pakka

ଆଜି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ହେଉଛି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ । ପ୍ରତିବର୍ଷ ଜାନୁୟାରୀ ମାସ ୧୨ ତାରିଖକୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଭାବରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ପାଳନ କରାଯାଏ । ଏହି ଦିନ ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତିଚାରଣ କରାଯାଇଥାଏ । ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ଜାଣିବା ।

ସ୍ୱାମୀ ବିବେକାନନ୍ଦ ୧୮୬୩ ମସିହା ଜାନୁୟାରୀ ୧୨ ତାରିଖରେ କଲିକତାର ସିମିଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ର ରୂପେ ଜନ୍ମଗ୍ରହଣ କରିଥିଲେ । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ଏକ ମାତ୍ର ଆକାଂକ୍ଷା ଥିଲା ଭଗବତ ଦର୍ଶନ । ସେ ପାଠପଢ଼ିବା ସମୟରେ ବ୍ରାହ୍ମସମାଜଭୁତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ଭଗବାନଙ୍କୁ ଆନ୍ତରିକ ଦର୍ଶନ କରିବାକୁ ଚାହୁଁଥିବା ବଳିଷ୍ଠ ଦେହ ଓ ଦୃଢମନର ଅଧିକାରୀ ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ପରମହଂସଙ୍କୁ ଗୁରୁ ରୁପେ ବରଣ କରିଥିଲେ । ରାମକୃଷ୍ଣ ନିଜର ମହାନ ଭାବାଦର୍ଶ ପ୍ରସାର କାର୍ଯ୍ୟ ବିବେକାନନ୍ଦଙ୍କ ଦ୍ୱାରା ସମ୍ପାଦିତ କରାଇଥିଲେ । ଗୌରବମୟ ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଭାରତର ଜନସାଧାରଣଙ୍କର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ବ୍ୟଥିତ କରିଥିଲା । ମାତ୍ର ୨୬ ବର୍ଷ ବୟସରେ ସେ ସନ୍ନ୍ୟାସୀ ହୋଇଥିଲେ ଓ ତା’ ପରେ ପାଶ୍ଚାତ୍ୟ ଭ୍ରମଣ କରି ସଂପୂର୍ଣ୍ଣ ବିଶ୍ୱରେ ହିନ୍ଦୁ ଧର୍ମ ଓ ବେଦାନ୍ତର ପ୍ରଚାର ଓ ପ୍ରସାର କରିଥିଲେ । ସ୍ୱାମୀ ବିବେକାନନ୍ଦ ବେଦାନ୍ତର ଜଣେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ । ସନାତନ (ହିନ୍ଦୁ) ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ । ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣ ଦେଇ ଇତିହାସ ରଚନା କରିଥିଲେ ।

ବାଲ୍ୟ ଜୀବନ :
ସ୍ୱାମୀ ବିବେକାନନ୍ଦ କାଶୀର ବୀରେଶ୍ୱର ଶିବଙ୍କର ପ୍ରସନ୍ନତାରୁ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କ କୋଳମଣ୍ଡନ କରିଥିଲେ । ତେଣୁ ତାଙ୍କ ନାମ ରଖାହେଲା ବୀରେଶ୍ୱର-ଡାକନାମ ‘ବିଲେ’ । ଅନ୍ନପ୍ରାଶନ ସମୟରେ ନାମ ଦିଆଗଲା ନରେନ୍ଦ୍ରନାଥ ।

