ବିଦ୍ୟାଳୟରେ ମକ୍‌ ବିଧାନସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ପିଏମ୍‌ ଶ୍ରୀ ବିଶ୍ୱନାଥ ଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ, ଗଡ଼ମୋଟରୀରେ ଏକ ନକଲି ବିଧାନସଭା ପରିଚାଳନା ପ୍ରଧାନ ଶିକ୍ଷକ ପର୍ଶୁରାମ ଜେନାଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇଯାଇଛି । ବିଧାନସଭା କେଉଁଭଳି ଭାବେ ପରିଚାଳନା କରାଯାଏ, ତାହାକୁ ପିଲାମାନଙ୍କ ମଧ୍ୟରେ ଶିକ୍ଷା ଦେବା ପାଇଁ ଅଭିନବ ଉପାୟରେ ବିଦ୍ୟାପୀଠର ଛାତ୍ରଛାତ୍ରୀ ନେଇ ବିଧାନସଭା ସଦସ୍ୟ, କ୍ୟାବିନେଟ ମନ୍ତ୍ରୀମଣ୍ଡଳ, ବିରୋଧୀ ଦଳ ସଦସ୍ୟଙ୍କୁ ନେଇ ଏକ ନକଲି ବିଧାନସଭା ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ବିଧାନସଭା କାର୍ଯ୍ୟସୂଚୀ ଅନୁଯାୟୀ ଏଥିରେ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ବିରୋଧୀ ଦଳ ନେତା ଓ ବିଧାୟକମାନେ ଉପସ୍ଥିତ ରହିଥିବା ବେଳେ ବିଧାନସଭା ଚାଲିଥିଲା । ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ପଂଚାୟତ, ଗୃହ ଓ ଶ୍ରମ ବିଭାଗର କିଛି ପ୍ରଶ୍ନକାଳ ରହିଥିଲା । ବିରୋଧ ଶାସକ ମଧ୍ୟରେ ହଟଗୋଳ ଯୋଗୁଁ ବାଚସ୍ପତି କିଛି ସମୟ ପାଇଁ ଗୃହକୁ ମୁଲତବୀ ରଖିଥିଲେ । ତାପରେ ବିଭିନ୍ନ ସମସ୍ୟା ଆଲୋଚନା ହେବା ସହ ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ ଆଗତ କରିଥିଲେ । ଶାସକ ଦଳ ବିରୋଧୀଙ୍କୁ ମୁକାବିଲା ପାଇଁ କାଉଣ୍ଟର ରଣନୀତି କରିଥିଲେ । ବିଧାନସଭାକୁ ସୁରୁଖୁରୁରେ ଚାଲିବା ପାଇଁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡିଥିଲେ । ଏହି ପରି ଭାବରେ ଛାତ୍ରଛାତ୍ରୀମାନେ ନିଖୁଣ ଅଭିନୟ ମାଧ୍ୟମରେ ଏହି ନକଲି ବିଧାନସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା, ରଞ୍ଜିତ ସେଠୀ, ପ୍ରତାପ ସବର, ଦିବାକର ସେଠୀ, ମାନସ ରଞ୍ଜନ ସାହୁ, ଅନନ୍ୟା ସାମଲ,ଶୁଭ ରଥ ସରୋଜିନୀ ଦାସ, ସରିତା ମିଶ୍ର ପ୍ରମୁଖ ସହୋଯୋଗ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶୁସ୍ରୀ‌ ସଂଗୀତା ବଳବନ୍ତରାୟ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରି ବୈଠକକୁ ପରିଚାଳନା କରିଥିଲେ । ସଭା ଶେଷରେ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.