ବିପଦ ସଙ୍କୁଳ ଅବସ୍ଥାରେ କୁଟାସିଂହା ଅଙ୍ଗନବାଡି କେନ୍ଦ୍ର : ବିଲ୍ଡିଂ ଫାଟି ଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା) ବ୍ଲକର ସୀମାନ୍ତ ବର୍ତ୍ତୀ ଅଞ୍ଚଳ, ଚିର ଅବହେଳିତ ଅଞ୍ଚଳ ଭାବେ କୁଟାସିଂହା ପରିଚିତ । ଏହି ପଂଚାୟତ କୁଟାସିଂହାର ଅଙ୍ଗନବାଡି କେନ୍ଦ୍ର (ଗ)ର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ କାନ୍ଥ ଫାଟି ଆଁ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ଶିଶୁ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ବ୍ୟବସ୍ଥା ଅଛି ହେଲେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ଗ୍ରାମ ପଞ୍ଚାୟତ ବିକାଶ ପାଣ୍ଠିର ବାର୍ଷିକ ଖସଡ଼ାରେ ସାମିଲ ନ କରିବା ଏକ ଦୁଃଖ ଓ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବର୍ଷ ବର୍ଷ ଧରି ବର୍ଷା ମାସରେ ପାଣି ଖାଇ କବାଟର ତଳ ଅଂଶ ମଧ୍ୟ ଝଡି ଯାଇ ବଡ଼ ଫାଙ୍କ ସୃଷ୍ଟି ହୋଇଛି । କବାଟ, ଝରକା ମଧ୍ୟ ଭାଙ୍ଗିଯାଇଛି । ଏଠାରେ ପାଚେରୀ ନ ଥିବାରୁ ଏହାଫଳରେ ଅନାୟାସରେ ବୁଲା କୁକୁର, ବିଲେଇ, ସରୀସୃପ କୋଠରୀ ଭିତରକୁ ଅବାଧରେ ପଶିଯାଉଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି । ଏ ବିଷୟରେ ପୂର୍ବତନ ସରପଂଚ ନକୁକ ପାତ୍ର ଏହା ଏକ ସମ୍ବେଦନଶୀଳ ବିଷୟ ବୋଲି ଦୁଃଖର ସହ ପ୍ରକାଶ କହିଛନ୍ତି । ଏଠାରେ ଶିଶୁଙ୍କୁ ଖାଇବାକୁ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ତଥା ବିଭିନ୍ନ ଉପକରଣ ମହଜୁଦ ରଖାଯାଇଛି । ଫଳରେ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ରକୁ ଛୁଆଙ୍କୁ ଛାଡିବାକୁ ଅଭିଭାବକ ସୁରକ୍ଷିତ ମଣୁ ନଥିବା କହିଛନ୍ତି । ଗ୍ରାମବାସୀଙ୍କ ସୂଚନା ଅନୁସାରେ ଏନେଇ ଅଙ୍ଗନବାଡି କର୍ମୀ ରିତା ମହାଲିଙ୍ଗଙ୍କୁ ସମସ୍ୟା ସମ୍ପର୍କରେ ପଚାରିଲେ ସୁପରଭାଇଜର ତଥା ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କ ରେ ବହୁବାର ଜଣାଇଥିବା କହିଛନ୍ତି । ଅଭିଭାବକଙ୍କ ଅଭିଯୋଗ ଅନୁସାରେ କେନ୍ଦ୍ରରେ ଶୌଚାଳୟ କାର୍ଯ୍ୟକ୍ଷମ ନ ଥିବାରୁ ଶିଶୁମାନେ ବହୁ ଅସୁବିଧା ଭୋଗୁଛନ୍ତି । ଏନେଇ ସିଡିପିଓ ଶୁଭଶ୍ରୀ ମିଶ୍ରଙ୍କୁ ଯୋଗାଯୋଗ କରାଯିବାରୁ ତାଙ୍କ ଫୋନ ଲାଗିନଥିଲା । ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ଓ ଶୀଘ୍ର ଏହି ସମସ୍ୟାର ସମାଧାନ କରା ନ ଗଲେ ପ୍ରଶାସନ ଦାୟୀ ରହିବ ବୋଲି ଜନସାଧାରଣ ଜଣାଇଛନ୍ତି ।

Leave A Reply

Your email address will not be published.