ଶୈଶବରେ ବିଲେ ବଡ଼ ଅଶାନ୍ତ ଥିଲେ । ଭୁବନେଶ୍ୱରୀ ଦେବୀ ଦୁଃଖ କରି କହୁଥିଲେ, ‘ଶିବଙ୍କୁ ଗୋଟିଏ ପୁଅ ମାଗିଥିଲି, ସେ ଗୋଟିଏ ଭୂତ ପଠାଇ ଦେଲେ ।’ ମା’ଙ୍କଠାରୁ ରାମାୟଣ ମହାଭାରତ ଗଳ୍ପ ଶୁଣିବା ମାଧ୍ୟମରେ ବିଲେଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହେଲା । ରାମସୀତାଙ୍କର ମୂର୍ତ୍ତିକୁ ପୁଷ୍ପମାଲ୍ୟରେ ସଜ୍ଜିତ କରିବାକୁ ବିଲେ ଖୁବ୍‌ ଭଲ ପାଉଥିଲେ । ସାଙ୍ଗ ସାଥୀମାନଙ୍କୁ ନେଇ ଶିବମୂର୍ତ୍ତି ସମ୍ମୁଖରେ ବସି ଧ୍ୟାନ କରିବା ଥିଲା ବିଲେଙ୍କ ଅନ୍ୟତମ ପ୍ରିୟ ଖେଳ । ଦିନେ ଛାତଘରେ ଏହି ଧ୍ୟାନର ଖେଳ ଚାଲିଛି, ଏପରି ସମୟରେ ଗୋଟିଏ ଗୋଖର ସାପ ସେଠାରେ ଦେଖାଗଲା । ସଙ୍ଗୀମାନେ ସମସ୍ତେ ଦୌଡ଼ି ପଳାଇଲେ । କିନ୍ତୁ ବିଲେ ଗଭୀର ଧ୍ୟାନମଗ୍ନ । ଚାରିଆଡେ଼ ଚହଳ ପଡ଼ିଗଲା । ସାପଟି ଚାଲିଯିବା ପରେ ଧ୍ୟାନସ୍ଥ ବିଲେଙ୍କୁ କୋଳ କରି ବାହାରକୁ ଅଣାଗଲା । ପରେ ପଚାରିବାରୁ ବିଲେ କହିଲେ, ‘ମୁଁ ତ କିଛି ଜାଣିନି ।’

ଗରିବ ଦୁଃଖୀ ଓ ସାଧୁ ଫକିରଙ୍କ ଉପରେ ବିଲେଙ୍କ ଖୁବ୍‌ ଦରଦ ଥିଲା । ଭିକ୍ଷା ପାଇଁ କେହି ଆସିଲେ ସେ ଚାଉଳ ଡାଲି, ପଇସା, କଉଡ଼ି ଯାହା ପାଉଥିଲେ ତାହା ଆଣି ଦେଇ ଦେଉଥିଲେ, ଆଉ କିଛି ନ ପାଇଲେ ନିଜର ପିନ୍ଧାଲୁଗା ଖଣ୍ଡିକ ଖୋଲି ଦେଇ ଦେଉଥିଲେ । ସର୍ବହରାମାନଙ୍କ ମୁହଁରେ ହସ ଦେଖି ତା’ର ପ୍ରାଣ ଅପରିସୀମ ତୃପ୍ତିରେ ଭରି ଉଠେ । ଜାତିଭେଦ ସମ୍ବନ୍ଧରେ ବାଳକ ନରେନଙ୍କ ବିଶେଷ କୌତୁହଳ । ବାପାଙ୍କ ବୈଠକଖାନାରେ ବିଭିନ୍ନ ଜାତିର ମହକିଲମାନଙ୍କର ଅଲଗା ଅଲଗା ହୁକ୍‌କାରେ ମୁହଁ ଲଗାଇ ଟାଣି ଟାଣି ଦେଖେ-ଜାତି କିପରି ଯାଏ । ଜଣେ ମୁସଲମାନ ମହକିଲ ଥରେ ଆଦର କରି ନରେନଙ୍କୁ ଭଲ ଭଲ ସନ୍ଦେଶ ଖୁଆଇ ଦେଲେ । ମା’ ତାହା ଦେଖି କହିଲେ, ‘ଅନ୍ୟ ଜାତିର ଛୁଆଁ ଖାଇଲେ ଜାତି ଯାଏ ।’ କିନ୍ତୁ ଜାତି କିପରି ଯାଏ, ତାହା ହିଁ ହେଲା ନରେନଙ୍କ ଚିନ୍ତାର ବିଷୟ ।

