ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଓ ବୀମା ରାଶି ପ୍ରଦାନ ଦାବୀରେ ବିଜେପିର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ବିପର୍ଯ୍ୟାସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଓ ଚାଷୀମାନଙ୍କୁ କୃଷୀ ବୀମା ରାଶି ପ୍ରଦାନ ଦାବୀରେ ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାଜପାର ନେତା ଓ କର୍ମକର୍ତ୍ତାମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ଭାଜପା ତରଫରୁ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇଥିବା ଅନନ୍ତ କୁମାର ଦାସ ଏହି ଅବସରରେ କହିଥିଲେ ଯେ, ବଲାଙ୍ଗିରରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ଭାବେ ବିପର୍ଯ୍ୟାସ୍ତ ହୋଇ ପଡିଛି । ଚୋରୀ, ଡକାୟତ, ଲୁଣ୍ଠନ ବଢିବା ସହିତ ଅପରାଧୀମାନେ କାୟା ବିସ୍ତାର କରିବାରେ ଲାଗିଛନ୍ତି । ପୁଲିସ ପ୍ରଶାସନ ଏସବୁକୁ ରୋକିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଥିବାରୁ ଜନସାଧାରଣରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି । ଏହା ସହିତ ଏହି ଅଂଚଳରେ କ୍ରମାଗତ ମରୁଡି ତଥା ସ୍ୱଳ୍ପ ବୃଷ୍ଟି ଯୋଗୁଁ ଚାଷରେ କ୍ଷିତଗ୍ରସ୍ତ ହୋଇ ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୁର୍ଣ୍ଣ ଭାବେ ଭାଙ୍ଗିଯାଇଛି । ୨୦୧୯ ମସିହାରେ ଦେଓଗାଁ ଓ ବଲାଙ୍ଗିର ବ୍ଲକରେ ମରୁଡି ପରିସ୍ଥିତି ଦେଖା ଦେଇଥିଲା । ହେଲେ ଚାଷୀମାନଙ୍କ ଚାଷ ଜମିର ସଠିକ କ୍ଷୟକ୍ଷତି ଆକଳନ କରାଯାଇନଥିଲା । କୃଷି ବିଭାଗ, ପରିସଙ୍ଖ୍ୟାନ ବିଭାଗ ଓ ରାଜସ୍ୱ ବିଭାଗ ମଧ୍ୟରେ ସମନ୍ୱୟର ଅଭାବରୁ ଚାଷୀମାନେ କୃଷିବୀମା ପାଇବାରୁ ବଂଚିତ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ କରିବା ପାଇଁ ଜମି ବୀମା ସୁବିଧା ଯୋଗାଇ ଦିଆଯାଉଛି । ଅନେକ ଚାଷୀ ନିଜେ ଟଙ୍କା ଦେଇ ବୀମା କରୁଛନ୍ତି । କିନ୍ତୁ ପ୍ରଶାସନିକ ସ୍ତରରେ ଅବହେଳା ଯୋଗୁଁ ଚାଷୀମାନେ ଉପଯୁକ୍ତ ପରିମାଣରେ ବୀମାରାଶି ପାଇବାରୁ ବଂଚିତ ହେଉଛନ୍ତି । ଏହି ଅଂଚଳର ୯୦ ପ୍ରତିଶତରୁ ଅଧିକ ଚାଷୀ ବୀମା ଟଙ୍କା ପାଇବାରୁ ବଂଚିତ ହୋଇଛନ୍ତି । ସାମ୍ପ୍ରତିକ ସମୟରେ କରୋନା ଯୋଗୁଁ ଚାଷୀଙ୍କ ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହୋଇପଡିଛି । ଏହିଭଳି ପରିସ୍ଥିତିରେ ମଧ୍ୟ ରାଜ୍ୟ ସରକାର ଚାଷୀମାନଙ୍କ ପ୍ରତି ସମ୍ବେଦନଶୀଳ ହେଉନାହାନ୍ତି ବୋଲି ଦଳ ତରଫରୁ ଅଭିଯୋଗ କରାଯାଇଛି । ତେବେ ତୁରନ୍ତ କୃଷିବୀମାରୁ ବଂଚିତ ଚାଷୀମାନଙ୍କୁ ବୀମା ରାଶି ପ୍ରଦାନ କରିବା ପାଇଁ ଦଳ ତରଫରୁ ଦାବୀ କରାଯ।।ଇଛି । ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ସିଂଦେଓ, ନିରଞ୍ଜନ ସେଲମା, ପୀତାମ୍ବର ଖମାରୀ, ଅନୀଲ ପାଣିଗ୍ରାହୀ, ଦିନେଶ ଶର୍ମା, ବବି ମିଶ୍ର, ହିତେଶ ସାହୁ, ଦିଲିପ ବିଶ୍ୱାଲ, ରାଜା ନାୟକ, ଉଗ୍ରସେନ ପାତ୍ର, ଗୁଣନିଧି ପଟେଲ, ସୁନୀଲ ସେଠ, ସୁନୀଲ ମିଶ୍ର, ବନମାଳୀ ବେହେରା ଓ ଆଶିଷ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.