csstore

ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ସହ ଲୋକକଳା ଗ୍ରାମ ପୁଇଁନ୍ତଲାର ବାର୍ଷିକୋତ୍ସବ ଅନୁଷ୍ଠିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ସହ ଲୋକକଳା ଗ୍ରାମ ପୁଇଁନ୍ତଲାର ବାର୍ଷିକୋତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳୁ ପୁଇଁନ୍ତଲା ଗ୍ରାମରୁ ୩୫ ଜଣିଆ ଏକ ସଂକୀର୍ତ୍ତନ ଦଳ ରାମଧୂନ୍‌ ଗାନ କରି ବଲାଙ୍ଗିର ସହରର ଗାନ୍ଧୀ ଷ୍ଟାଚ୍ୟୁ ପର୍ଯ୍ୟନ୍ତ ଆସିଥିଲେ ।

ପୂର୍ବାହ୍ନ ସାଢେ଼ ୧୦ଟା ସମୟରେ ପୁଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ । ସମ୍ମାନିତ ଅତିଥି ଭାବେ ଏଡ଼ିଏମ୍‌ ମହେନ୍ଦ୍ର ମହାପାତ୍ର, ପୁଇଁନ୍ତଲା ବ୍ଲକ ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ, ବଲାଙ୍ଗିର ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ, ଡିଆଇପିଆର୍‌ଓ ଜୟଦେବ ପାଣିଗ୍ରାହୀ, ବଲାଙ୍ଗିର ଜିଲ୍ଲା ସଂସ୍କୃତି ସଂଘର ଉପସଭାପତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ବିଶିଷ୍ଟ ସାହିତ୍ୟିକ ସନାତନ ଠାକୁର, ପୁଇଁନ୍ତଲା ବ୍ଲକ ସଂସ୍କୃତି ସଂଘର ଉପସଭାପତି ସୁରେନ୍ଦ୍ର ଗରୁଡ଼ ଯୋଗଦାନ କରିଥିବା ବେଳେ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ । ଏହି ସଭାରେ ନଡ଼ିଆ ଖୋଳପାରେ ବିଭିନ୍ନ ସାମଗ୍ରୀ ତିଆରି କରି ବେଶ୍‌ ସୁନାମ ଅର୍ଜନ କରିଥିବା ପୁଇଁନ୍ତଲାର ଭିନ୍ନକ୍ଷମ ଯୁବକ ସବ୍ୟସାଚୀ ପଟେଲଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସଭା ସମାପ୍ତ ହେବା ପରେ ପୁଇଁନ୍ତଲା ବ୍ଲକର ୧୪ଟି ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ, ଦଣ୍ଡ, ଡାଲଖାଇ, ଘୁଡ଼୍‌କା, ମହିମା ଭଜନ, ଦୁଲ୍‌ଦୁଲି, ଢାପ ତଥା ଲୋକନାଟକ ଲକ୍ଷ୍ମୀପୁରଣା ଆଦି ପ୍ରଦର୍ଶିତ ହୋଇଥିବା ବେଳେ ଉତ୍ସବସ୍ଥଳୀ ଉତ୍ସବମୁଖର ହୋଇ ଉଠିଥିଲା ।

jayashree
Leave A Reply

Your email address will not be published.