ମାଟ୍ରିକ ପରୀକ୍ଷାରେ ସୋରଡା ବିଧାୟକଙ୍କ ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ କଟକ ଦ୍ୱାରା ପରିଚାଳିତ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଗଞ୍ଜାମ ଜିଲ୍ଲାର ସୋରଡ଼ା ବିଧାୟକ ଭାବେ ହେଟ୍ରିକ ଗୌରବ ଆଣିଥିବା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ହାସଲ ହେବାରେ ସହାୟକ ହୋଇଛି । ବିଧାୟକ ପୂର୍ଣ୍ଣ ବାବୁ ପୂର୍ବରୁ ମାଟ୍ରିକ ପାସ କରିନଥିଲେ, ଯାହାକି ସେ ଚଳିତବର୍ଷ ଅଫଳାଇନ୍‌ରେ ମାଟ୍ରିକ ପରୀକ୍ଷା ଦେଇଥିବା ବିଷୟ ରାଜ୍ୟରେ ଏକ ଚର୍ଚ୍ଚିତ ବିଷୟ ହୋଇଥିଲା । ସେ ପରୀକ୍ଷାରେ ଫୁଲ ମାର୍କ ୫୦୦ରୁ ୩୪୦ ନମ୍ବର ରଖିଥିବା ବେଳେ ତାଙ୍କୁ ବି୨ ଗ୍ରେଡ୍‌ ମିଳିଛି । ଇଂରାଜୀରେ ବିଧାୟକ ୧୦୦ରୁ ୪୪ ରଖିଛନ୍ତି । ସେହିଭଳି ଓଡ଼ିଆରେ ୧୦୦ରୁ ୬୭, ସାମାଜିକ ବିଜ୍ଞାନରେ ୧୦୦ରୁ ୬୧, ହୋମ୍‌ ସାଇନ୍ସରେ ୧୦୦ରୁ ୮୩, ଚିତ୍ରାଙ୍କନରେ ୧୦୦ରୁ ୮୫ ମାର୍କ ରଖିଥିବା ଜଣାପଡ଼ିଛି ।

ପ୍ରକାଶ ଯେ, ତିନି ଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ଅନେକ ଥର ମାଟ୍ରିକ ପରୀକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ ହେଁ ସୁଯୋଗ ପାଇ ନ ଥିଲେ । ଚଳିତ ଥର କରୋନା ପାଇଁ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଥିଲା । ଏହାଛଡ଼ା ପରୀକ୍ଷା ଫଳରେ ଅସନ୍ତୁଷ୍ଠ ପରୀକ୍ଷାର୍ଥୀଙ୍କ ପାଇଁ ଅଫ୍‌ଲାଇନ୍‌ ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା । ବିଧାୟକ ସେହି ପରୀକ୍ଷା ଦେଇଥିଲେ । ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କ ଆଇସୋଲେଶନ ଓ୍ବାର୍ଡରେ ସ୍ୱତନ୍ତ୍ର ସୁବିଧାରେ ବସି ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲା । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେ ଖୁସିବ୍ୟକ୍ତ କରିଛନ୍ତି ଏବଂ ତାଙ୍କ ସହଯୋଗୀଙ୍କ ମହଲରେ ଖୁସିର ବାତାବରଣ ଆସିଯାଇଛି ।

Leave A Reply

Your email address will not be published.