
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଖପ୍ରାଖୋଲର ସାପ୍ତାହିକ ଶନିବାର ବଜାରରେ ପ୍ରତି ସପ୍ତାହରେ ୫୦୦ରୁ ଅଧିକ ଲୋକଙ୍କ ସମାଗମ ହୁଏ । ବଜାରରୁ ପଞ୍ଚାୟତ ନିୟମିତ ଟିକସ ଆଦାୟ କରୁଥିଲେ ମଧ୍ୟ ମୌଳିକ ସୁବିଧା ଯୋଗାଇବାରେ ନିରବତା ଦେଖାଯାଉଛି । ବର୍ଷା ହେଲେ ବଜାର ଭିତରେ ପଚପଚ କାଦୁଅ ହୋଇ ଯାତାୟତ ଦୁର୍ବିସହ ହୋଇପଡୁଛି । ଚପଲ ଛିଣ୍ଡିବାଠାରୁ ଆରମ୍ଭ କରି କାଦୁଅରେ ଲୋକେ ଖସିପଡୁଥିବା ଘଟଣା ମଧ୍ୟ ଦେଖାଯାଉଛି । ବ୍ୟବସାୟୀ ଓ ଗ୍ରାହକ ଉଭୟ ହନ୍ତସନ୍ତ ହେଉଥିବା ବେଳେ ବଜାରରେ ସାମାନ୍ୟ ମୋରମ କିମ୍ବା ମାଟି ପକାଇବାକୁ ମଧ୍ୟ ପଞ୍ଚାୟତ ପଦକ୍ଷେପ ନେଉନଥିବା ନେଇ ଅସନ୍ତୋଷ ବଢୁଛି । ଟିକସ ନେବା ବେଳେ ପଞ୍ଚାୟତର ତତ୍ପରତା, ସୁବିଧା ଦେବା ବେଳେ ନିରବତା ଏହା କି ବଜାର ପ୍ରତି ପଞ୍ଚାୟତର ଦାୟିତ୍ୱବୋଧ ? ସାଧାରଣ ଲୋକେ ଏହାର ଉତ୍ତର ଦାବି କରିଛନ୍ତି ।