jayashree

ଛଠ ମହାପର୍ବର ଭବ୍ୟ ଆୟୋଜନ ପାଇଁ କେନ୍ଦ୍ରୀୟ ଛଠ ପୂଜା ସମିତିର ବୈଠକ : କୃଷ୍ଣା ସାହୁ ଚିଫ୍ କୋଅର୍ଡିନେଟର, ପ୍ରମୋଦ ଜାୟସୱାଲ ସିନିଅର କୋଅର୍ଡିନେଟର

ରାଉରକେଲା, (ସସ୍ମିତା ପ୍ରଧାନ) : ଲୋକ ଆସ୍ଥାର ମହାପର୍ବ ଛଠ ପୂଜାକୁ ଏହି ବର୍ଷ ଅଧିକ ଭବ୍ୟ ଓ ସୁବ୍ୟବସ୍ଥିତ ଭାବେ ପାଳନ କରିବା ପାଇଁ କେନ୍ଦ୍ରୀୟ ଛଠ ପୂଜା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଦିନ ହନୁମାନ ବାଟିକା ସ୍ଥିତ କାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରର ବିଭିନ୍ନ ସାମାଜିକ, ଧାର୍ମିକ ଏବଂ ସାଂସ୍କୃତିକ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ଛଠ ମହାପର୍ବକୁ ଶ୍ରଦ୍ଧା, ସୌହାର୍ଦ୍ଦ୍ୟ ଏବଂ ଉତ୍ତମ ସମନ୍ୱୟ ସହ ପାଳନ କରିବା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବୈଠକରେ ସର୍ବସମ୍ମତି କ୍ରମେ ସମିତିର ନୂତନ ଦାୟିତ୍ୱ ବଣ୍ଟନ କରାଯାଇଛି । କୃଷ୍ଣା ସାହୁଙ୍କୁ ଚିଫ୍ କୋଅର୍ଡିନେଟର ଭାବେ ମନୋନୀତ କରାଯାଇଥିବା ବେଳେ ପ୍ରମୋଦ ଜାୟସୱାଲଙ୍କୁ ସିନିଅର କୋଅର୍ଡିନେଟର ଦାୟିତ୍ୱ ଦିଆଯାଇଛି । ସେହିପରି ପିଙ୍କୁ ଜୟସୱାଲ ଏବଂ ଗୁଡ୍ଡୁ ସିଂହଙ୍କୁ ସହ-କୋଅର୍ଡିନେଟର, ରବିକାନ୍ତ ସାହୁଙ୍କୁ ସୋସିଆଲ ମିଡିଆ କୋଅର୍ଡିନେଟର ଏବଂ ମନୀଷ ତିୱାରୀଙ୍କୁ ଇଲେକ୍ଟ୍ରୋନିକ ମିଡିଆ କୋଅର୍ଡିନେଟର ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ନୂତନ ଟିମ୍ ଆଗାମୀ ଦିନରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟକୁ ତଦାରଖ କରିବ । ବୈଠକରେ ସୂଚନା ଦିଆଯାଇଛି ଯେ, ଏହି ବର୍ଷ ନଭେମ୍ବର ୧୩ ତାରିଖରୁ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଛଠ ମହାପର୍ବ ପାଳନ କରାଯିବ । ଏହାପରେ ନଭେମ୍ବର ୧୮ ତାରିଖରେ ବିଶାଳ ଛଠ ମହୋତ୍ସବର ଆୟୋଜନ କରାଯିବ । ଗତବର୍ଷର ସଫଳ ଆୟୋଜନକୁ ମନେପକାଇ ଏହି ବର୍ଷ ତାହାଠାରୁ ଅଧିକ ଭବ୍ୟ ଓ ଶୃଙ୍ଖଳିତ କରିବାକୁ ସମିତି ସଂକଳ୍ପ ନେଇଛି । ବେଦ ପ୍ରକାଶ ତିୱାରୀ କହିଥିଲେ, ଗତବର୍ଷ କେନ୍ଦ୍ରୀୟ ଛଠ ପୂଜା ସମିତିର ଉଦ୍ୟମରେ ରାଉରକେଲା ପ୍ରଶାସନ ପକ୍ଷରୁ ପ୍ରଶଂସନୀୟ ସହଯୋଗ ମିଳିଥିଲା । ଏହି ବର୍ଷ ମଧ୍ୟ ଘାଟ ସଫେଇ, ଆଲୋକୀକରଣ, ପାନୀୟ ଜଳ, ସୁରକ୍ଷା ଏବଂ ଯାତାୟାତ ସୁବିଧା ପାଇଁ ପ୍ରଶାସନର ସହଯୋଗ ଆଶା କରାଯାଉଛି । ଓପି ସିଂହ କହିଥିଲେ, ନୂତନ ପିଢ଼ିକୁ ଛଠ ପରମ୍ପରା ସହ ଯୋଡ଼ିବା ଉଦ୍ଦେଶ୍ୟରେ ଏହି ବର୍ଷ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ । ଏହାଦ୍ୱାରା ପିଲାମାନଙ୍କ ମଧ୍ୟରେ ସଂସ୍କାର ଓ ସଚେତନତା ବୃଦ୍ଧି ପାଇବ । କୃଷ୍ଣା ସାହୁ କହିଥିଲେ, ଶ୍ରଦ୍ଧାଳୁଙ୍କ ଭାବନାକୁ ସମ୍ମାନ ଦେଇ ପ୍ରଶାସନ ବିଦ୍ୟାଳୟଗୁଡ଼ିକରେ ଛୁଟି ଘୋଷଣା ଦିଗରେ ପଦକ୍ଷେପ ନେବ ବୋଲି ଆଶା । ପ୍ରମୋଦ ଜାୟସୱାଲ ଛଠୀ ମାଇୟାଙ୍କ ସେବାର ସୁଯୋଗ ସୌଭାଗ୍ୟ ବୋଲି କହି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ଭୋଲା ଶରଣ, ଅମର ଜାୟସୱାଲ, ସତୀଶ ସିଂହ, ଧର୍ମେନ୍ଦ୍ର ଯାଦବ, ଜିତୁ ରାୟ, ଶିବଶଙ୍କର ପାଣ୍ଡେ, ରଞ୍ଜୟ ପ୍ରସାଦ, ହରିଶଙ୍କର ସାହ, ଉମେଶ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପର୍ବକୁ ସ୍ୱଚ୍ଛ, ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା ।

Leave A Reply

Your email address will not be published.