ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଂଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ବେଳପଡା ଗାଁ ନିବାସୀ ପବିତ୍ର ମେହେରଙ୍କ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ବଲାଙ୍ଗିର କୋଭିଡ ହସପିଟାଲ ରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟପୁର ସ୍ଥିତ ନାରାୟଣ ହସପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ମାନଙ୍କ ସମସ୍ତ ଚେଷ୍ଟା ସତ୍ୱେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଗତ ୨୦୧୧ ମସିହାରୁ ଶିକ୍ଷକତା କରୁଥିଲେ । ପରିବାରରେ ତାଙ୍କର ସ୍ତ୍ରୀ ସହ ୩ ଝିଅ ଏବଂ ଗୋଟିଏ ପୁତ୍ର ସନ୍ତାନ ଓ ବୃଦ୍ଧ ପିତା ମାତା ଅଛନ୍ତି । ପରିବାରରେ ସେ ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ତେଣୁ ତାଙ୍କ ବିୟୋଗରେ ସାରା ପରିବାର ଭାଙ୍ଗି ପଡିଛନ୍ତି । ସେ ଏକାଧାରରେ ଜଣେ ସୁଶିକ୍ଷିତ, ଲେଖକ, କଣ୍ଠଶିଳ୍ପୀ ତଥା ଉତ୍ତମ ସଂଗଠକ ଭାବେ ଅଂଚଳରେ ପରିଚିତ ଥିଲେ । ତାଙ୍କର ବିୟୋଗରେ ବେଳପଡା ପଂଚାୟତ ସରପଂଚ ଅଞ୍ଜନା ମେହେରଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି କୋଷରାଜ ବେହେରା, ସମ୍ପାଦକ ଜୟନ୍ତୀଲାଲ ସାହୁ ଏବଂ ସମସ୍ତ କର୍ମକର୍ତ୍ତା ମାନେ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି ନିମ୍ନତେ ପ୍ରାର୍ଥନା କରିଛନ୍ତି । ଶିକ୍ଷା ବିଭାଗ ତରଫରୁ ତାଙ୍କ ପରିବାରର ଜଣକୁ ସରକାରୀ ଚାକିରୀ ସହିତ ସମସ୍ତ ସରକାରୀ ସୁବିଧା ସୁଯୋଗ ପ୍ରଦାନ ପାଇଁ ସଂଘ ତରଫରୁ ଦୃଢ ଦାବୀ କରିଛନ୍ତି । ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।