ମେହେର ଭୁଲିଆ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ରେ ଯୋଗ ଦେଲେ ନରସିଂହ

  • ଏକତା ରଖି ନିଜ ଓ ସମାଜ ପାଇଁ କିଛି ଭଲ କାମ କରନ୍ତୁ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିକ୍ଷା ଓ ଆର୍ଥିକ ସ୍ତରରେ ତଳେ ଥିବା ମେହେର ସମାଜ ବର୍ତ୍ତମାନ ବେଶ ଆଗେଇ ଗଲାଣି । ଚିକିତ୍ସା କ୍ଷେତ୍ରରେ ଡ. ଡିଙ୍ଗର ମେହେର, ଡ. ଲଳିତ ମେହେର, ଇଂଜିନିୟରିଂ କ୍ଷେତ୍ରରେ ସୁକଦେବ ମେହେର, ବୟନ କ୍ଷେତ୍ରରେ ବାନ୍ଧଶିଳ୍ପୀ ପଦ୍ମଶ୍ରୀ ଚର୍ତୁଭୁଜ ମେହେର, ପଦ୍ମଶ୍ରୀ କୈଳାସ ମେହେର, ଅଭିନୟ କ୍ଷେତ୍ରରେ ପଦ୍ମଶ୍ରୀ ସାଧୁ ମେହେରଙ୍କ ଭଳିଆ ବ୍ୟକ୍ତିତ୍ୱ ମେହେର ଭୁଲିଆ ସମାଜ ଏହି ମାଟିକୁ ଦେଇଛି । ଯଦିଓ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି କିନ୍ତୁ ସାହିତ୍ୟ କ୍ଷେତ୍ରରେ ତ ଉପକୂଳ ଅଂଚଳର କବିମାନେ କୁହନ୍ତି ସାହିତ୍ୟର ସୂର୍ଯ୍ୟ ପଶ୍ଚିମ ଦିଗରେ ଗଙ୍ଗାଧର ମେହେର ନାମରେ ଉଦୟ ହୋଇଛନ୍ତି । ତେଣୁ ଆପଣଙ୍କ ସମାଜ ବହୁତ ସମୃଦ୍ଧ ବୋଲି ଆଜି ମେହେର ଭୁଲିଆ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ସମୃଦ୍ଧ ମେହେର ଭୁଲିଆ ସମାଜ ବର୍ତମାନ ନିଜ ଭିତରେ ଏକତା ରଖି ନିଜ ତଥା ସମାଜ ପାଇଁ କିଛି ମଙ୍ଗଳ କାମ କରନ୍ତୁ । ସେ ନିଜ ବକ୍ତବ୍ୟରେ ଗଙ୍ଗାଧର ମେହେରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସମାଜକୁ ଅନୁରୋଧ କରିଥିଲେ । ଭୁଲିଆ ମେହେର ସମାଜର ସଭାଗୃହ ପାଇଁ ପୂର୍ବରୁ ବିଧାୟକ ପାଣ୍ଠିରୁ ୫ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା ସ୍ଥଳେ ପୁଣି ଆଉ ୫ଲକ୍ଷ ଟଙ୍କା ଅନୁଦାନ ଦିଆଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ଆଜି ଘୋଷଣା କରିଥିଲେ । ସଭା ପ୍ରାରମ୍ଭରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ “ମଙ୍ଗଳେ ଆଇଲା ଉଷା, ବିକଚ ରାଜିବ ଦୃଷା”କାବ୍ୟକୁ ପ୍ରାରମ୍ଭିକ ସଂଗୀତ ଭାବରେ ଗାନ କରାଯାଇଥିଲା । ଜିଲ୍ଲା ଭୁଲିଆ ସମାଜ ସଭାପତି ହରେକୃଷ୍ଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଜିଲ୍ଲା ଭୁଲିଆ ସମାଜ ସଂପାଦକ ବାସୁଦେବ ମେହେର, ସମ୍ମାନିତ ଅତିଥି ଭାବେ ସୁରେନ୍ଦ୍ର ମେହେର, ଦିନବନ୍ଧୁ ମେହେର, ଡା. ବୃନ୍ଦାବନ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ମଂଚ ପରିଚାଳନା କରିଥିଲେ ନବୀନ ମେହେର । କାର୍ଯ୍ୟକ୍ରମରେ ନିମିଇ ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ଅମରସିଂ ମେହେରଙ୍କ ସମେତ ମେହେର ଭୁଲିଆ ସମାଜର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । ଶେଷରେ ନବୀନ ମେହେର ଧନ୍ୟବାଦ ଦେଇ ସଭା ଶେଷ ଘୋଷଣା କରିଥିଲେ ।

Leave A Reply

Your email address will not be published.

3 + 19 =