csstore

ବଲାଙ୍ଗିର ସଦର ପୋଲିସ ଦ୍ୱାରା ୫ ହଜାର ୨୮୦ ବୋତଲ କଫ୍‌ ସିରପ୍‌ ଜବତ୍‌ ସହ ୩ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଫ୍‌ ସିରପ୍‌ ଚୋରା ଚାଲାଣକାରୀ ମାନଙ୍କ ଭୂସ୍ୱର୍ଗ ପାଲଟିଥିବା ବେଳେ ବାରମ୍ବାର ବଲାଙ୍ଗିର ଜିଲ୍ଲା ପୋଲିସ୍‌ର ଚଢ଼ଉରେ ଧରା ପଡ଼ୁଛନ୍ତି ମାଳ ମାଳ କଫ୍‌ ସିରପ୍‌ ଚୋରା ଚାଲାଣକାରୀ । ବଲାଙ୍ଗିର ସଦର ପୋଲିସ ଦ୍ୱାରା ୫ ହଜାର ୨୮୦ ବୋତଲ କଫ୍‌ ସିରପ୍‌ ଜବତ୍‌ ସହ ୩ ଜଣ ଗିରଫ ହୋଇଥିବା ବିଷୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ । ଆଜି ପୂର୍ବାହ୍ନରେ ସ୍ଥାନୀୟ ସଦର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଟାଉନ୍‌ ଥାନା ଆଇଆଇସି କେ.ପ୍ରିୟଙ୍କା ରାଉତରାୟ ଏବଂ ସଦର ଆଇଆଇସି ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ଏସ୍‌ଡିପିଓ ଶ୍ରୀ ବାଗ ଏ ସଂପର୍କରେ ତଥ୍ୟ ରଖିଛନ୍ତି । ସୂଚନା ଅନୁସାରେ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ସଦର୍‌ ପୋଲିସର ଏକ ଟିମ୍‌ ସ୍ଥାନୀୟ ପଥରଚେପା ପାଖରେ ଗତକାଲି ସଂଧ୍ୟାରେ ଏକ ଅଶୋକ ଲେଲ୍ୟାଣ୍ଡ ପିକ୍‌ଅପ୍‌ ଗାଡ଼ି(ନଂ.ଓଡ଼ି୦୩ପି୨୬୫୧)କୁ ଅଟକାଇ ସେଥିରେ ଅଖା ଢଙ୍କା ଯାଇଥିବା ୫୨୮୦ ବୋତଲ୍‌ ଏସ୍‌କଫ୍‌ କଫ୍‌ ସିରପ୍‌ ଜବତ୍‌ କରିବା ସହ ଗାଡ଼ିରେ ଥିବା ଦୁଇ ଜଣ ମଘାମରାର କ୍ଷମା ଓରଫ୍‌ କ୍ଷମାନିଧି ମେହେର(୩୧) ଏବଂ ପାଟଣାଗଡ଼ ବାବାଜୀପଡ଼ାର ସୁରେଶ ଦାଶ(୩୪)ଙ୍କୁ ଗିରଫ୍‌ କରିଥିଲା । ପରେ ଏହି ପିକ୍‌ଅପ୍‌ ଗାଡ଼ିକୁ ଏସ୍‌କର୍ଟ ଦେଇ ଆଗରେ ଯାଉଥିବା ଲରମ୍ଭା ଥାନା ଅଧୀନସ୍ଥ ଲୁହାସିଂହାର ଗୋଲୁ ଓରଫ୍‌ ଲକ୍ଷ୍ମୀନାରାୟଣ ଅଗ୍ରୱାଲ(୪୨)ଙ୍କୁ ମଧ୍ୟ ପୋଲିସ ଗିରଫ୍‌ କରିଥିଲା । ତେବେ ୫,୨୮୦ ବୋତଲ ଏସ୍‌କଫ୍‌ କଫ୍‌ ସିରପ୍‌ ସହ ପିକ୍‌ଅପ୍‌ ଭ୍ୟାନ୍‌, ୩ ମୋବାଇଲ୍‌ ଫୋନ୍‌, ଗନି ବ୍ୟାଗ୍‌ ଓ ନଗଦ ୩୬୫୦ ଟଙ୍କା ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ଜବତ୍‌ କରିଥିବା କୁହାଯାଇଛି । ସଂପୃକ୍ତ କଫ୍‌ ସିରପ୍‌ ବୋଝେଇ ପିକ୍‌ଅପ୍‌ ଗାଡ଼ି ଉପରେ ଚଢ଼ାଉ ସମୟରେ ସଦର ଆଇଆଇସି ଶ୍ରୀ ସାହୁଙ୍କ ସମେତ ଏସ୍‌ଆଇ ଝସକେତନ ଭୋଇ, ଏସ୍‌ଆଇ ବାସୁଦେବ ଭୋଇ, ଏସ୍‌ଆଇ ଅବିନାଶ ନାୟକ, ଏସ୍‌ଆଇ ଆକାଶ ସାମଲ, ଏଏସ୍‌ଆଇ ହେମନ୍ତ ମିଶ୍ରଙ୍କ ସହ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ୍‌ ରହିଥିବା ଏସ୍‌ଡିପିଓ ଶ୍ରୀ ବାଗ ସୂଚନା ଦେଇଛନ୍ତି । ତେବେ ଜବତ୍‌ କଫ୍‌ ସିରପ୍‌ର ବଜାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।

jayashree
Leave A Reply

Your email address will not be published.