ଛ’ ବର୍ଷ ବୟସରେ ସ୍କୁଲରେ ନରେନ୍ଦ୍ରଙ୍କର ନାମ ଲେଖା ହେଲା, କିନ୍ତୁ ସେ ଇଂରାଜୀ ପଢ଼ିବାକୁ ରାଜି ହେଲେ ନାହିଁ । ‘ସେ ତ ବିଦେଶୀ ଭାଷା, କାହିଁକି ପଢ଼ିବି? ତା’ଠାରୁ ମାତୃଭାଷା ତ ଶିଖିବା ଭଲ ।’- ଏହା ଥିଲା ତାଙ୍କର କଥା । ଅନେକ ବୁଝାଇବା ପରେ କିଛି ମାସ ପରେ ନରେନ୍ଦ୍ର ଇଂରାଜୀ ପଢ଼ିବାକୁ ଆରମ୍ଭ କଲେ । ପ୍ରଖର ମେଧା, ଅଦ୍ଭୁତ ଧୀଶକ୍ତି ନେଇ ସେ ଜନ୍ମଗ୍ରହଣ କରିଥିଲେ । ଥରେ ଯାହା ପଢ଼ୁଥିଲେ କେବେ ତାହା ଭୁଲୁ ନ ଥିଲେ । ସ୍କୁଲର ପାଠ୍ୟ-ପ୍ରସ୍ତୁତି ପାଇଁ ତାଙ୍କୁ ଅତି ଅଳ୍ପ ସମୟ ଲାଗୁଥିଲା । ବାକି ସମୟତକ ଖେଳାଖେଳି, କୁସ୍ତି, ଆଖଡ଼ା, ପହଁରିବା ବା ଅଭିନୟ କରିବାରେ କିମ୍ବା କଳକବ୍‌ଜା ତିଆରି ଇତ୍ୟାଦିରେ କଟି ଯାଉଥିଲା । ନରେନ୍ଦ୍ର ଖୁବ୍‌ ଏକଜିଦିଆ ଓ ଦୁଷ୍ଟ ଥିଲେ । ଭୂତଭୟ, ବ୍ରହ୍ମଦୈତ୍ୟ ଭୟ, କୋକବାୟା ଭୟ ଏସବୁକୁ ହସିରେ ଉଡ଼ାଇ ଦେଉଥିଲେ । ଆମେରିକାରୁ ଫେରିବା ପରେ ବିବେକାନନ୍ଦ ଦିନେ ଶିଷ୍ୟମାନଙ୍କୁ ହସି ହସି କହିଥିଲେ, ‘ପିଲାଦିନେ ମୁଁ ଖୁବ୍‌ ଦୁଷ୍ଟ ଥିଲି । ତା’ ନ ହେଲେ ଏହି ଭାବରେ ଦୁନିଆ ସାରା ମୁଁ କ’ଣ ଘୂରିଆସି ପାରିଥାନ୍ତି କିରେ?’ ବାଲ୍ୟକାଳରୁ ନରେନ୍ଦ୍ରଙ୍କର ସ୍ୱଭାବ ଥିଲା ଅତିଶୟ ନିର୍ମଳ । ପଢ଼ାପଢ଼ିରେ ତାଙ୍କର ବିଶେଷ ଅନୁରାଗ ଥିଲା । ସ୍କୁଲ ପାଠ୍ୟ ଛଡ଼ା ନାନା ବିଷୟ ପଢ଼ିବାକୁ ସେ ଭଲ ପାଉଥିଲେ । ତାଙ୍କର ଜ୍ଞାନାର୍ଜନ ସ୍ପୃହା ଓ ଧାରଣାଶକ୍ତି ଅତି ଅଦ୍ଭୁତ ଥିଲା । ଏଣ୍ଟ୍ରାନ୍‌ସ ପାସ୍‌ କରିବା ପୂର୍ବରୁ ସମୁଦାୟ ଭାରତର ଇତିହାସ ସେ ଆୟତ୍ତ କରିଥିଲେ । ସାହିତ୍ୟରେ ମଧ୍ୟ ତାଙ୍କର ବିଶେଷ ପ୍ରୀତି ଥିଲା ।

