ବଲାଙ୍ଗିର ଜିଲ୍ଲାର ୩୧୭ ପଞ୍ଚାୟତରେ ବାଳସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ବିରୋଧ ତଥା କିଶୋର ସଶକ୍ତିକରଣ ଟାକ୍ସଫୋର୍ସ ବଲାଙ୍ଗିର ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ଜିଲ୍ଲାର ୩୧୭ଟି ଯାକ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ନିରୋଧ ଓ କିଶୋର ସଶକ୍ତିକରଣ ଟାସ୍କ-ଫୋର୍ସ ଏବଂ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ମିଳିତ ଉଦ୍ୟମରେ ବାଳସଭା (ଶିଶୁଙ୍କ ପାଇଁ ଦିନଟିଏ) ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପଞ୍ଚାୟତ ସ୍ତରୀୟ ଟାକ୍ସଫୋର୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ସମସ୍ତ ସରପଞ୍ଚ, ଆବାହିକା ଭାବେ ସଂପୃକ୍ତ ଆଇସିଡିଏସ୍‌ ସୁପରଭାଇଜର, ପିଇଓ, ହାଇସ୍କୁଲ ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଏଏନ୍‌ଏମ୍‌/ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଟୀର ସଭାପତି, ସଂପାଦିକା, କିଶୋରୀ କ୍ଲବ, ଆଞ୍ଚଳିକ ଯୁବ ଗୋଷ୍ଠୀ, ଆଶା କର୍ମୀ, ବାଳକ ଓ ବାଳିକା ପ୍ରତିନିଧି, ସାମାଜିକ ପ୍ରତିଷ୍ଠିତ ଭଦ୍ରବ୍ୟକ୍ତି ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରତିନିଧିଗଣ ଯୋଗ ଦେଇଥିଲେ । ସମସ୍ତ ବାଳସଭାମାନଙ୍କରେ ଅଞ୍ଚଳରେ ଥିବା ଶିଶୁମାନଙ୍କର ସମସ୍ୟା ସଂପର୍କରେ ସମସ୍ତ ପ୍ରତିଭାଗୀ ଆଲୋଚନା କରି ସମ୍ଭାବ୍ୟ ସମାଧାନ ଉପରେ ବିଚାର ବିମର୍ଷ କରି ସମାଧାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ବାଳସଭା କ୍ରମେ ସମସ୍ତେ ପଦଯାତ୍ରା କରି, ବାଲ୍ୟ ବିବାହକୁ ନା, ଶିଶୁ ଶ୍ରମିକକୁ ନିର୍ମୁଳ, କୁପୋଷଣର ଶିକାର ନ ହେବାକୁ, ଶିଶୁ ଚାଲାଣ ସଂପୂର୍ଣ୍ଣ ରୋକାଯିବାକୁ ଓ ସ୍କୁଲଯିବା ବୟସର ସମସ୍ତ ଶିଶୁ ନିୟମିତ ଓ ନିଶ୍ଚିତ ଶିକ୍ଷା ଅଧିକାର ପ୍ରାପ୍ତ ହେବେ ବୋଲି ନାରାବାଜି ହୋଇଥିଲା । ଏହା ପରେ ସମସ୍ତ ପଂଚାୟତରେ ଶିଶୁ ମଙ୍ଗଳ ଧର୍ମୀ କାର୍ଯ୍ୟ ପାଇଁ ସଂକଳ୍ପ ଓ ଶପଥ ପାଠ ହୋଇଥିଲା । ଜିଲ୍ଲାର ଅନେକ ପଞ୍ଚାୟତସ୍ତରୀୟ କାର୍ଯ୍ୟକ୍ରମରେ ସଂପୃକ୍ତ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଡିଓ, ଜିପିଇଓ, ସିଡିପିଓ, ବିଏସ୍‌ଏସ୍‌ଓ, ବିଇଓ, ମେଡିକାଲ ଅଫିସର ଉପସ୍ଥିତ ରହି ପଞ୍ଚାୟତସ୍ତରୀୟ ବାଳସଭାର ସମସ୍ତ ପ୍ରତିଭାଗୀ ଶିଶୁ ତଥା ପଦାଧିକାରୀ ସଦସ୍ୟମାନଙ୍କୁ ଉତ୍ସାହିତ କରିବା ସହ ବଲାଙ୍ଗିର ଜିଲ୍ଲାପାଳଙ୍କ ବାଲ୍ୟ ବିବାହ ଶୂନ୍ୟ ଜିଲ୍ଲାର ସଂକଳ୍ପକୁ ସାକାର କରିବାକୁ ନିବେଦନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରତିନିଧି ଚୁଡାମଣି ପଣ୍ଡା, ଦେଓଗାଁ ବ୍ଲକ, ଦିଗାମ୍ବର କର ବଲାଙ୍ଗିର ବ୍ଲକ, ସୁଧାଂଶୁ ଶେଖର କୁମ୍ଭାର ଆଗଲପୁର ବ୍ଲକ, ଅରୁଣ ଖୁଆସ ପୁଇଁନ୍ତଲା ବ୍ଲକ, ଶେଷଦେବ ମହାକୁର ସଇଁନ୍ତଲା ବ୍ଲକ, ନିର୍ମଳ ଶର୍ମା ଗୁଡଭେଲା ବ୍ଲକ, ପ୍ରମୋଦ ବଗର୍ତ୍ତି ଲୋଇସିଂହା ବ୍ଲକର ପର୍ଯ୍ୟବେକ୍ଷକ ଭାବେ ବିଭିନ୍ନ ପଂଚାୟତ ଗସ୍ତ କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ଥଲାଲ ଦୀପ ମୋଟାମୋଟି ଭାବେ ଜିଲ୍ଲାର ସମସ୍ତ ବ୍ଲକର ୩୧୭ ପଞ୍ଚାୟତର ବାଳସଭାକୁ ପ୍ରତ୍ୟକ୍ଷ ଭାବେ ତତ୍ତ୍ୱାବଧାନ କରିଥିଲେ ।

Leave A Reply

Your email address will not be published.

four × four =