ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକର ଆକାଶ ମାର୍ଗରେ ସର୍ଭେ କଲେ ପ୍ରଧାନମନ୍ତ୍ରୀ

  • ଗୁରୁଦାସପୁରରେ ଏକ ବୈଠକରେ ପ୍ରଧାନମନ୍ତ୍ରୀ ବନ୍ୟା ପରିସ୍ଥିତି ଏବଂ କ୍ଷୟକ୍ଷତି ଆକଳନ ଓ ସମୀକ୍ଷା କଲେ
  • ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବ ପାଇଁ ୧୬୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ, ଯାହାକି ରାଜ୍ୟ ପାଖରେ ପୂର୍ବରୁ ଥିବା ୧୨,୦୦୦ କୋଟି ଟଙ୍କା ବ୍ୟତୀତ ଅତିରିକ୍ତ ଭାବେ ଦିଆଯିବ
  • ମୃତକଙ୍କ ନିକଟତମ ପରିବାର ସଦସ୍ୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
  • ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଅନାଥ ହୋଇଥିବା ପିଲାମାନଙ୍କ ନିମନ୍ତେ ‘ଶିଶୁଙ୍କ ପାଇଁ ପିଏମ୍ କେୟାର୍ସ ଯୋଜନା’ ଅଧୀନରେ ବ୍ୟାପକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
  • ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଭେଟି ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ
  • ପ୍ରଧାନମନ୍ତ୍ରୀ ମୋଦୀ ଏନଡିଆରଏଫ୍, ଏସଡିଆରଏଫ୍ ଏବଂ ଆପଦା ମିତ୍ର ସ୍ୱେଚ୍ଛାସେବକମାନଙ୍କୁ ମଧ୍ୟ ଭେଟିଥିଲେ ଏବଂ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ
  • ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମିର ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୯ ସେପ୍ଟେମ୍ବର ୨୦୨୫ରେ ପଞ୍ଜାବ ଗସ୍ତ କରିଥିଲେ ଏବଂ ବନ୍ୟା ପରିସ୍ଥିତି ଏବଂ ପଞ୍ଜାବର ପ୍ରଭାବିତ ଅଞ୍ଚଳରେ ବାଦଲଫାଟିବା ଏବଂ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଥିଲେ ।
ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରେ ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳର ସର୍ଭେ କରିଥିଲେ । ପରେ, ସେ ଗୁରୁଦାସପୁରରେ ଅଧିକାରୀ ଏବଂ ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହିତ ଏକ ସରକାରୀ ସମୀକ୍ଷା ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ରିଲିଫ୍ ଏବଂ ପୁନର୍ବାସ ପଦକ୍ଷେପର ସମୀକ୍ଷା କରିଥିଲେ ଏବଂ ପଞ୍ଜାବରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ମଧ୍ୟ ମୂଲ୍ୟାଙ୍କନ କରିଥିଲେ । ପ୍ରଧାନମନ୍ତ୍ରୀ ରାଜ୍ୟ ପାଖରେ ପୂର୍ବରୁ ଥିବା ୧୨,୦୦୦ କୋଟି ଟଙ୍କା ବ୍ୟତୀତ ପଞ୍ଜାବ ପାଇଁ ଅତିରିକ୍ତ ୧୬୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ । ଏହା ସହ ଏସଡିଆରଏଫ ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଦ୍ୱିତୀୟ କିସ୍ତି ଆଗୁଆ ଜାରି କରାଯିବ । ପ୍ରଧାନମନ୍ତ୍ରୀ ସମଗ୍ର ଅଞ୍ଚଳ ଏବଂ ଏହାର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ବହୁମୁଖୀ ପଦ୍ଧତି ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ପୁନଃନିର୍ମାଣ, ଜାତୀୟ ରାଜପଥର ନବୀକରଣ, ବିଦ୍ୟାଳୟଗୁଡ଼ିକର ପୁନଃନିର୍ମାଣ, ପିଏମଏନଆରଏଫ ମାଧ୍ୟମରେ ରିଲିଫ୍ ପ୍ରଦାନ ଏବଂ ପଶୁମାନଙ୍କ ପାଇଁ ମିନି କିଟ୍ ବଣ୍ଟନ ଭଳି ପଦକ୍ଷେପ ଅନ୍ତର୍ଭୁକ୍ତ ହେବ । କୃଷକ ସମାଜକୁ ସହାୟତା ପ୍ରଦାନ କରିବାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ଅନୁଭବ କରି, ବିଶେଷକରି ସେହି ଚାଷୀମାନଙ୍କୁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ ଯେଉଁମାନଙ୍କର ବର୍ତ୍ତମାନ ବିଦ୍ୟୁତ ସଂଯୋଗ ନାହିଁ । ଯେଉଁ ବୋରୱେଲଗୁଡ଼ିକ ପୋତି ହୋଇଯାଇଛି କିମ୍ବା ଧୋଇ ଯାଇଛି, ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଅନୁଯାୟୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ପ୍ରକଳ୍ପ ଆଧାରରେ ସେଗୁଡ଼ିକୁ ମରାମତି କରିବାକୁ ସହାୟତା ପ୍ରଦାନ କରାଯିବ । ଡିଜେଲ ଚାଳିତ ବୋରୱେଲ ପାଇଁ, ପ୍ରତି ଡ୍ରପ୍ ଅଧିକ ଫସଲ ନିର୍ଦ୍ଦେଶାବଳୀ ଅନୁଯାୟୀ ସୌର ପ୍ୟାନେଲ ଏବଂ କ୍ଷୁଦ୍ର ଜଳସେଚନ ପାଇଁ ଏମଏନଆରଇ ସହିତ କଷ୍ଟମାଇଜେସନ୍ ପାଇଁ ସହାୟତା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣ ଅଧୀନରେ, ଗ୍ରାମାଞ୍ଚଳରେ ବନ୍ୟା ଯୋଗୁଁ ଘର କ୍ଷତିଗ୍ରସ୍ତ ହୋଇଥିବା ଯୋଗ୍ୟ ପରିବାରଗୁଡ଼ିକୁ ଘର ପୁନଃନିର୍ମାଣ ପାଇଁ ପଞ୍ଜାବ ସରକାରଙ୍କ ଦ୍ୱାରା ଉପସ୍ଥାପିତ “ସ୍ୱତନ୍ତ୍ର ପ୍ରକଳ୍ପ” ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯିବ । ପଞ୍ଜାବରେ ହୋଇଥିବା ବନ୍ୟାରେ କ୍ଷତିଗ୍ରସ୍ତ ସରକାରୀ ସ୍କୁଲଗୁଡ଼ିକୁ ସମଗ୍ର ଶିକ୍ଷା ଅଭିଯାନ ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ସହାୟକ ସୂଚନା ପ୍ରଦାନ କରିବାକୁ ପଡିବ । ଜଳ ସଂଚୟ ଜନ ଭାଗୀଦାରୀ କାର୍ଯ୍ୟକ୍ରମ ଅଧୀନରେ, ପଞ୍ଜାବରେ ବଡ଼ ପରିମାଣରେ ଜଳ ଅମଳ ପାଇଁ ରିଚାର୍ଜ ଢାଞ୍ଚା ନିର୍ମାଣ କରାଯିବ । ଏହା କ୍ଷତିଗ୍ରସ୍ତ ରିଚାର୍ଜ ଢାଞ୍ଚା ମରାମତି ଏବଂ ଅତିରିକ୍ତ ଜଳ ଅମଳ ଢାଞ୍ଚା ନିର୍ମାଣ କରିବାର ଲକ୍ଷ୍ୟ ରଖାଯିବ । ଏହି ପ୍ରୟାସଗୁଡ଼ିକ ବର୍ଷାଜଳ ଅମଳକୁ ବୃଦ୍ଧି କରିବ ଏବଂ ଦୀର୍ଘକାଳୀନ ଜଳ ସ୍ଥାୟୀତ୍ୱ ସୁନିଶ୍ଚିତ କରିବ । କେନ୍ଦ୍ର ସରକାର କ୍ଷୟକ୍ଷତିର ପରିମାଣ ଆକଳନ କରିବା ପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳଗୁଡ଼ିକୁ ମଧ୍ୟ ପଞ୍ଜାବ ଗସ୍ତ କରିବାକୁ ପଠାଇଛନ୍ତି ଏବଂ ସେମାନଙ୍କ ବିସ୍ତୃତ ରିପୋର୍ଟ ଆଧାରରେ ଅଧିକ ସହାୟତା ପାଇଁ ବିଚାର କରାଯିବ । ପ୍ରଧାନମନ୍ତ୍ରୀ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ କେନ୍ଦ୍ର ସରକାର ଏହି କଷ୍ଟକର ସମୟରେ ରାଜ୍ୟ ସରକାରଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ ଏବଂ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ । ପ୍ରଧାନମନ୍ତ୍ରୀ ବିପର୍ଯ୍ୟୟ ଏବଂ ବନ୍ୟା ଦ୍ୱାରା ପ୍ରଭାବିତ ପଞ୍ଜାବର ପରିବାରଗୁଡ଼ିକୁ ମଧ୍ୟ ଭେଟିଥିଲେ । ସେ ଏହି ବିପର୍ଯ୍ୟୟର ଶିକାର ହୋଇଥିବା ସମସ୍ତଙ୍କ ସହିତ ତାଙ୍କର ପୂର୍ଣ୍ଣ ଏକାତ୍ମକତା ପ୍ରକାଶ କରିଥିଲେ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବନ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ଲୋକଙ୍କ ନିକଟତମ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ସମ୍ପ୍ରତି ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଅନାଥ ହୋଇଥିବା ପିଲାମାନଙ୍କୁ ଶିଶୁଙ୍କ ପାଇଁ ପିଏମ୍ କେୟାର୍ସ ଯୋଜନା ଅଧୀନରେ ବ୍ୟାପକ ସହାୟତା ପ୍ରଦାନ କରାଯିବ । ଏହା ସେମାନଙ୍କର ଦୀର୍ଘକାଳୀନ କଲ୍ୟାଣ ସୁନିଶ୍ଚିତ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ନିୟମ ଅନୁଯାୟୀ ସମସ୍ତ ସହାୟତା, ଅଗ୍ରୀମ ଦେୟ ସମେତ, ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି । ସେ ଏନଡିଆରଏଫ, ଏସଡିଆରଏଫ, ସେନା, ରାଜ୍ୟ ପ୍ରଶାସନ ଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀ ସଂଗଠନର କର୍ମଚାରୀମାନଙ୍କ ତୁରନ୍ତ ରିଲିଫ୍ ଏବଂ ପ୍ରତିକ୍ରିୟା ପାଇଁ ସେମାନଙ୍କର ପ୍ରୟାସକୁ ପ୍ରଶଂସା କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟର ସ୍ମାରକପତ୍ର ଏବଂ କେନ୍ଦ୍ରୀୟ ଦଳଗୁଡ଼ିକର ରିପୋର୍ଟ ଆଧାରରେ ମୂଲ୍ୟାଙ୍କନର ଆହୁରି ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀ ପରିସ୍ଥିତିର ଗମ୍ଭୀରତାକୁ ସ୍ୱୀକାର କରିଛନ୍ତି ଏବଂ ଆଶ୍ୱାସନା ଦେଇଛନ୍ତି ଯେ କେନ୍ଦ୍ର ସରକାର ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରିବେ ।

Leave A Reply

Your email address will not be published.