ବାଲିଗୁଡ଼ା ଏନ୍‌ଏସି ନିର୍ବାଚନରେ ବିଜେଡ଼ିର ବିପୁଳ ବିଜୟ : ବିଜେପି ଖାତା ଖୋଲି ପାରିନାହିଁ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପୌର ନିର୍ବାଚନରେ ପୁଣି ବିଜେଡ଼ିର ବାଜିମାତ୍ । ମାଟି କାମୁଡ଼ିଲେ ଦୁଇ ଜାତୀୟ ଦଳ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡ଼ି କରିଛି ବିପୁଳ ବିଜୟ । ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବାଲିଗୁଡ଼ା ବିଜେଡ଼ି ଅଧ୍ୟକ୍ଷ ପ୍ରାର୍ଥୀ ୫୯୯୧ ଭୋଟରେ ବିଜୟ ଲାଭ କରିଥିବା ବେଳେ ୧୧ଟି ୱାର୍ଡ ଦଖଲ କରିଛି । ବ୍ଲକ୍ ସଭାପତି ଟୁନା ଦାସ ଓ ବିଧାୟକ ଚକ୍ରମଣି କହଁର ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସମସ୍ତ ୱାର୍ଡ ବୁଲି ଭୋଟରମାନଙ୍କୁ ଧନ୍ୟବାଦ ଜଣାଇବାସହ ବାଲିଗୁଡ଼ା ସହରରେ ବିଜୟ ଉତ୍ସବ ପାଳିଛି ବିଜେଡ଼ି । ଏହି ବିଜୟ ଆମର ନୁହେଁ ଏହି ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଭରଷା କରିଥିବା ବାଲିଗୁଡ଼ା ସହରର ଅଗଣିତ ଭୋଟରଙ୍କ ବିଜୟ । ପୁଣିଥରେ ଆମେ ବାଲିଗୁଡ଼ା ସହରରେ ବିକାଶ ଧାରା ଜାରି ରଖିବା ଏବଂ ବାଲିଗୁଡ଼ା ସହରର ସର୍ବାଙ୍ଗୀନ ବିକାଶ କିଭଳି ହେବ ସେଥିପ୍ରତି ଦୃଷ୍ଟି ଦେବା ବୋଲି ବାଲିଗୁଡ଼ାର ଯୁବ ବିଧାୟକ ଚକ୍ରମଣି କହଁର ଓ ବ୍ଲକ୍ ବିଜେଡି ସଭାପତି ଟୁନା ଦାସ କହିଛନ୍ତି । ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସମୁଦାୟ ୧୩ଟି ୱାର୍ଡ ମଧ୍ୟରୁ ବିଜେଡ଼ି ୧୧ ୱାର୍ଡ ଓ କଂଗ୍ରେସ ଦୁଇଟି ୱାର୍ଡ ୧ ଏବଂ ୧୩ ନଂ. ଦଖଲ କରିଥିବା ବେଳେ ବିଜେପି ଖାତା ଖୋଲି ପାରି ନାହିଁ । ଦୁଇ ଦୁଇଟି ଜାତୀୟ ଦଳକୁ ପଛରେ ପକାଇ ବିଜେଡ଼ି ଏକ ନମ୍ବର ସ୍ଥାନ ଅଧିକାର କରି ପାରିଛି । ବାଲିଗୁଡା ଏନ.ଏ.ସି ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ମଧ୍ୟରେ ମୋଟ ଭୋଟ ୧୦୧୪୫ଟି ହୋଇଥିବା ବେଳେ ସେଥି ମଧ୍ୟରୁ ଗୋବିନ୍ଦ ଚନ୍ଦ୍ର ପ୍ରଧାନ(ବିଜେଡି) ୫୯୯୧ଟି ଭୋଟ, ଅନନ୍ତ ମାଝୀ (କଂଗ୍ରେସ ) ୨୪୫୭ଟି ଭୋଟ, କୁସୁମି ପ୍ରଧାନ (ବିଜେପି) ୧୫୧୭ଟି ଭୋଟ ଏବଂ ନୋଟାରେ ୧୮୦ଟି ଭୋଟ ପାଇଥିବା ଜଣାପଡିଛି ।

Leave A Reply

Your email address will not be published.