ ପେଢି ବିଭିନ୍ନ ପ୍ରକାରର ଖାଇବାତେଲ, ଅନ୍ୟ ଜାତୀୟ ତେଲ ପ୍ରସ୍ତୁତି କରି ନିଜ ରାଜ୍ୟ, ଅନ୍ୟରାଜ୍ୟରେ, ଦେଶ ବିଦେଶରେ ସୁଦୂର୍ ଇଣ୍ଡୋନେସିଆ ଯାଇ ମଧ୍ୟ ତୈଳ ଜାତୀୟ ଦ୍ରବ୍ୟ ବିକ୍ରି କରିବାକୁ ବୋଇତରେ ବିଦେଶ ଯାଇ ବାଣିଜ୍ୟ କରୁଥିଲେ । ଏହି ସ୍ମୃତିକୁ ସାଉଁଣ୍ଟି ଛତ୍ରପୁର ଅଞ୍ଚଳର ତୈଳିକ ବୈଶ୍ୟ ସମାଜ ପକ୍ଷରୁ ବୋଇତ ବନ୍ଦାଣ ସମାରୋହର ପ୍ରତିବର୍ଷ ଆୟୋଜନ କରାଯାଇଛି । ଏହି ଉଦ୍ଦେଶ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ମନ୍ଦିରରେ ତୈଳିକ ବୈଶ୍ୟ ଏକତ୍ରିତ ହୋଇ ସୁସଜ୍ଜିତ ଚିତ୍ତାକର୍ଷକ ବୃହତ୍ତ ଧରଣର ବୋଇତକୁ ପୂଜା କରି ଶୋଭାଯାତ୍ରାରେ ବାହାରି ଗୌରୀ ଶଙ୍କର ମନ୍ଦିର ସ୍ଥିତ ପୋଖରୀରେ ବନ୍ଦାପନା କରି ଜଳରେ ଭସାଇଥିଲେ । ତୈଳିକ ବୈଶ୍ୟ ସମାଜର ମହିଳା ଗୋଷ୍ଠୀମାନଙ୍କ ହୁଳାହୁଳି ଧ୍ୱନିରେ ସ୍ଥାନଟି ମୁଖରିତ ହୋଇ ଉଠିଥିଲା । ତୈଳିକ ବୈଶ୍ୟ ସମାଜର ସମସ୍ତ ପୁରୁଷ ଓ ନାରୀଗଣ ଚିତ୍ତାକର୍ଷକ ବୋଇତକୁ ବନ୍ଦାପନା କରି ସମ୍ମାନର ସହ ଜଳରେ ଭସାଇଥିଲେ ଏବଂ ପ୍ରଣତି ଜଣାଇ ଥିଲେ । ତୈଳିକ ବୈଶ୍ୟ ସମାଜର ଏହି ବର୍ଣ୍ଣାଢ଼୍ୟ ସମାବେଶରେ ସଭାପତି ରମେଶ ଚନ୍ଦ୍ର ସାହୁ, ଉପ-ସଭାପତି ଅଶୋକ କୁମାର ସାହୁ, ସମ୍ପାଦକ ସୁଧୀର କୁମାର ସାହୁ, ସହ-ସମ୍ପାଦକ ସଦାନନ୍ଦ ସାହୁ, କୋଷାଧ୍ୟକ୍ଷ ବାଉରୀ ସାହୁ, ପୂର୍ବତନ ସଭାପତି ମାଧବ ଚନ୍ଦ୍ର ସାହୁ, ପ୍ରମୋଦ କୁମାର ସାହୁ, ସୋମନାଥ ସାହୁ, ଶରତ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସାହୁଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଏବଂ ସଦସ୍ୟ ମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.