୧୭ ବର୍ଷ ବୟସରେ ସେ ପ୍ରଥମ ଶ୍ରେଣୀରେ ଏଣ୍ଟ୍ରାନ୍‌ସ ପାସ୍‌ କଲେ । ପରେ ବର୍ଷେ ମାତ୍ର ପ୍ରେସିଡେ଼ନ୍‌ସି କଲେଜ୍‌ରେ ପଢ଼ି ନିକଟବର୍ତ୍ତୀ ଜେନେରାଲ୍‌ ଆସେମ୍ବ୍ଲିଜ୍‌ ଇନ୍‌ଷ୍ଟିଟ୍ୟିସନ୍‌ରେ ସ୍ନାତକ ଜୀବନର ବାକି ତିନିବର୍ଷ ଅଧ୍ୟୟନ କରିଥିଲେ ।କଲେଜ୍‌ରେ ପ୍ରବେଶ କରି ନରେନ୍ଦ୍ରଙ୍କର ଜ୍ଞାନସ୍ପୃହା ବଢ଼ିଗଲା । ସେ ପାଶ୍ଚାତ୍ୟ ଦର୍ଶନ, ନ୍ୟାୟଶାସ୍ତ୍ର, ବୈଜ୍ଞାନିକ ଆବିଷ୍କାର ଓ ଦେଶ ବିଦେଶର ଇତିହାସ ପ୍ରଭୃତି ବିଶେଷ ଆଗ୍ରହ ସହକାରେ ପଢ଼ିବାକୁ ଲାଗିଲେ । ଶରୀର ଚର୍ଚ୍ଚା ଏବଂ ସଙ୍ଗୀତରେ ମଧ୍ୟ ତାଙ୍କର ବିଶେଷ ଉତ୍ସାହ ଥିଲା । ଗଳିରେ ନବଗୋପାଳ ମିତ୍ରଙ୍କ ଆଖଡ଼ାରେ ନିୟମିତ କୁସ୍ତି, ଲାଠିଖେଳ ପ୍ରଭୃତି ଅଭ୍ୟାସ କରୁଥିଲେ । ତାଙ୍କର ପିତା ଓସ୍ତାଦ୍‌ ରଖି ତାଙ୍କୁ ଗୀତବାଦ୍ୟ ଶିଖାଇବାର ବ୍ୟବସ୍ଥା କରିଥିଲେ । ମୋଟ ଉପରେ ପଢ଼ାପଢ଼ି, ଗାଇବା, ବଜାଇବା, କହିବା, ଦେଖିବା, ଶୁଣିବା ସବୁଥିରେ ନରେନ୍ଦ୍ର ଅଦ୍ୱିତୀୟ ଥିଲେ । ଏହି ସୁଦର୍ଶନ ବଳିଷ୍ଠ ଓ ନାନା ଗୁଣାନ୍ୱିତ କିଶୋର କ୍ରମେ ସର୍ବଜନ ପ୍ରିୟ ହୋଇ ଉଠିଲେ ।

କଲେଜ୍‌ରେ ପ୍ରବେଶ କରିବା ସଂଗେ ସଂଗେ ନରେନ୍ଦ୍ରଙ୍କ ଅନ୍ତରରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ତାଙ୍କର ତରୁଣ ମନରେ ଶତ ଶତ ଆଲୋଡ଼ନ ସୃଷ୍ଟି ହେଲା । ଈଶ୍ୱର ଅଛନ୍ତି କି? ଯଦି ଅଛନ୍ତି, ସେ କେଉଁଠି ? ତାଙ୍କୁ କ’ଣ ଦେଖି ହୁଏ? ଜଗତରେ ଏତେ ଦୁଃଖ, ଏତେ ଅନ୍ୟାୟ, ଅବିଚାର କାହିଁକି? ଜଗତ୍‌ପତି ଭଗବାନ କ’ଣ ଦୟାମୟ, ନା’ ନିଷ୍ଠୁର? କଲିକତାର ବ୍ରାହ୍ମସମାଜ ସେତେବେଳେ ଧର୍ମପିପାସୁ ଶିକ୍ଷିତ ସମାଜ ଉପରେ ବିଶେଷ ପ୍ରଭାବ ବିସ୍ତାର କରିଥାଆନ୍ତି । ଯୁବକ ନରେନ୍ଦ୍ର ଏଫ୍‌. ଏ. ପଢ଼ିବା ସମୟରେ ବ୍ରାହ୍ମସମାଜଭୁକ୍ତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ତାଙ୍କ ମଧୁର କଣ୍ଠରେ ପ୍ରାର୍ଥନା ସଙ୍ଗୀତ ଶୁଣି ସମସ୍ତେ ମୁଗ୍‌ଧ ହେଉଥିଲେ । କିନ୍ତୁ ବ୍ରାହ୍ମସମାଜ ତାଙ୍କ ଅନ୍ତରର ଧର୍ମପିପାସା ମେଣ୍ଟାଇ ପାରିନଥିଲା । କ୍ରମେ ସେ ଦେଖିଲେ ଯେ ବ୍ରାହ୍ମସମାଜ ଗୋଟିଏ ସମାଜ-ସଂସ୍କାରକ ପ୍ରତିଷ୍ଠାନ ମାତ୍ର । ତାଙ୍କର ଏକମାତ୍ର ଆକାଂକ୍ଷା ଭଗବତ୍‌-ଦର୍ଶନ । ସେ ସବୁ ଧର୍ମ ଯାଜକଙ୍କୁ ପଚାରୁଥିଲେ ଯେ, ଆପଣ ଈଶ୍ୱରଙ୍କୁ ଦର୍ଶନ କରିଛନ୍ତି କି? କେହି ଏ ପ୍ରଶ୍ନର ଉତ୍ତର ଦେଇପାରୁ ନଥିଲେ । ନରେନ୍ଦ୍ରନାଥ ଏଥିରେ ଅଧିକ କୌତୁହଳୀ ହୋଇ ଗଭୀରତର ସାଧନାରେ ମଗ୍ନ ହେଲେ । ରାତି ପରେ ରାତି ଧ୍ୟାନରେ ବିତିବାକୁ ଲାଗିଲା ।

ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଭାରତର ଅନେକ ସ୍ୱାଧୀନତା ସଂଗ୍ରାମୀ ପ୍ରଭାବିତ ହୋଇଥିଲେ । ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ, ରାଜଗୋପାଳଚାରୀ, ବାଳ ଗଙ୍ଗାଧର ତିଳକ, ରବୀନ୍ଦ୍ରନାଥ ଠାକୁର ଆଦି ପ୍ରଭାବଶାଳୀ ବ୍ୟକ୍ତିମାନେ ସ୍ୱାମୀ ବିବେକାନନ୍ଦଙ୍କୁ ଆଦର୍ଶ ହିସାବରେ ମାନୁଥିଲେ । ସୁଭାଷ ଚନ୍ଦ୍ର ବୋଷ କହିଥିଲେ – “ଯଦି ସ୍ୱାମୀ ବିବେକାନନ୍ଦ ଆଜି ବଞ୍ଚିଥାନ୍ତେ, ତେବେ ମୁଁ ତାଙ୍କ ପାଦତଳେ ବସି ଶିକ୍ଷାଲାଭ କରିଥାନ୍ତି । ସ୍ୱାମୀ ବିବେକାନନ୍ଦ ହିଁ ଭାରତୀୟ ଯୁବକ ମାନଙ୍କ ପାଇଁ ପ୍ରେରଣାର ଉତ୍ସ । ସେଥିପାଇଁ ଭାରତ ସରକାର ସ୍ୱାମୀଜୀଙ୍କ ଜନ୍ମଦିନ ଜାନୁଆରୀ ୧୨ ତାରିଖକୁ ‘ଜାତୀୟ ଯୁବ ଦିବସ’ ଭାବରେ ପାଳନ କରି ଆସୁଛନ୍ତି । କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ସ୍ୱାମୀଜୀଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ନୋବେଲ ପୁରସ୍କାର ପ୍ରାପ୍ତ ରୋମାଁ ରୋଲା, ଦାର୍ଶନିକ ମାକ୍ସ ମୁଲ୍ଲାର, ବୈଜ୍ଞାନିକ ଟେସଲା ଆଦି ବ୍ୟକ୍ତିମାନେ ସ୍ୱାମୀଜୀଙ୍କ ବ୍ୟକ୍ତିତ୍ୱଦ୍ୱାରା ପ୍ରଭାବିତ ହୋଇଥିଲେ ।

ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ । ପାଶ୍ଚାତ୍ୟର ସଂହତି ଶକ୍ତି ସ୍ୱାମୀଜୀଙ୍କୁ ମୁଗ୍ଧ କରିଥିଲା । ସଂହତି ବ୍ୟତୀତ କୌଣସି ସ୍ଥାୟୀ କାମ ସମ୍ଭବ ନୁହେଁ । ୧୮୯୭ ଖ୍ରୀଷ୍ଟାବ୍ଦ ମେ’ ୧ ତାରିଖ ଗୋଟିଏ ସ୍ମରଣୀୟ ଦିବସ । ଶ୍ରୀରାମକୃଷ୍ଣଙ୍କର ସନ୍ନ୍ୟାସୀ ଓ ଗୃହୀ ଶିଷ୍ୟମାନଙ୍କୁ ଆହ୍ୱାନ କରି ସେହିଦିନ ସେ ‘ରାମକୃଷ୍ଣ ମିଶନ’ ସଂଘର ପ୍ରତିଷ୍ଠା କଲେ । ସେହି ସଂଘର ଉଦ୍ଦେଶ୍ୟ ଜନଗଣଙ୍କର ଲୌକିକ ଓ ଆଧ୍ୟାତ୍ମିକ ସେବା, ଶ୍ରୀରାମକୃଷ୍ଣଦେବ ମାନବଜାତିର କଲ୍ୟାଣ ପାଇଁ ଯେଉଁ ସକଳ ସତ୍ୟ ନିଜ ଜୀବନରେ ଅନୁଷ୍ଠାନ କରିଥିଲେ ତାହାର ପ୍ରଚାର । ରାଜନୀତି ସହିତ ଏହି ପ୍ରତିଷ୍ଠାନର କୌଣସି ସମ୍ବନ୍ଧ ରହିବ ନାହିଁ । ଭାରତବର୍ଷର ନାନା ସ୍ଥାନରେ ମୂଳ ପ୍ରତିଷ୍ଠାନର ଶାଖା ସ୍ଥାପନ ମଧ୍ୟ ‘ରାମକୃଷ୍ଣ ମିଶନ’ର ଅନ୍ୟତମ କର୍ମସୂଚୀ । ରାମକୃଷ୍ଣ ମିଶନ୍‌କୁ ଯନ୍ତ୍ର କରି ସ୍ୱାମୀଜୀ ବିରାଟର ପୂଜା ପ୍ରବର୍ତ୍ତନ କରିଥିଲେ ।

