ଭାରତର ନେତୃତ୍ୱରେ ଆରମ୍ଭ ହେବ ସାର୍କ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ

  • ପ୍ରକଳ୍ପରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି ଓଡ଼ିଆ ବୈଜ୍ଞାନିକ

ଭୁବନେଶ୍ୱର, (ପିଆଇବି) : ସାର୍କ ଅଞ୍ଚଳର କ୍ଷୁଦ୍ର ମତ୍ସ୍ୟ ଚାଷୀଙ୍କ ଜୀବିକାରେ ଉନ୍ନତି ଏବଂ ପୋଷଣ ସୁରକ୍ଷା ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରୟାସ ଆରମ୍ଭ କରିବାକୁ ଯାଉଛି । ପ୍ରକଳ୍ପର ନାମ ‘‘ଆକ୍ୱାଲାଇଭଲିହୁଡ୍ ବା ଜଳଜ ଜୀବିକା : କ୍ଷୁଦ୍ର ମତ୍ସ୍ୟ ଚାଷୀଙ୍କ ଜୀବିକା ଉନ୍ନତି ଓ ଗ୍ରାମୀଣ ଜନସାଧାରଣଙ୍କ ପୋଷଣ ସୁରକ୍ଷା ପାଇଁ ସାର୍କ ଅଞ୍ଚଳରେ ମତ୍ସ୍ୟଚାଷ ବିକାଶ’’ ରଖାଯାଇଛି । ୫ ଅଗଷ୍ଟ ୨୦୨୫ ରେ ଶ୍ରୀଲଙ୍କାର କୋଲମ୍ବୋରେ ପ୍ରକଳ୍ପ ଉଦଘାଟନ କରାଯିବ । ଶ୍ରୀଲଙ୍କା ସରକାରଙ୍କ ମତ୍ସ୍ୟ ଚାଷ ବିଭାଗ ମନ୍ତ୍ରୀ ଏହାକୁ ଉଦଘାଟନ କରିବେ । ଏହି ଅବସରରେ ସାର୍କ ଦେଶଗୁଡ଼ିକର ରାଷ୍ଟଦୂତଗଣ, ସାର୍କ ସଚିବାଳୟ ଓ ସାର୍କ ବିକାଶ ପାଣ୍ଠି (ଏସଡିଏଫ)ର ପ୍ରତିନିଧିମାନେ ଉପସ୍ଥିତ ରହିବେ । ଭାରତ ଏହି ପ୍ରକଳ୍ପର ନେତୃତ୍ୱ ନେଉଥିବା ବେଳେ ଭୁବନେଶ୍ୱର ସ୍ଥିତ ଆଇସିଏଆର-କେନ୍ଦ୍ରୀୟ ମଧୁରଜଳ ଜୀବନ ଅନୁସନ୍ଧାନ ପ୍ରତିଷ୍ଠାନ (ଆଇସିଏଆର-ସିଫା) ଦ୍ୱାରା ସମ୍ପାଦିତ ହେଉଛି । ଏହି ପ୍ରୟାସ ମତ୍ସ୍ୟଜୀବିଙ୍କ ଜୀବିକାରେ ଉନ୍ନତି ଲାଗି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତୁଟ ପ୍ରୟାସର ଅଂଶବିଶେଷ । ଓଡ଼ିଶା ନିବାସୀ ଏବଂ ଆଇସିଏଆର-ସିଫାର ମତ୍ସ୍ୟ ପୋଷଣ ଓ ଜୈବ ପ୍ରଣାଳୀ ବିଭାଗର ମୁଖ୍ୟ ଡକ୍ଟର ଶିବ ଶଙ୍କର ଗିରି, ସାର୍କ ଅଞ୍ଚଳର ଏହି ମହତ୍ୱପୂର୍ଣ୍ଣ ଆଞ୍ଚଳିକ ପ୍ରକଳ୍ପର ସଂଯୋଜକ ଭାବରେ ନିଯୁକ୍ତ ହୋଇଛନ୍ତି । ଏହି ଓଡ଼ିଆ ବୈଜ୍ଞାନିକ ଦେଶୀୟ ଓ ଆଞ୍ଚଳିକ ସ୍ତରରେ ପ୍ରଭାବଶାଳୀ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିବା ରାଜ୍ୟ ପାଇଁ ଗୌରବର ବିଷୟ । ଭାରତ, ବାଂଲାଦେଶ, ନେପାଳ, ଭୁଟାନ ଓ ଶ୍ରୀଲଙ୍କାକୁ ନେଇ ୫ଟି ସାର୍କ ଦେଶ ପ୍ରକଳ୍ପରେ ସହଭାଗୀ ରୂପେ ଅଂଶଗ୍ରହଣ କରୁଛନ୍ତି । ସବୁ ଦେଶର ମତ୍ସ୍ୟ ବିଶେଷଜ୍ଞ, ବୈଜ୍ଞାନିକ ଓ ନୀତି-ନିର୍ଦ୍ଦେଶକମାନେ ଏହି କାର୍ଯ୍ୟକ୍ରମରେ ତାଙ୍କର ଅନୁଭୂତି ବାଣ୍ଟିବେ । ଏହି ପ୍ରକଳ୍ପ ସାର୍କ ଅଞ୍ଚଳରେ ସାମୂହିକ ଉନ୍ନତି, ମତ୍ସ୍ୟଚାଷ ଶିଳ୍ପରେ ଉନ୍ନତ ବ୍ୟବସ୍ଥାପନ ଏବଂ ଓଡ଼ିଶାରେ ଏହି କ୍ଷେତ୍ରରେ ସଂପୃକ୍ତ ଜନସାଧାରଣଙ୍କ ପାଇଁ ଏକ ସୁଯୋଗ ଆଣି ଦେବ । ୫ ଅଗଷ୍ଟରେ ଉଧଘାଟନ ପରେ, ୬ ଓ ୭ ଅଗଷ୍ଟ ତାରିଖରେ ଦୁଇ ଦିନିଆ ଶୁଭାରମ୍ଭ କର୍ମଶାଳା ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ସାର୍କ ଦେଶର ବିଶେଷଜ୍ଞମାନେ ଭାଗନେଇ ବିଚାରବିମର୍ଶ, ଯୋଜନା ପ୍ରସ୍ତୁତି ଏବଂ ନୀତି ନିର୍ଦ୍ଧାରଣ କରିବେ । ଏହି ପ୍ରୟାସ ଭାରତ ସରକାରଙ୍କ ‘ପଡ଼ୋଶୀ ପ୍ରଥମ’ ନୀତି ଅନୁରୂପ ହୋଇଥିବା ବେଳେ ଏହା ଗ୍ରାମାଞ୍ଚଳର ଉନ୍ନତି, ଦାରିଦ୍ର୍ୟ ହ୍ରାସ, କ୍ଷୁଧା ଦୂରୀକରଣ ଏବଂ ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀ ବିକାଶରେ ସହାୟକ ହେବ । ଏଥିସହିତ ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ପାଇଁ ମଧ୍ୟ ମାର୍ଗପ୍ରଶସ୍ତ କରିବ ।

jittmm
Leave A Reply

Your email address will not be published.