pakka

ମୁରିବାହାଲ ବ୍ଲକ ଅଞ୍ଚଳରେ କାଳବୈଶାଖୀ, ବ୍ୟାପକ କ୍ଷୟକ୍ଷତି, ଗଛ ପଡ଼ି ରାସ୍ତା ଅବରୋଧ, ବିଦ୍ୟୁତ୍‌ ସରବରାହ ବ୍ୟାହତ, ତାପମାତ୍ରା ହ୍ରାସ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳର କେତେକସ୍ଥାନରେ ଆଜି ଶନିବାର ସନ୍ଧ୍ୟାରେ ହୋଇଯାଇଛି କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ବ୍ଲକ ଅନ୍ତର୍ଗତ ଗରଗଡବାହାଲ ପଞ୍ଚାୟତ ସଦର ମହକୁମା ସମେତ ବହୁ ଗ୍ରାମରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ଖମ୍ବଗୁଡ଼ିକ ଭାଙ୍ଗିଯିବାରୁ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇରହିଛି । ପ୍ରବଳ ବର୍ଷା ଓ ପବନରେ ଶତାଧିକ ଗଛ ଭାଙ୍ଗିଯିବା ସହ ଗମନାଗମନ ପାଇଁ ଅସୁବିଧା ହେବା ସହ ବିଦ୍ୟୁତ୍‌ ତାର ଛିଣ୍ଡିଯିବାରୁ ବିଦ୍ୟୁତ୍ ଖମ୍ବଗୁଡ଼ିକ ଭାଙ୍ଗି ଘର ଉପରେ ପଡ଼ିବାରୁ ଖପର ଘରଗୁଡ଼ିକ ଭାଙ୍ଗିରୁଜି ଯାଇଛି । ଗରଗଡବାହାଲ ଗ୍ରାମର ଏକ ନୂତନ ନିର୍ମାଣଧିନ ପ୍ରକଳ୍ପର ଇଟାକାନ୍ଥ ମଧ୍ୟ ବର୍ଷା ପ୍ରଭାବରେ ଭାଙ୍ଗି ପଡିଯାଇଛି । ପୂର୍ବ ସରପଞ୍ଚ ଭକ୍ତବନ୍ଧୁ ଛତ୍ରିଆଙ୍କ ସହ ଗ୍ରାମର ସ୍ଵେଚ୍ଛାସେବୀମାନେ ଗଛକାଟି ରାସ୍ତା ସଫା କରିଥିଲେ । ସେହିପରି ପତ୍ରାପାଲି(କ)ପଞ୍ଚାୟତ ଲାରିପଡା ଛକ ଅଞ୍ଚଳରେ ରାସ୍ତା ଉପରେ ଗଛ ପଡ଼ିଥିବା ବେଳେ ବାଇକ୍ ଆରୋହୀ ଅସୁରମୁଣ୍ଡା ଗ୍ରାମର ଧର୍ମୁ ସେଲମା ଓ ଅନ୍ୟ ଜଣେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତାଙ୍କୁ ସ୍ୱେଚ୍ଛାସେବୀ ଯୁଧିଷ୍ଠିର ଭରାସଗରିଆଙ୍କ ସହ ଅନ୍ୟମାନେ ଆମ୍ବୁଲାନ୍ସ ଡାକି ହସ୍‌ପିଟାଲ୍‌ ପଠାଇଥିଲେ । ଦମକଳ ବାହିନୀ ପହଞ୍ଚି ଗଛକାଟି ରାସ୍ତା ସଫା କରିଥିଲେ । କାଳବୈଶାଖୀ ପ୍ରଭାବରେ ବ୍ଲକ ଅଞ୍ଚଳର କେତେକ ଗ୍ରାମାଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବ୍ଲକ ସଦର ମହକୁମା ସମେତ ଅନ୍ୟାନ୍ୟ ଗ୍ରାମରେ ସାମାନ୍ୟ ବର୍ଷା ହୋଇଥିବା ଯୋଗୁଁ ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ତ୍ରାହି ତ୍ରାହି ଡାକୁଥିବା ଲୋକେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବାରୁ ଆଶ୍ୱସ୍ତି ଅନୁଭବ କରିଥିବା ଜଣାପଡିଛି ।

Leave A Reply

Your email address will not be published.

two × 1 =