ସ୍ୱାମୀଜୀଙ୍କ ପ୍ରତିଷ୍ଠିତ ମଠ ସଙ୍ଗେ ‘ରାମକୃଷ୍ଣ ମିଶନ’ ମିଳିତ ହୋଇ ବର୍ତ୍ତମାନ ମଠର ସନ୍ନ୍ୟାସୀ ବୃନ୍ଦଙ୍କ ଦ୍ୱାରା ପରିଚାଳିତ ‘ରାମକୃଷ୍ଣ ମଠ ଓ ମିଶନ’ ରୂପେ ଯୁଗ୍ମ ପ୍ରତିଷ୍ଠାନ ଧୀରେ ଧୀରେ ଦେଶବିଦେଶରେ ପ୍ରସାର ଲାଭ କରି ବିଶାଳ ସଂଘରେ ପରିଣତ ହୋଇଛି । ବେଲୁଡ଼ ମଠରୁ ଜେନେରାଲ ସେକ୍ରେଟାରୀ କର୍ତ୍ତୃକ ୧୯୯୭ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ ପ୍ରକାଶିତ ୧୯୯୫-୯୬ ମସିହାର କାର୍ଯ୍ୟ ବିବରଣୀରେ ଦେଖାଯାଏ ଯେ, ବର୍ତ୍ତମାନ ଭାରତ ଓ ଭାରତ ବହିର୍ଭୂତ ଦେଶରେ ରାମକୃଷ୍ଣ ମଠ ଓ ମିଶନ୍‌ର ୧୩୫ଟି ସ୍ଥାୟୀ କେନ୍ଦ୍ର ଓ ୨୭ଟି ଉପକେନ୍ଦ୍ର ଅଛି । ଉପକେନ୍ଦ୍ରଗୁଡ଼ିକ ମଧ୍ୟ ରାମକୃଷ୍ଣ ସଂଘର ସନ୍ନ୍ୟାସୀମାନଙ୍କ ଦ୍ୱାରା ପରିଚାଳିତ । ସେହି ସକଳ କେନ୍ଦ୍ରରୁ ସେହି ବର୍ଷ ଚିକିତ୍ସା ବିଭାଗରେ ୧୪ଟି ହସ୍‌ପିଟାଲର ଅନ୍ତର୍ବିଭାଗରେ ୨୦୬୧ଟି ଶଯ୍ୟାରେ ୭୫,୨୮୪ ଜଣ ରୋଗୀଙ୍କର ଚିକିତ୍ସାର ବ୍ୟବସ୍ଥା ହୋଇଛି । ପୁନଶ୍ଚ ୯୫ଟି ଡିସ୍‌ପେନ୍‌ସାରିରେ ୫୮,୨୦,୩୪୮ ଜଣ ରୋଗୀଙ୍କୁ ଔଷଧ ଦିଆହୁଏ । ଶିକ୍ଷା ବିଭାଗରେ ବିଭିନ୍ନ ଶିକ୍ଷା କେନ୍ଦ୍ରରୁ ୧,୧୫,୧୭୩ଜଣ ଛାତ୍ରଛାତ୍ରୀ ଭାରତବର୍ଷ, ବାଂଲାଦେଶ୍‌, ସିଂହଳ, ସିଙ୍ଗାପୁର, ଫିଜି ଓ ମରିସସ୍‌ ଦ୍ୱୀପରେ ଶିକ୍ଷାଲାଭ କରୁଛନ୍ତି । ପାଶ୍ଚାତ୍ୟ ଦେଶରେ ବକ୍ତୃତା, କ୍ଲାସ, ଆଲୋଚନା ଓ ଗ୍ରନ୍ଥପ୍ରଣୟନ ମାଧ୍ୟମରେ ଧର୍ମ ଓ ସାଂସ୍କୃତିକ ଭାବଧାରା ପ୍ରଚାର ହେଲା ବିଶେଷ କାର୍ଯ୍ୟ । ଏହି ଭାବରେ ସ୍ୱାମୀଜୀ ମାନବଜାତିର କଲ୍ୟାଣ ପାଇଁ ଯେଉଁ ଯେଉଁ ରାମକୃଷ୍ଣ ମଠ ଓ ମିଶନ୍‌ ରୂପେ ସଂଘ ପ୍ରତିଷ୍ଠା କରିଥିଲେ, ତାହା ଦିଗେ ଦିଗେ ପ୍ରସାର ଲାଭ କରୁଛି । ସେ କହିଥିଲେ, ‘ଏ ଯନ୍ତ୍ରକୁ କେହି ଆଉ ବନ୍ଦ କରିପାରିବେ ନାହିଁ ।’ ତାଙ୍କର ପରିକଳ୍ପନା ଗୁଡ଼ିକୁ ଧୀରେ ଧୀରେ ରୂପାୟିତ ହେବାର ଦେଖି ସେ ଖୁସୀ ହେଲେ । ଉତ୍ତର ଭାରତର ନାନା ସ୍ଥାନରୁ କ୍ରମାଗତ ଆମନ୍ତ୍ରଣ ଆସୁଥିଲା । ରାମକୃଷ୍ଣ ମିଶନ ପ୍ରତିଷ୍ଠା ପରେ ସ୍ୱାମୀଜୀ ଉତ୍ତର ଭାରତ ଭ୍ରମଣରେ ବାହରିଲେ । କେତେଜଣ ଶିଷ୍ୟ ଓ ଗୁରୁଭାଇଙ୍କୁ ନେଇ ପ୍ରଥମେ ଆସିଲେ ଆଲମୋଡ଼ା । ହିମାଳୟରେ ଗୋଟିଏ ଆଶ୍ରମ ସ୍ଥାପନ ମଧ୍ୟ ତାଙ୍କର ଅନ୍ୟତମ ଉଦ୍ଦେଶ୍ୟ । ଆଲମୋଡ଼ାବାସୀମାନେ ବହୁ ସମ୍ମାନ ସହକାରେ ତାଙ୍କୁ ଅଭିନନ୍ଦନ ଜଣାଇଲେ । ଆଲମୋଡ଼ାରେ କେତେଗୁଡ଼ିଏ ବକ୍ତୃତା ତାଙ୍କୁ ଦେବାକୁ ପଡିଥିଲା । ସେହି ବକୃତାମାନେ ଅଧିକାଂଶ ହିନ୍ଦୀ ଭାଷାରେ ଥିଲା । ଉତ୍ତରଭାରତ ଭ୍ରମଣ ବେଳେ ସ୍ୱାମୀଜୀ ପ୍ରାୟ ବକ୍ତୃତାଗୁଡ଼ିକ ହିନ୍ଦୀରେ ଦେଉଥିଲେ । ସେଭିୟର ଦମ୍ପତିଙ୍କ ଉପରେ ଆଶ୍ରମ ସ୍ଥାପନର ଭାର ଦେଇ ସେ ବାହାରିଲେ ପଞ୍ଜାବ ଓ କାଶ୍ମୀର ଭ୍ରମଣରେ । ବେରେଲି, ଅମ୍ବାଲା, ଅମୃତସର, ରାଓଲପିଣ୍ଡି ଓ ମାରି ହୋଇ ଶ୍ରୀନଗରରେ ପହଞ୍ଚିଥିଲେ । ପ୍ରତ୍ୟେକ ସ୍ଥାନରେ ସହସ୍ର ସହସ୍ର ଉତ୍ସାହୀ ଓ ଶ୍ରଦ୍ଧାଳୁ ଶ୍ରୋତାଙ୍କ ସଭାରେ ତାଙ୍କୁ ବକ୍ତୃତା ଦେବାକୁ ହେଲା । କାଶ୍ମୀରରେ ସେ ରାଜଅତିଥି ରୂପେ ରହିଥିଲେ । ସର୍ବତ୍ର ସେ ବହୁ ଭାବରେ ସମ୍ମାନିତ ହେଲେ । ତାଙ୍କର ଦର୍ଶନ ଓ ବକ୍ତୃତା ଶୁଣିବା ପାଇଁ ଏତେ ଲୋକଙ୍କର ସମାଗମ ହେଉଥିଲା ଯେ, ସମ୍ଭାଳିବା କଷ୍ଟକର ହୋଇପଡ଼ୁଥିଲା ।

