centurian jitm

ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସଦ୍ୟ ପ୍ରକାଶ ପାଇଥିବା ସିବିଏସ୍‌ଇ ୨୦୨୫ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ବ୍ଲକ ସଦର ମହକୁମାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରୁ ଚଳିତ ବର୍ଷ ଦଶମ ଶ୍ରେଣୀରେ ମୋଟ ୭୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିରୁ ମୋଟ ୬୨ଜଣ କୃତକାର୍ଯ୍ୟ ହୋଇଥିବାବେଳେ ୧୦ଜଣ କମ୍ପର୍ଟମେଣ୍ଟାଲ ପାଇଛନ୍ତି । ବିଦ୍ୟାଳୟର ଛାତ୍ର ମଳୟ କୁମାର ନାଗ ମୋଟ ୯୫.୨% ପ୍ରତିଶତ ନମ୍ବର ସହିତ ପ୍ରଥମ ସ୍ଥାନ ଲାଭ କରିଥିବା ବେଳେ ଛାତ୍ରୀ ନିହାରିକା ବନଛୋର ୯୪.୬% ପ୍ରତିଶତ ସହ ଦ୍ଵିତୀୟ ଏବଂ ଛାତ୍ର ଓଁକାର ଚରଣ କମ୍ପ ୯୪.୪ % ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନରେ ରହି ବିଦ୍ୟାଳୟର ନାମକୁ ଆଲୋକିତ କରିଛନ୍ତି । ସେହିପରି ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ମଧ୍ୟ ଛାତ୍ରଛାତ୍ରୀ ଆଶାନୁରୂପ ପ୍ରଦର୍ଶନ କରିଛନ୍ତି । ବିଦ୍ୟାଳୟର ଛାତ୍ର ସମାୟୁଷ ବାଗ ମୋଟ ୮୬.୮ % ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଲାଭ କରିଥିବା ବେଳେ ଛାତ୍ରୀ ସଂଯୁକ୍ତା କୁଅଁର ଦ୍ଵିତୀୟ ଓ ଛାତ୍ର ଅଭିଷେକ ବଡ଼ଜେନା ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ସମସ୍ତ ଛାତ୍ରଛାତ୍ରୀଙ୍କ ଅଭୁତପୂର୍ବ ସଫଳତା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଠିକ ମାର୍ଗଦର୍ଶନ ସହିତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଓ ଅଭିଭାବକମାନଙ୍କ ସୁ-ସମନ୍ୱୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.