pakka

ଥମୁନି ଦାଦନ ମୃତ୍ୟୁ ଦୁଃଖ : ପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକଙ୍କ ମୃତ୍ୟୁର ବିକଳ ଚିତ୍ର

bbehera

ଖପ୍ରାଖୋଲ, (ଅଶୋକ କୁମାର ବାଗ) ଥମୁନି ଦାଦନ ମୃତ୍ୟୁ ଦୁଃଖ । ପୁଣି ସାମ୍ନାକୁ ଆସିଲା ଦାଦନ ଶ୍ରମିକଙ୍କ ମୃତ୍ୟୁର ବିକଳ ଚିତ୍ର । ରାଜ୍ୟ ସରକାର ଦାଦନ ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ ଏହାର ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଓଲଟା । କାମ ଧନ୍ଦା ନପାଇ ହତାଶ ହେବା ପରେ ପରିବାର ମୁହଁରେ ଦାନା ମୁଠାଏ ଦେବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଯାଇଥାନ୍ତି ଅନେକ ଦାଦନ ଶ୍ରମିକ । ସେଠାରେ ସେମାନଙ୍କୁ ଅନେକ ସମସ୍ୟା ଓ ଅତ୍ୟାଚାରର ଶିକାର ହୋଇଥାନ୍ତି । ତେବେ ପୁଣିଥରେ ଦାଦନ ଶ୍ରମିକଙ୍କୁ ନେଇ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ୍‌ ଖପ୍ରାଖୋଲ ଥାନା କନ୍ଦେନଝଲା ଗ୍ରାମର ନୀଳକଣ୍ଠ ବିଶି(୩୫)ତାଙ୍କ ସ୍ତ୍ରୀ ନିର୍ମଳା ବିଶି ଏବଂ ୩ ବର୍ଷର ପୁଅ ସମସ୍ତେ ଆନ୍ଧ୍ରପ୍ରଦେଶ ରାଜ୍ୟ ବିଶାଖାପାଟଣା ଜିଲ୍ଲା ମୁନଗା ପେଟ୍ଟା ଅଞ୍ଚଳରେ ମାଲିକ ଆପ୍ପାରାଓଙ୍କ ଫାର୍ମ ହାଉସରେ ଗୋଟିଏ ବର୍ଷ ହେଲା କାମକରି ଆସୁଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ ଗୋଟିଏ ମାସ ତଳେ ନୀଳକଣ୍ଠକୁ ସେହି ଫାର୍ମ ହାଉସରେ କୁକୁର କାମୁଡି ଥିଲା । କିଛି ଦିନ ପରେ ତାକୁ ଜ୍ୱର ହୋଇ ଥିବାବେଳେ ତାକୁ ବିଶାଖାପାଟଣା ସ୍ଥିତ ଗୋଟିଏ ଡାକ୍ତରଖାନାରେ ରେବୀଜ କକ୍ଷ୍ୟରେ ଭର୍ତ୍ତି କରି ଦିଆଯାଇଥିଲା କିନ୍ତୁ ସେଠାରେ ତାର ଭଲ ଉପଚାର ନହେବାରୁ ପରିବାର ଲୋକ ନୀଳକଣ୍ଠକୁ ବଲାଙ୍ଗିର ନେଇକିଯିବାକୁ ମାଲିକକୁ ଗୁହାରି କରିଥିଲେ କିନ୍ତୁ ନିଷ୍ଠୁର ମାଲିକ କିଛି ଶୁଣିନଥିଲା । ଫଳରେ ବିଶାଖାପାଟଣା ଡାକ୍ତରଖାନାରେ ନୀଳକଣ୍ଠର ମୃତ୍ୟୁ ହୋଇଥିଲା । ମାଲିକ ପରିବାର ଲୋକଙ୍କୁ ମାତ୍ର ୭୦୦୦ ଟଙ୍କା ଦେଇ ମୃତ ଶରୀରକୁ ଘରକୁ ପଠାଇ ଦେଇଥିବା ପରିବାରଲୋକ କହିଛନ୍ତି । ଏନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍‌ ଉଠାଇନଥିବା ବେଳେ ଆସିଷ୍ଟାଣ୍ଟ ଶ୍ରମ ଅଧିକାରୀ ନାଟି ମେଡମ୍‌ଙ୍କୁ ପଚାରିବାରୁ ସେ କହିଥିଲେ ଆପଣ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ କଥା ହୁଅନ୍ତୁ । ଏନେଇ ପାଟଣାଗଡ଼ ଉପଜିଲ୍ଲାପାଳ ଅମିତ ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯଦି ଶ୍ରମିକଟି ତାର ନାମ ଶ୍ରମ ବିଭାଗରେ ପଞ୍ଜିକୃତ କରିଛି ତାହେଲେ ତାଙ୍କ ପରିବାରକୁ ସରକାର ତରଫରୁ କିଛି ସାହାର୍ଯ୍ୟ ମିଳିବ । ତଥାପି ତାଙ୍କୁ ରେଡ୍‌କ୍ରସ୍‌ ପାଣ୍ଠିରୁ କିଛି ସାହାର୍ଯ୍ୟ ଦିଆଯିବ ବୋଲି କହିଥିଲେ । ସୂଚନାଯୋଗ୍ୟ ଯେ, ଗତ ଗୋଟିଏ ମାସ ମଧ୍ୟରେ ବଲାଙ୍ଗିର ଜିଲ୍ଲାରେ ବହୁ ଦାଦନ ଶ୍ରମିକଙ୍କ ମୃତ୍ୟୁ ହେଇ ସାରିଲାଣି । କିନ୍ତୁ ଶ୍ରମ ବିଭାଗ ଏଥିପ୍ରତି ନିରବ ଦର୍ଶକ । ଦିନକୁ ଦିନ ଦାଦନ ସମସ୍ୟା ଜଟିଳ ହେଉଥିବା ବେଳେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁଁ କେତେବେଳେ ଶ୍ରମିକ ହାତ ଗୋଡ କାଟି ହେଇ ନିର୍ଯ୍ୟାତିତ ହେଇ ଫେରୁଛି ତ ପୁଣି କେତେବେଳେ ଶବ ହେଇ ଫେରୁଛି । ପୁଣି କାହାର ଭାଗ୍ୟରେ ଗାଁ ମାଟି ଜୁଟି ପାରୁନାହିଁ । ଅନ୍ୟ କେହି ସବୁଦିନ ପାଇଁ ନିଖୋଜ ହୋଇଯାଉଛି । ଦାଦନ ସମସ୍ୟାର ସମାଧାନ ପାଇଁ ନା ପ୍ରଶାସନ ଅଥବା ଜନ ପ୍ରତିନିଧ କେହି ମଧ୍ୟ ସଠିକ ପଦକ୍ଷେପ ନେଉନଥିବାରୁ ଦିନକୁ ଦିନ ମାନବ ଚାଲାଣ ବୃଦ୍ଧି ପାଉଛି । ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଦାଦନ ସମସ୍ୟା ଆହୁରି ଜଟିଳ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

jay balangir
Leave A Reply

Your email address will not be published.

eleven − 7 =

error: Content is protected !!