ସ୍ୱାମୀ ବିବେକାନନ୍ଦ ଥିଲେ ସର୍ବତ୍ୟାଗୀ ସନ୍ନ୍ୟାସୀ । କିନ୍ତୁ ତାଙ୍କ ଅନ୍ତରରେ ଯେଉଁ ସ୍ୱଦେଶ ପ୍ରେମ ଓ ବିଶ୍ୱ ମାନବତାର ବିକାଶ ହୋଇଥିଲା, ତାହା ଆମକୁ ଅଭିଭୂତ କରେ । ସେ ଥିଲେ ବିରାଟର ପୂଜାରୀ । ତାଙ୍କର ଭଗବାନ କୌଣସି ମନ୍ଦିରରେ ପ୍ରତିଷ୍ଠିତ ନ ଥିଲେ । ପରନ୍ତୁ ବାସ କରୁଥିଲେ ପ୍ରତି ମାନବର ହୃଦୟ ମନ୍ଦିରରେ । ଦେଶସେବା, ମାନବକଲ୍ୟାଣ ଓ ଭଗବତ୍‌ ସାଧନାକୁ ସେ ଏକ କରି ଦେଖିଥିଲେ । ଭାରତର ସମୂହ କଲ୍ୟାଣ ପାଇଁ ସେ ଦେଶବାସୀଙ୍କୁ କହିଥିଲେ ଯେ, ଆଗାମୀ ପଚାଶ ବର୍ଷ ଦେଶମାତୃକାର ସେବା ହିଁ ତୁମମାନଙ୍କର ପରମ ସାଧନା ହେଉ । ମାତୃଭୂମି ହିଁ ଯେପରି ଏକମାତ୍ର ଆରାଧ୍ୟ ଦେବତା ହେଉ । ସ୍ୱାମୀଜୀଙ୍କର ଏହି ଆହ୍ୱାନର ବିପୁଳ ଫଳ ହୋଇଥିଲା । ଦେଶସେବା ଓ ଦେଶାତ୍ମବୋଧ ଶତ ଶତ ପ୍ରାଣରେ ଉଦ୍‌ବୁଦ୍ଧ ହୋଇ ଆତ୍ମପ୍ରକାଶ କରିଥିଲା ନାନା ଛନ୍ଦରେ ଏବଂ ତାହାର ଫଳ ସ୍ୱରୂପ ଠିକ୍‌ ପଚାଶ ବର୍ଷ ମଧ୍ୟରେ ଭାରତ ଲାଭ କରିଛି ରାଜନୈତିକ ସ୍ୱାଧୀନତା ।

