ବଡ଼ଗୁଣ୍ଡୁରୀ ପଞ୍ଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ

  • ଜେଇଙ୍କୁ ଠିକାଦାର ସଜେଇ ଦଳୀୟ ପାଣ୍ଠି ସଂଗ୍ରହ କରୁଛି ବିଜେଡି : କାଳନ୍ଦି ସାମଲ

ତାଳଚେର/କଣିହାଁ : ତାଳଚେର ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକର ବଡ଼ଗୁଣ୍ଡୁରୀ ପଞ୍ଚାୟତ ଅଫିସ୍ ସମ୍ମୁଖରେ କଣିହାଁ ମଣ୍ଡଳ ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦୁର୍ନୀତି ଭଷ୍ଟାଚାର ବଂଶବାଦ, ପିସି କାରବାର ବିରୋଧରେ କଣିହାଁ ବିଜେପି ତରଫରୁ ତାଳଚେରର ବିଶ୍ଵସ୍ତ ସେବକ, ବିଜେପି ନେତା ତଥା ଭାରତ ସରକାରଙ୍କର କ୍ଷୁଦ୍ର ଶିଳ୍ପ ନିଗମର ନିର୍ଦ୍ଦେଶକ କାଳନ୍ଦି ସାମଲଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାରଙ୍କର ଓଡ଼ିଶାକୁ ବିପୁଳ ଅର୍ଥ ବିଭିନ୍ନ ଜନ କଲ୍ୟାଣ ଯୋଜନରେ ହଜାର ହଜାର କୋଟି ଟଙ୍କା ଦେଉଥିବା ବେଳେ ତାହା ଲୋକଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚି ପାରୁନଥିବା କହିବା ସହିତ କଣିହାଁ ବ୍ଲକ ଦୁର୍ନୀତିର ପ୍ରୟୋଗଶାଳା ପାଲଟିଛି, ବ୍ଲକ୍ ଓ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ପିସିରେ ସାଧାରଣ ଲୋକ ପେଶି ହୋଇ ଗଲେଣି ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ । ରାଜ୍ୟରେ ସାମନ୍ତବାଦି ଶାସନ ଚାଲିଛି, ପ୍ରଚୁର ଅର୍ଥ ନରେନ୍ଦ୍ର ମୋଦୀ ସରକାର ଗରୀବ ଲୋକଙ୍କ ପାଇଁ ଗାଆଁର ବିକାଶ ପାଇଁ ସିଧାସଳଖ ପଞ୍ଚାୟତକୁ ପଠାଉଛନ୍ତି, ସରପଞ୍ଚମାନଙ୍କ ମାଧ୍ୟମରେ ଖର୍ଚ୍ଚ ହବ କିନ୍ତୁ ରାଜ୍ୟ ସରକାର ସରପଞ୍ଚ ମାନଙ୍କର କ୍ଷମତାକୁ ଛଡେଇ ନେଇଛନ୍ତି, ପଲ୍ଲୀସଭା ହେଉ ନାହିଁ, ଗ୍ରାମସଭା ହେଉ ନାହିଁ, ଜେଇ ଓ ପିଇଓଙ୍କୁ ଠିକାଦାର ସଜାଇ ଅଧିକ ପିସି ଦେଉଥିବା ଦଳୀୟ କର୍ମୀଙ୍କୁ ଠିକା କାର୍ଯ୍ୟ ଦିଆଯାଉଛି ବୋଲି ଶ୍ରୀ ସାମଲ କହିଛନ୍ତି । ତେଣୁ କାମ ନିମ୍ନମାନର ହେଉଛି ଓ ୪୦-୫୦ %ରୁ ଅଧିକ ପିସି କାରବାର ହେଉଛି, ଗରୀବ ଲୋକଙ୍କ ପାଇଁ ଆସୁଥିବା ଟଙ୍କା, ଗାଆଁର ବିକାଶ ପାଇଁ ଆସୁଥିବା ଟଙ୍କାକୁ ରାଜ୍ୟ ସରକାର ଅନ୍ୟାୟ ଉପାୟରେ ବିଜେଡିର ପାଣ୍ଠି ସଂଗ୍ରହ କରୁଛନ୍ତି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅନୁଗୋଳ ଜିଲ୍ଲା ତଥା ତାଳଚେରର ବିକାଶ ପାଇଁ ୬୦ ହଜାର କୋଟି ଟଙ୍କା କେନ୍ଦ୍ର ମୋଦୀ ସରକାରଙ୍କଠାରୁ ମଞ୍ଜୁର କରିଆଣିଛନ୍ତି, କିନ୍ତୁ ବିଜେଡି ସରକାର ଓ ବିଧାୟକ ୧୪ ବର୍ଷ ମଧ୍ୟରେ ତାଳଚେର ପାଇଁ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପି ଅନୁଗୁଳ ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ତଥା କଣିହାଁ ମଣ୍ଡଳ ପ୍ରଭାରୀ ପର୍ଶୁରାମ ବାରିକ ଯୋଗଦେଇ ତାଳଚେରର ବିକାଶରେ ବିଜେଡି ଓ ବିଧାୟକ ବାଧକ ସାଜିଛନ୍ତି ବୋଲି କହିଛନ୍ତି । ବରିଷ୍ଠ ବିଜେପି ନେତା ତଥା ପ୍ରାକ୍ତନ ବଡ଼ଗୁଣ୍ଡୁରୀ ସରପଞ୍ଚ ଲୋକନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ସୁଶାନ୍ତ କୁମାର ସାମଲ, ବରିଷ୍ଠ ବିଜେପି ନେତା ବିରଞ୍ଚି ସାହୁ, ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ, ବଡ଼ଗୁଣ୍ଡୁରୀ ସରପଞ୍ଚ ସସ୍ମିତା ଦଳେଈ, ବଡ଼ଗୁଣ୍ଡୁରୀ ସମିତି ସଦସ୍ୟା ଦୀପ୍ତିମୟୀ ସେଠି, ଅବିନ ପ୍ରଧାନ, କର୍ଣ୍ଣ କୁମାର ଭୁତିଆ, ରମେଶ ସାମଲ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × one =