
- ବନ୍ୟା ବିପନ୍ନଙ୍କୁ ଭେଟିଲେ କଳାହାଣ୍ଡି ଜିଲ୍ଲାପାଳ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଞ୍ଚଳରେ ଗତ ତିନଦିନର ୨୪୦ ମିଲି ମିଟର ବର୍ଷା, ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଅନେକ ଚାଷ ଜମି କ୍ଷତିଗ୍ରସ୍ତ ହେବା ସହିତ ରାସ୍ତାଘାଟ, କଚା ଘର ଭାଙ୍ଗି ଯାଇଥିବା ଖବର ନଜରକୁ ଆସୁଛି । ବନ୍ୟାକୁ ନେଇ ଅନେକ ଆତଙ୍କିତ ଥିବାବେଳେ କେତେକ ଅଭିଜ୍ଞ ବ୍ୟକ୍ତି ଦୂରଦୃଷ୍ଟି ଥିଲେ ବନ୍ୟାକୁ ରୋକାଯାଇ ପାରିଥାନ୍ତା ବୋଲି ମତ ପ୍ରକାଶ କରିଛନ୍ତି । ଆଜି ବନ୍ୟା ବିପନ୍ନ ଗାଁ ତଥା ଗତ ଚବିଶ ଘଣ୍ଟା ଧରି ଜଳବନ୍ଦୀର ଜୀବନ ବିତାଉଥିବା ଭିତର ପଣ୍ଡି ଗ୍ରାମରେ ବିପନ୍ନଙ୍କୁ ସାକ୍ଷାତ କରି ଜିଲ୍ଲାପାଳ ସେମାନଙ୍କ ଅବସ୍ଥା ବୁଝିବା ସହିତ ରିଲିଫ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଥିଲେ । ଅନ୍ୟମାନଂକ ମଧ୍ୟରେ ଧର୍ମଗଡ ଉପଜିଲ୍ଲାପାଳ ପ୍ରେଖ୍ୟା ଅଗ୍ରୱାଲ, ବିଡିଓ ଧର୍ମରାଜ ମାଝୀ, ତହସିଲଦାର ଦୀପ୍ତି ରେଖାଙ୍କ ସମେତ ଅନେକ ସ୍ଥାନୀୟ ଅଧିକାରୀ ଉପସ୍ଥିତ ଥିଲେ । ଜୟପାଟଣା ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ର ମିଳିତ ଉଦ୍ୟମରେ ରବର ବୋଟ ସହାୟତାରେ ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣି ରନ୍ଧାଖାଦ୍ୟର ବ୍ୟବସ୍ଥା ସହ ସୁଖାଖାଦ୍ୟ ଆବଣ୍ଟନ କରଯାଇଥିଲା । ଏବେ ପ୍ରଶ୍ନ ଉଠୁଛି ଗତ ଦୁଇଦିନ ମଧ୍ୟରେ ଜୟପାଟଣା ଅଞ୍ଚଳରେ ୧୧୪ ମିଲି ମିଟର ବର୍ଷା ହୋଇ ଏକ ବନ୍ୟାର ତାଣ୍ଡବ ଦେଖା ଦେଇଥିବା ବେଳେ ଆଜି ସକାଳ ଆଠଟା ସୁଦ୍ଧା ୧୨୬ ମିଲି ମିଟର ବର୍ଷା ହୋଇ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ନ ହୋଇ ରହିଗଲା ତାହା ଏବେ ଆଲୋଚନାର ବିଷୟ ହୋଇଛି । ଇନ୍ଦ୍ରାବତୀ ଜଳ ଭଣ୍ଡାର ସର୍ବୋଚ୍ଚ ସୀମାକୁ ଛୁଇଁ ଆସୁଥିବା ବେଳେ ଚାରିଟି ଗେଟ ଖୋଲି ବନ୍ୟା ଜଳ ଇନ୍ଦ୍ରାବତୀ ନଦୀ ଗର୍ଭକୁ ଛଡ଼ା ଯିବା ସହିତ ମୁଖିଗୁଡ଼ା ସ୍ଥିତ ଶକ୍ତି ଗୃହରୁ ମଧ୍ୟ ୨୦୦ କ୍ୟୁମକ୍ସ ପାଣି ଛାଡ଼ି ୬୦୦ ମେଗାୱାଟ ପାଣି ବନ୍ୟା ସ୍ଥିତିରେ ଛାଡ଼ି ଚାଲିଥିବାରୁ ହାତୀ ବେରେଜରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା ବୋଲି ଆଲୋଚନା ହେଉଛି । ଗତକାଲି ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବିଦ୍ୟୁତ ଉତ୍ପାଦନକୁ ରାତି ନଅଟାରୁ ବନ୍ଦ କରଯାଇଥିଲା । ଫଳରେ ଆଜି ସକାଳ ଆଠଟା ସୁଦ୍ଧା ସର୍ବାଧିକ ୧୨୬ ମିଲିମିଟର ବର୍ଷା ହେବା ସତ୍ତ୍ୱେ ନଦୀ ଗର୍ଭକୁ ମାତ୍ର ୧୭୦ କୁମେକ୍ସ ବନ୍ୟା ଜଳ ଛଡ଼ା ଯାଉଥିବା ବିଭାଗ ସୂତ୍ରରୁ ସୁଚନା ମିଳିଛି । ତଥାପି ଜୟପାଟଣା ଅଞ୍ଚଳର ଚାନ୍ଦପୁର, ତଳ ଡଙ୍ଗରିଗୁଡ଼ା, ଧାମନଗୁଡ଼ା, କଛାରପଡା ଆଦି ଗ୍ରାମର ଲୋକେ ଏବେ ବି ବନ୍ୟା ଆଶଙ୍କା ମଧ୍ୟରେ ରହିଥିବା ପ୍ରକାଶ କରନ୍ତି ।