
ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ମାର୍ଗଦର୍ଶନ କ୍ରମେ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା । ଏହି ଯୋଜନାରେ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଯେଉଁ ହିତାଧିକାରୀମାନେ ୫ କେଜି ଚାଉଳ ପାଉଥିଲେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ଆଉ ଅଧିକ ୫କେଜି ଚାଉଳ ପାଇବାର ବ୍ୟବସ୍ଥା କରାଯାଇଛି । ଆଜି ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଉଦଘାଟନ କରିଥିବା ବେଳେ ଏଠି ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଇସ୍ପାତ ସହରାଞ୍ଚଳରେ ଥିବା ସେକ୍ଟର-୭ ଇ ବ୍ଲକ ନିକଟରେ ଥିବା ବିଶ୍ୱ ଇସ୍ପାତ ମହିଳା ସ୍ୱୟଂ ସହାୟିକା ଗ୍ରୁପ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି । ଆଜି ଆୟୋଜିତ ଏକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ସାମିଲ ହୋଇଥିବା ଅନେକ ହିତାଧିକାରୀ ମାନଙ୍କୁ ବିଧାୟକ ଦୁର୍ଗା ଚରଣ ତନ୍ତୀ କାର୍ଡ ବଣ୍ଟନ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରିବାକୁ ଯାଇ ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ଦୁର୍ଗା ଗରିବଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କ ଦୁଃଖକୁ ବୁଝି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପରି ଏକ ଯୋଜନାର ପରିକଳ୍ପନା କରିଥିଲେ, ଯାହା ଆଜି ବାସ୍ତବ ରୂପ ନେଇଛି । ଏହାଦ୍ୱାରା ଅନେକ ପରିବାରରେ ଆଜି ଆନନ୍ଦର ଲହରୀ ଖେଳିଯାଇଛି । ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲୁଥିବା ଡ଼ବଲ ଇଞ୍ଜିନ ସରକାର ଦୁଃଖୀ ଓ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ନଥିବା ସହିତ ଗରିବ ଲୋକଙ୍କ ପାଇଁ ସର୍ବଦା କାର୍ଯ୍ୟ କରିଆସୁଛି ଆଗକୁ ମଧ୍ୟ କରିବ ବୋଲି ଉପସ୍ଥିତ ହିତାଧିକାରୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସମ୍ପୃକ୍ତ ଥିବା ସମସ୍ତ ଅଧିକାରୀ ଏବଂ ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଠ ନେତା ଓ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ କି ସେକ୍ଟର-୨୦ ଅଞ୍ଚଳରେ ମଧ୍ୟ ଏହି ଯୋଜନାର ଶୁଭାରମ୍ଭ ହୋଇଛି ।