ଧନ୍ୟ ଏଇ ସମାଜ : ପୁଅଝିଅ, ଜମିବାଡ଼ି ସବୁ ଥାଇ ଭିକ ମାଗି ପେଟ ପୋଷୁଛି ମା’

ତୁରେକେଲା, (କୈଳାଶ ସଗ୍ରିଆ) : ମା’ ସବୁବେଳେ ସବୁକାଳେ ପୂଜନୀୟା । ନିଜ ଜନ୍ମକଲା ପୁଅଝିଅଙ୍କୁ ଶୁଖିଲାରେ ଶୁଆଇ ଓଦାରେ ନିଜେ ଶୁଏ, ନିଜ ପିଲାଙ୍କ ପାଇଁ ହିଁ ଜୀବନ ବଂଚେ । ପିଲାଙ୍କ ମୁହଁ ଶୁଖିଗଲେ ତାର ଜୀବନ ଶୁଖିଯାଏ । କିନ୍ତୁ ବଡ଼ ନିଷ୍ଠୁର ହୁଅନ୍ତି ସେଇ ମା’ ପ୍ରତି ତାର ଜନ୍ମକଲା ପୁଅଝିଅମାନେ କେଉଁଠି କେମିତି । ତୁରେକେଲା ବ୍ଲକ୍‌ ହିଆଲ୍‌ ଗାଁରେ ଦେଖିବାକୁ ମିଳିଛି ଏଭଳି ଏକ କରୁଣ ଚିତ୍ର । ପୁଅଝିଅ, ଜମିବାଡ଼ି ସବୁ ଥାଇ ଜଣେ ବିଧବା ମା’ ଭିକ ମାଗି ପେଟ ପୋଷୁଛି । ମିଳିଥିବା ସୂଚନା ଅନୁସାରେ ଏହି ଗାଁର ବିଧବା ମା’ ଭଏଁରି ପୁଟେଲ ନିଜ ପୁଅଝିଅ ପାଖରେ ନ ରଖିବାରୁ ସେ ଭିକ ମାଗି ଚଳୁଛନ୍ତି । ସବୁଠାରୁ ଦୁଃଖର କଥା ଯେ, ଏହି ମା’ର ୩ ପୁଅ ଓ ୩ ଝିଅ ଅଛନ୍ତି । କାହାର ବି ତାଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ନାହିଁ । ରାସ୍ତା ଉପରେ ଛାଡ଼ି ଦେଇଛନ୍ତି ଜନ୍ମକଲା ମା’କୁ । ସରକାରୀ ବିଧବା ଭତ୍ତା ମିଳୁଥିଲେ ବି ସେଥିରେ ମାସେ କାଳ ପେଟ ପୋଷିବା ତାଙ୍କୁ ନିଅଣ୍ଟ ହେଉଥିବା ବେଳେ ଜମିବାଡ଼ି, ପୁଅଝିଅ ସବୁ ଥାଇ ବିଚାରୀ ଭିକ ମାଗି ଚଳୁଛନ୍ତି । ଆମ ପ୍ରତିନିଧି ଏଇ ମା’କୁ ତାଙ୍କ ଭିକ ମାଗି ଚଳିବାର କାରଣ ପଚାରିବାରୁ ସେ କହିଛନ୍ତି, ପୁଅଝିଅ ପଚାରିଲେନି । ମତେ ଘରୁ ବାହାର କରିଦେଲେ । ଭିକ ମାଗି ମାଗି ବଂଚିଛି । ତେବେ ଯେଉଁ ପୁଅଝିଅମାନେ ଏଇ ମା’ଙ୍କ ଜମିବାଡ଼ି ଭୋଗ କରୁଛନ୍ତି ଏବଂ ମା’ ପ୍ରତି ଏଭଳି ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି, ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଚିତ ଦଣ୍ଡ ଦିଆଯିବା ଦରକାର ବୋଲି ସ୍ଥାନୀୟ ଲୋକେ କହିିଛନ୍ତି ।

Leave A Reply

Your email address will not be published.