pakka

ଭୁତିଆରବାହାଲ, କୂଡାସିଙ୍ଘାରେ ଜନ ଆଶୀର୍ବାଦ୍‌ ସଭା

bbehera
  • ୨୪ ବର୍ଷର ସରକାରରେ କେବଳ ଗରିବୀ ବଢ଼ିଛି – ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାତାର ୫ଟି ପାଳିର ବିଜେଡି ସରକାର ପାଖରେ ବହୁତ ସମୟ ଥିଲା ଲୋକଙ୍କ ଆର୍ଥିକ ବିକାଶ ପାଇଁ କିଛି ଠୋସ ପଦକ୍ଷେପ ନେବା ପାଇଁ କିନ୍ତୁ ଲୋକଙ୍କ ବିକାଶ ପରିବର୍ତେ ନବୀନ ସରକାର ପ୍ରତ୍ୟେକ କ୍ଷେତ୍ରରେ ଲୋକଙ୍କୁ ପ୍ରତାରିତ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଦିଗରେ ସରକାର ପ୍ରତ୍ୟେକ ନିର୍ବାଚନ ସମୟରେ ମିଛ ପ୍ରତିଶୃତି ଦେଇଛି ଯାହାଫଳରେ ଲୋକଙ୍କ ଆର୍ଥିକ ବିକାଶରେ ଅନ୍ତରାୟ ସୃଷ୍ଟି ହୋଇ ଅଞ୍ଚଳରେ ଗରିବୀ ବଢ଼ି ବଢ଼ି ଚାଲିଛି ବୋଲି ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଓ କୂଡାସିଙ୍ଘାଠାରେ ଅନୁଷ୍ଠିତ ଜନ ଆଶୀର୍ବାଦ୍‌ ସଭାରେ ବଲାଙ୍ଗିର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଜନ ଆଶୀର୍ବାଦ ସଭାରେ ସମରେନ୍ଦ୍ର ଏହା ବି କହିଛନ୍ତି ଯେ, ଦେଶ ଓ ରାଜ୍ୟରେ ଗରିବଙ୍କ ପାଇଁ ଯାହା କିଛି ବି ଯୋଜନା ପ୍ରଣୟନ ହୋଇଛି ତାହା କଂଗ୍ରେସ ସରକାର ଅମଳରେ ହୋଇଛି । ରାଜ୍ୟରେ ଶିଳ୍ପ, ଜଳସେଚନ ହେଉ କି ଜାତୀୟ ସ୍ତରରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଓ ଖାଦ୍ୟ ସୁରକ୍ଷା ଯୋଜନା, ଏସବୁ କଂଗ୍ରେସ ସରକାର ହିଁ କରିଛି, ତେଣୁ ଲୋକେ ଆଗାମୀ ନିର୍ବାଚନରେ ଜନ ବିରୋଧୀ ସରକାରଙ୍କୁ ଉଚିତ୍‌ ଜବାବ ଦେବା ପାଇଁ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ହାତ ଚି଼ହ୍ନରେ ଭୋଟ୍‌ ଦେଇ ଆଶୀର୍ବାଦ୍‌ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ । ସଭାରେ ମଂଚାସୀନ ଥିବା ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜନ ବିରୋଧୀ ବୋଲି କହିବା ସହ ନିଜ ଦଳ କଂଗ୍ରେସ ସରକାରକୁ ଆସିଲେ ଯୁବକଙ୍କୁ ନିଶ୍ଚିତ ରୋଜଗାର, ଧାନର ମୂଲ୍ୟ ବୃଦ୍ଧି, ବେକାରୀ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଋଣ ମାଫ, ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଦେୟ ମାଫର ଗେରେଣ୍ଟି ଦିଆଯିବ ବୋଲି କହିଥିଲେ । ଜନ ଆଶୀର୍ବାଦ୍‌ ସଭା ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ଭୁତିଆରବାହାଲ ସରପଞ୍ଚ ନୀଳ ସେଠ, ସମିତି ସଭ୍ୟ ଅଜିତ ସାହୁ, ସାରସମାଲ ସରପଞ୍ଚ ଗୋପାଳ କୃଷ୍ଣ ବାଗ, ପୂର୍ବତନ ସରପଞ୍ଚ ପୁଷ୍ପିତା ସାହୁ, ବରିଷ୍ଠ ନେତା ସୁରେନ୍ଦ୍ର ନାଥ, କୂଡାସିଙ୍ଘା ସମିତି ସଭ୍ୟା କାମିନୀ ପୁଟେଲ ଓ ଲିଙ୍ଗରାଜ ପୁଟେଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.

three − two =