pakka

ହର୍‌ ଘର୍‌ ଜଲ୍‌ ଯୋଜନାରେ ପାଇପ୍‌ ଯୋଗେ ବିଶୁଦ୍ଧ ପିଇବା ପାଣି ଯୋଗଇବାରେ ଓଡିଶା ପଛୁଆ, ଓଡିଶାରେ ପ୍ରଚାର ବେଶୀ କାମ କମ୍‌ : ହେମନ୍ତ ପଣ୍ଡା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶୁଦ୍ଧ ପିଇବା ପାଣି ଜନସାଧାରଣଙ୍କ ମୌଳିକ ଅଧିକାର । ତେଣୁ ସମସ୍ତଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ । ଗ୍ରାମାଂଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଗତ ୨୦୧୯ ମସିହାରେ ରାଜ୍ୟମାନଙ୍କ ସହଯୋଗିତାରେ ହର୍‌ ଘର୍‌ ଜଲ୍‌ ଯୋଜନା ଆରମ୍ଭ କରିଥିଲେ । ସମସ୍ତଙ୍କ ଘରକୁ ପାଇପ୍‌ ସଂଯୋଗୀକରଣ କରାଯାଇ ୨୦୨୪ ମସିହ ସୁଦ୍ଧା ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିଲେ । ଦେଶର ସମସ୍ତ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୧୯ କୋଟି ୨୮ ଲକ୍ଷ ବାସଗୃହ ମଧ୍ୟରୁ ୧୪ କୋଟି ୪୭ ଲକ୍ଷ ବାସଗୃହକୁ ପାଇପ୍‌ ଜଳ ସଂଯୋଗୀକରଣ କରାଯାଇଥିବା ତଥ୍ୟ ଭାରତ ସରକାରଙ୍କ ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗର ଜନ ସୂଚନା ଅଧିକାରୀ ଅଭିନାଶ କୁମାର ସିହ୍ନା ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ଅନ୍‌ଲାଇନ୍‌ରେ ପ୍ରଦାନ କରିଛନ୍ତି । ଏହା ଦେଶର ୭୫.୦୭ ପ୍ରତିଶତ ବାସଗୃହ ଅଟେ । କିନ୍ତୁ ଓଡିଶାର ସ୍ଥିତି ଏହି କ୍ଷେତ୍ରରେ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଜାତୀୟ ହାରଠାରୁ ଓଡିଶା ତଳେ ରହିଥିବା ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି ବୋଲି ପଣ୍ଡା କହିବା ସଂଗେ ଦେଶର ସମୂଦାୟ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟମାନଙ୍କ ମଧ୍ୟରେ ଓଡିଶାର ସ୍ଥାନ ୨୯ ନମ୍ବରରେ ରହିଛି ବୋଲି ସେ କହିଛନ୍ତି । ଅର୍ଥାତ ତଳପଟୁ ଓଡିଶାର ସ୍ଥାନ ୬ ନମ୍ବରରେ ରହିଥିବା ତଥ୍ୟରୁ ଜଣାପଡିଛି । ପାଇପ୍‌ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦେବା କ୍ଷେତ୍ରରେ ୧୦୦ ପ୍ରତିଶତ ସଫଳତା ଅର୍ଜନ କରିଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ମଧ୍ୟରେ ଗୋଆ, ଗୁଜୁରାଟ, ତେଲେଙ୍ଗାନା, ହରିଆନା, ପଞ୍ଜାବ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ, ମିଜୋରମ, ପୁଡୁଚେରି ଇତ୍ୟାଦି ୧୧ଟି ରଜ୍ୟ ରହିଥିବା ବେଳେ ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ୭୫ ପ୍ରତିଶତରୁ ଅଧିକ ସଫଳତା ହାସଲ କରିଛନ୍ତି । କିନ୍ତୁ ଓଡିଶା ଏପର୍ଯ୍ୟନ୍ତ ମାତ୍ର ୭୨.୭୯ ପ୍ରତିଶତ ଲକ୍ଷ୍ୟ ହାସଲ କରି ପାରିଛି ବୋଲି କେନ୍ଦ୍ର ସରକାରଙ୍କ ତଥ୍ୟକୁ ଆଧାର କରି ସୂଚନା କର୍ମୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି । ପିଇବା ପାଣି ରାଜ୍ୟର ବିଷୟବସ୍ତୁ ହୋଇଥିବା ବେଳେ ଏହାର କାର୍ଯ୍ୟକାରିତା ଓ ପରିଚାଳନା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ଅଧିନରେ କରାଯାଏ ବୋଲି ଭାରତ ସରକରଙ୍କ ତଥ୍ୟରେ କୁହାଯାଇଛି । ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି ଯେ, ଓଡିଶାର ପୁରପଲ୍ଲୀରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ହୋର୍ଡିଙ୍ଗ ଲଗାଇ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ସ୍ୱପ୍ନ ହୋଇଛି ସାକାର ସବୁ ଘରେ ସମସ୍ତଙ୍କ ପାଇଁ ବୋଲି ପ୍ରଚାର କରିଛନ୍ତି । ଏହା କେବଳ ପ୍ରଚାର କରାଯାଇଛି କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ବିଶୁଦ୍ଧ ପିଇବା ପାଣିକୁ ନେଇ ସମସ୍ତ ଓଡିଶାବାସୀଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଛି । ଓଡିଶାର ଅନେକ ଗ୍ରମାଂଚଳର ଲୋକେ ବର୍ତ୍ତମାନ ମଧ୍ୟ ପିଇବା ପାଣି ପାଇଁ ଦୂରଦୂରାନ୍ତକୁ ଯାଉଥିବା କଥା ପ୍ରତ୍ୟହ ଗଣମାଧ୍ୟମରେ ପ୍ରକାଶିତ ହେଉଛି ବୋଲି ଶ୍ରୀ ପଣ୍ଡା କହିବା ସହ ସୂଚନା ଅଧିକାର ବଳରେ ବିଶୁଦ୍ଧ ପିଇବା ପାଣି ସମ୍ବନ୍ଧୀୟ ମିଳିଥିବା ଏହି ତଥ୍ୟ ସରକାରଙ୍କ ପ୍ରଚାର ବେଶୀ, କାମ କମ୍‌ ଆଚରଣକୁ ଦର୍ଶାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ ବିଦ୍ୟାଳୟଗୁଡିକର ରୂପାନ୍ତରୀକରଣ କରାଯାଇଥିଲେ ମଧ୍ୟ ପାଇପ୍‌ ଯୋଗେ ବିଦ୍ୟାଳୟମାନଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାରେ ଓଡିଶା ସମଗ୍ର ଦେଶର ଏକ ଅନ୍ୟତମ ପଛୁଆ ରାଜ୍ୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

jay balangir
Leave A Reply

Your email address will not be published.

2 × 4 =