୩ଟି ପଞ୍ଚାୟତ ବୁଲି ବିଜୁସ୍ୱାସ୍ଥ୍ୟ ବୀମା କାର୍ଡ ବାଣ୍ଟିଲେ ରୁଦ୍ରପ୍ରତାପ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଖେଲାଉର, ଅରିଶଲ ଓ ସୁଜନପୁର ଆଦି ୩ଟି ପଞ୍ଚାୟତ ଗସ୍ତ କରି ସୋମବାର ଦିନ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ହିତାଧିକାରୀମାନଙ୍କୁ ବିଜୁସ୍ୱାସ୍ଥ୍ୟ ବୀମାକାର୍ଡ ବିତରଣ କରିଛନ୍ତି । ସମସ୍ତଙ୍କୁ ସ୍ୱାସ୍ଥ୍ୟ ବୀମା ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ଏହି ଯୋଜନାରେ ଡେଲାଙ୍ଗ ବ୍ଲକର ୨୯,୯୪୬ ପରିବାରର ପ୍ରାୟ ୧ଲକ୍ଷ ୪ ହଜାର ବ୍ୟକ୍ତି ଉପକୃତ ହେବେ ବୋଲି ବିଧାୟକ ଶ୍ରୀ ମହାରଥୀ କହିଥିଲେ । ଏହି ଅବସରରେ ସୁଜନପୁର ପଞ୍ଚାୟତର ପଟଣପୁର କଲ୍ୟାଣ ମଣ୍ଡପ ଓ କଅଁଳପଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ମାର୍ଟକାର୍ଡ ବଣ୍ଟନ ମେଳାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜୁନିୟର ମହାରଥୀ ଯୋଗଦେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ ଜଣ ହିତାଧିକାରୀଙ୍କୁ ବିଜୁସ୍ୱାସ୍ଥ୍ୟ ବୀମା କାର୍ଡ ବିତରଣ କରିଥିଲେ । ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି କବିନ୍ଦ୍ର ବଳବନ୍ତରାୟ, ମିଶନଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ, ବିଜେଡି ଯୁବ ନେତା କିଶୋର ଛୋଟରାୟ ପ୍ରମୁଖ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । ପର୍ଯ୍ୟାୟକ୍ରମେ ସମସ୍ତ ପରିବାରକୁ ଏହି ସ୍ୱାସ୍ଥ୍ୟସେବା ଉପଲବ୍ଧ ହେବ ବୋଲି ବିଡ଼ିଓ ଶ୍ରୀ ଷଡ଼ଙ୍ଗୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ହିତାଧିକାରୀ, ପଞ୍ଚାୟତିରାଜ ପ୍ରତିନିଧି ଓ ଗ୍ରାମବାସୀ ଯୋଗଦେଇ ନବ ନିର୍ବାଚିତ ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପାଲା ଗାୟିକା ବୀଣାପାଣି ପଣ୍ଡା ଓ ସାଥୀ ବିଜୁସ୍ୱାସ୍ଥ୍ୟ ବୀମା ସମ୍ପର୍କରେ ପାଲା ପରିବେଷଣ ମାଧ୍ୟମରେ ଲୋକଙ୍କୁ ଅବଗତ କରିଥିଲେ । ଏହି ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ବିପିନି ବିହାରୀ ନରେନ୍ଦ୍ର, ବିଭୂତି ଭୂଷଣ ପାଇକରାୟ, ପୂର୍ଣ୍ଣଚନ୍ଦ୍ର ଦାଶ, ବନିତା ଦାଶ, ଗ୍ରାମ ରୋଜଗାର ସେବକ ଜ୍ୟୋତିରଞ୍ଜନ ରାୟ, ଅଙ୍ଗନବାଡି କର୍ମୀ ତୃପ୍ତିମୟୀ ପଟ୍ଟନାୟକ, ଶାନ୍ତିଲତା ସାମନ୍ତସିଂହାର, ପୂର୍ବତନ ୱାର୍ଡ଼ସଭ୍ୟ ପ୍ରକାଶ କୁମାର ସାମନ୍ତସିଂହାର, ମହନ୍ତ ନିଶଙ୍କ ପ୍ରମୁଖ ସହଯୋଗ କରିଥିଲେ । ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ କୁମାର ରାଉତରାୟ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

2 × five =

error: Content is protected !!