ତାଙ୍କ ରଚନାବଳୀ ମଧ୍ୟରେ ରାଜଯୋଗ, କର୍ମଯୋଗ, ଭକ୍ତିଯୋଗ ଓ ଜ୍ଞାନଯୋଗ ଖୁବ୍‌ ପ୍ରସିଦ୍ଧ ଅଟେ । ସେ ଅନେକ ବାଣୀ ଲେଖିଛନ୍ତି ସେଥି ମଧ୍ୟରୁ ଗୋଟିଏ ହେଲା – ‘ବହୁରୁପେ ସମ୍ମୁଖେ ତୁମର, ଛାଡି କାହିଁ ଖୋଜୁଛ ଇଶ୍ୱର?
ଜୀବେ ପ୍ରେମ କରେ ଯେଉଁ ଜନ, ସେଇ ମାତ୍ର ସେବଇ ଇଶ୍ୱର । ।’

ସ୍ୱାମୀ ବିବେକାନନ୍ଦ ମାତ୍ର ୩୯ ବର୍ଷ ବୟସରେ ଜୁଲାଇ ମାସ ୪ ତାରିଖ ୧୯୦୨ ମସିହାରେ କଲିକତାର ବେଲୁଡ ମଠଠାରେ ଇହଳୀଲା ସମ୍ବରଣ କରିଥିଲେ ।

Leave A Reply

Your email address will not be published.

9 − three =