pakka

ଲଛିପୁର ନିକଟରୁ ମିଳିଲା ନିଖୋଜ ବ୍ୟାଙ୍କ ଅଧିକାରୀଙ୍କ ଶବ : ଏ ମୃତ୍ୟୁର ରହସ୍ୟ କ’ଣ ?

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ା ନିବାସୀ କେଶବ ମିଶ୍ରଙ୍କ ପୁଅ ତଥା ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କାର୍ଯ୍ୟରତ କୃଷି ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଗତ ୧୦ ତାରିଖ ସନ୍ଧ୍ୟାରୁ ନିଖୋଜ ଥିଲେ । ସେହିଦିନ ତାଙ୍କ ବାଇକ ଓ ହେଲମେଟ ସାଲେଭଟା-ଚେରୁପାଲି ସ୍ଥିତ ବ୍ରିଜ ଉପରେ ପରିତ୍ୟକ୍ତ ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ପୋଲିସ ଏକ ମାମଲା ରୁଜୁ କରି ଅଗ୍ନିଶମ ବାହିନୀ ସହାୟତାରେ ଅଙ୍ଗନଦୀରେ ଖୋଜାଖୋଜି କରୁଥିଲା । ତେବେ ଶନିବାର ସନ୍ଧ୍ୟାରେ ଘଟଣାସ୍ଥଳରୁ ପ୍ରାୟ ୮ କିମି ଦୂର ଲଛିପୁର ପୋଲ ନିକଟରେ ନିଖୋଜ ଦିବ୍ୟରଞ୍ଜନଙ୍କ ଗଳିତ ଶବ ମିଳିଥିବା ଜଣାପଡିଛି । ପରିବାର ଲୋକେ ଶବ ଚିହ୍ନଟ କରିଥିବା ବେଳେ ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି ।
ସୂଚନା ଅନୁସାରେ ବରପାଲି ପିଏନବିରେ କୃଷି ଅଧିକାରୀ ଭାବେ କାର୍ଯ୍ୟରତ ଦିବ୍ୟରଞ୍ଜନ ବରପାଲିଠାରେ ଘରଭଡା ନେଇ ସ୍ତ୍ରୀ ଓ ଝିଅଙ୍କ ସହିତ ରହୁଥିଲେ । ଗତ ୧୦ ତାରିଖ ସେ ବରପାଲିରୁ ଅଫିସ କାମରେ ବିନିକା ଯାଇ ଘରକୁ ଫେରିଥିଲେ । ତେବେ ସନ୍ଧ୍ୟା ୭ଟା ପରଠାରୁ ତାଙ୍କ ମୋବାଇଲ ସୁଇଚ ଅଫ ଥିବା ଜଣାପଡିଥିଲା । ରାତି ଆଠଟାରେ ଚେରୁପାଲି ଅଙ୍ଗନଦୀ ପୋଲ ଉପରେ ତାଙ୍କ ବାଇକ ଓ ହେଲମେଟ ଥିବା ପରିବାର ଲୋକେ ଖବର ପାଇ ଡୁଙ୍ଗୁରିପାଲି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସେହିଦିନ ବିଳମ୍ବିତ ରାତିରେ ବାଇକକୁ ଜବତ କରିବା ସହିତ ତା’ ପରଦିନ ଠାରୁ ଅଗ୍ନିଶମ ବାହିନୀ ସହାୟତାରେ ନଦୀରେ ଖୋଜାଖୋଜି କରିଥିଲା । ଆଜି ନିଖୋଜ ଦିବ୍ୟରଞ୍ଜନଙ୍କ ଶବ ଉଦ୍ଧାର ହେବା ପରେ ଏହା ଆତ୍ମହତ୍ୟା ନା ହତ୍ୟା, ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଜଣେ ସରଳ ଓ ମେଳାପୀ ଯୁବକ ଭାବେ ପରିଚିତ ଦିବ୍ୟରଞ୍ଜନଙ୍କ କୌଣସି ଘରୋଇ ସମସ୍ୟା ନ ଥିବା ବେଳେ କାହିଁକି ସେ ଆତ୍ମହତ୍ୟା କଲେ ସେ ନେଇ ପରିବାର ଲୋକେ ମଧ୍ୟ ସନ୍ଦିହାନ ଅବସ୍ଥାରେ ରହିଛନ୍ତି । ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଗତ ଦୁଇ ମାସ ମଧ୍ୟରେ ଦିବ୍ୟରଞ୍ଜନଙ୍କ ବ୍ୟାଙ୍କ ଏକାଉଣ୍ଟରୁ ପଶ୍ଚିମବଙ୍ଗ ମେଦିନାପୁର ସ୍ଥିତ ୪/୫ ଟି ଏକାଉଣ୍ଟକୁ ପ୍ରାୟ ୨୦ରୁ ୨୨ ଲକ୍ଷ ଟଙ୍କା ପଠାଯାଇଥିବା ଅନୁସନ୍ଧାନରୁ ଜଣାଯାଇଛି । ଏପରିକି ସେ ବ୍ୟକ୍ତିଗତ ଭାବେ ଦୁଇ ଲକ୍ଷ ଟଙ୍କା ଋଣ ଉଠାଇବା ସହିତ ବିଭିନ୍ନ ସୂତ୍ରରୁ ଟଙ୍କା ସଂଗ୍ରହ କରିଥିଲେ । ପରେ ବିଭିନ୍ନ ପର୍ଯ୍ୟାୟରେ ମେଦିନାପୁର ସ୍ଥିତ କେତେକ ଏକାଉଣ୍ଟକୁ ଟଙ୍କା ପଠାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମେଦିନାପୁରସ୍ଥିତ ପିଏନବି ଶାଖାରେ ଦିବ୍ୟରଞ୍ଜନ କାର୍ଯ୍ୟରତ ଥିଲେ । ମାତ୍ର ଦୁଇମାସ ମଧ୍ୟରେ ସେଠାକାର ଏକାଉଣ୍ଟକୁ ଏତେ ପରିମାଣର ଟଙ୍କା ପଠାଇବା ଏକ ଭିନ୍ନ ଦିଗପ୍ରତି ସୂଚନା ଦେଉଛି । ଦିବ୍ୟରଞ୍ଜନ କୌଣସି ବ୍ଲାକମେଲର ଶିକାର ହୋଇ ଟଙ୍କା ପଠାଉଥିଲେ କି, ସେଠାରେ କାର୍ଯ୍ୟରତ ଥିବା ବେଳେ କାହା ସହିତ ତାଙ୍କର କିଛି ଡିଲ ହୋଇଥିଲା କି ! ବିପୁଳ ପରିମାଣର ଟଙ୍କା ଦେଇସାରିବା ପରେ ମାନସିକ ଚାପଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କରିନାହାନ୍ତି ତ ! ପୋଲିସ ବିଭିନ୍ନ ଦିଗପ୍ରତି ଦୃଷ୍ଟି ଦେଇ ଦିବ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ପାଇଁ ତାଙ୍କ ପରିବାର ବର୍ଗ ଓ ସମ୍ପର୍କୀୟ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

6 − 4 =