pakka

ପାନୀୟ ଜଳ ଓ ଜଳସେଚନ ପାଇଁ ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ପତ୍ର ଲେଖିଲେ ବ୍ଲକ ଅଧ୍ୟକ୍ଷା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଦେଇ ପ୍ରବାହିତ ହେଉଥିବା ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ କରିବା ପାଇଁ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି । ବ୍ୟାରେଜ ନିର୍ମାଣ ପାଇଁ ଅର୍ଥ ଅନୁଦାନ ମଂଜୁର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ସେ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ସାମ୍ପ୍ରତିକ ସମୟରେ କରୋନା ଭୟାବହ ରୂପ ନେଇଛି । କରୋନା ଯୋଗୁଁ ଅନେକ ଜୀବନ ହାନୀ ହେବାରେ ଲାଗିଥିବା ବେଳେ ଅନେକ ପରିବାର ଉଜୁଡି ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ଦେଓଗାଁ, ବଲାଙ୍ଗିର ଓ ଗୁଡଭେଲା ବ୍ଲକର ୯୭ ହଜାରରୁ ଅଧିକ ଲୋକ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ମଣିଷ ତଥା ଜୀବଜନ୍ତୁଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି ହେବାରେ ଲାଗିଛି । ବଲାଙ୍ଗିର ଜିଲ୍ଲା ହେଉଛି ଏକ ଚିର ମରୁଡି ପ୍ରପୀଡିତ ଅଂଚଳ । କ୍ରମାଗତ ମରୁଡି ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେବା ତଥା ପାନୀୟ ଜଳ ସମସ୍ୟା ଭଳି ପ୍ରାକୃତିକ ବିପର୍ୟ୍ୟୟର ସମ୍ମୁଖୀନ ହୋଇ ଆସୁଛନ୍ତି ଏହି ଜିଲ୍ଲାର ଚାଷୀମାନେ । ଦେଓଗାଁ ବ୍ଲକରେ ଏକମାତ୍ର ସୋନଗଡ ନଦୀ ପ୍ରବାହିତ ହେଉଛି । ୯୭ ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଇବାର ଏକମାତ୍ର ସ୍ରୋତ ହେଉଛି ଏହି ନଦୀ । ବର୍ଷା ଦିନ ବ୍ୟତୀତ ଖରାଦିନେ ଏହି ନଦୀ ସମ୍ପୁର୍ଣ୍ଣ ଖୁଖିଲା ରହିଥାଏ । ଫଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇବାରେ ସହାୟକ ହୋଇ ପାରିନଥାଏ । କ୍ରମାଗତ ଭାବରେ ଜଳସ୍ତର ହ୍ରାସ ପାଉଥିବାରୁ ପାନୀୟ ଜଳ ଯୋଗାଉଥିବା ନଳକୂପ, ଇନଟାକ ୱେଲ ଓ ଉଠା ଜଳସେଚନ ପ୍ରକଳ୍ପମାନ ମଧ୍ୟ ପ୍ରାୟତଃ ଶୁଖିଲା ରହୁଛି । ଦେଓଗାଁ ବ୍ଲକର ସାଲେପାଲି, ଜରାସିଂହା, ଚନ୍ଦରପୁର, ବରକାନୀ, ଦେଓଗାଁ, କଛାରପାଲି, ହାତୀସରା, ନାଇକେନସିରା, କୁତୁର୍ଲା, ମୁଡସିଂହ, ଗାଈବାହାଲ, ଅର୍ଡା, ସିକୁଆଁ, ବଡବନ୍ଧ, ସିଲଟକାନୀ, ସାରସମା, ଡଙ୍ଗରପଡା, ଧଣ୍ଡାମାଲ, ବିଲାସପୁର, ଅର୍ନ୍ତଲା, ଅପାମରା, ବନ୍ଧପଡା, ଟେପରେନ ଓ ସିଙ୍ଗାମୁଣ୍ଡା, ବଲାଙ୍ଗିର ବ୍ଲକର ଭୁତିଆରବାହାଲ ଏବଂ କୁତୁର୍ଲା ତଥା ଗୁଡଭେଲା ବ୍ଲକର ଚାଣ୍ଟି ପଦର, ତୁଷୁରା, ଖର୍ଡା, ଲିଖିରିଆ , ସରଗଡା, ସିନ୍ଧିରିବାହାଲ ଓ ତେବଡାମୁଣ୍ଡା ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ଖନନ କରାଯାଇଥିବା ଇନଟାକ ୱେଲ ସବୁ ଗୁରୁତର ଭାବେ ପ୍ରଭାବିତ ହୋଇ ଏକ ପ୍ରକାର ଅକାମୀ ହୋଇ ପଡିଛି । ଫଳରେ ଲୋକମାନେ ବାଧ୍ୟ ହୋଇ ବନ୍ଧ ଓ କଟାର ଦୂଷିତ ପାଣି ପିଉଛନ୍ତି । ଏହାଦ୍ୱାରା ଲୋକମାନେ ଡାଇରିଆ ତଥା ଅନ୍ୟାନ୍ୟ ସଂକ୍ରାମକ ରୋଗରେ ପୀଡିତ ହେବାର ସମ୍ଭାବନା ରହିଛି । ଦୀର୍ଘ ୧୦ରୁ ୧୫ ବର୍ଷ ହେବ ସ୍ଥାନୀୟ ଲୋକେ ସୋନଗଡ ନଦୀ ଉପରେ ଏକ ବ୍ୟାରେଜ ନିର୍ମାଣ କରିବା ପାଇଁ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରି ଆସୁଛନ୍ତି ଓ ଏହାକୁ ନେଇ ଲଢେଇ ମଧ୍ୟ କରୁଛନ୍ତି । ଏହି ପ୍ରକଳ୍ପ ସାକାର ରୂପ ନେଲେ ଭୂତଳ ଜଳସ୍ତର ବୃଦ୍ଧି ପାଇବ ଓ ଅକାମୀ ହୋଇ ପଡିଥିବା ପାନୀୟ ଜଳ ପ୍ରକଳ୍ପମାନ ମଧ୍ୟ ସଠିକ ଭାବେ କାମ କରିବ । ଏହା ସହିତ ୧୪୦୦ ହେକ୍ଟର ଜମି ଜଳସେଚିତ ହୋଇପାରିବ । ଏହା ଦ୍ୱାରା ଦେଓଗାଁ ବ୍ଲକର ୧୨ ଗ୍ରାମ ପଂଚାୟତର ୨୮ ଖଣ୍ଡ ଗାଁ ଓ ବଲାଙ୍ଗିର ବ୍ଲକର ୫ ଖଣ୍ଡ ଗାଁର ଚାଷୀମାନେ ଉପକୃତ ହେବେ । ଭବାନୀପାଟଣା କେବିକେ ସର୍କଲ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ ନେଇ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଜଳସଂପଦ ବିଭାଗ ଓ ଓଡିଶା ସରକାରଙ୍କ ବୈଷୟିକ ପରାମର୍ଶ ଦାତା କମିଟି ପାଖରେ ଦାଖଲ କରି ସାରିଛନ୍ତି । ଜଳସଂପଦ ବିଭାଗର ବୈଷୟିକ ପରାମର୍ଶଦାତା କମିଟି ମଧ୍ୟ ୨୦୧୯ ମସିହାରୁ ଏହି ପ୍ରକଳ୍ପକୁ ମଂଜୁର ପ୍ରଦାନ କରି ସାରିଛନ୍ତି । ଆପଣଙ୍କ ନେତୃତ୍ୱରେ ଓଡିଶାରେ ବର୍ତ୍ତମାନ ଏକ ପ୍ରଗତିଶୀଳ ତଥା ଲୋକାଭିମୁଖୀ ସରକାର ଚାଲିଛି । ତେଣୁ ଏହି ଅଂଚଳର ଲୋକଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ କରିବା ପାଇଁ ଅତିଶୀଘ୍ର ଅର୍ଥ ଯୋଗାଇ ଦେବେ ବୋଲି ଲୋକଙ୍କ ଆଶା ଭରସା ରହିଥିବା ଶ୍ରୀମତୀ ରୀନା ମେହେର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୭ ଡିସେମ୍ବର ୨୦୨୦ରେ ମଧ୍ୟ ଶ୍ରୀମତୀ ମେହେର ସୋନଗଡ ନଦୀ ଉପରେ ବ୍ୟାରେଜ ନିର୍ମାଣ କରିବା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ ।

Leave A Reply

Your email address will not be published.

16 − eleven =