ବଙ୍ଗୋମୁଣ୍ଡା ପଂଚାୟତ ସମିତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସରରେ ଗତକାଲି ବଙ୍ଗୋମୁଣ୍ଡା ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୋଭିଡ-୧୯ ଆଇନକୁ ମାନିବା ସହ ସମସ୍ତେ ସାମାଜିକ ଦୂରତା ରକ୍ଷା କରି ଏହି ବୈଠକ ଦୀର୍ଘ ୭ ମାସ ପରେ ବସିଥିଲା । ଏହି ଅବସରରେ ଆୟୋଜିତ ବୈଠକରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା, ଉପାଧ୍ୟକ୍ଷ ମାମରାଜ ଜୈନ, ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ସିନ୍ଧେକେଲା ଜୋନ ଜିଲ୍ଲା ପରିଷଦ ସଦସ୍ୟା ଛନ୍ଦାରାଣୀ ନାଏକ, ସାଂସଦଙ୍କ ପ୍ରତିନିଧି କିଶୋର କୁମାର ଜୈନ, ସ୍ୱାସ୍ଥ୍ୟ ବିଭାଗର ସୁପରଭାଇଜର ପ୍ରଶାନ୍ତ ମିଶ୍ର, କୃଷି ବିଭାଗର ସହକାରୀ କୃଷି ଅଧିକାରୀ ଅମିତ ପଟେଲ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ମଞ୍ଜୁଳତା ଗୌଡ ଉପସ୍ଥିତ ରହି ନିଜ ବିଭାଗ ସଂମ୍ପର୍କରେ ଜନପ୍ରତିନିଧିଙ୍କ ଠାରେ ଅବଗତ କରିଥିଲେ । କରୋନା ମହାମାରୀ ଦେଖା ଦେଇଥିବା ବେଳେ ଗାଁ ଗାଁରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ । କିଡନୀ ରୋଗରେ ପ୍ରଭାବିତ ହୋଇଥିବା ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଲାଗିଥିବା ସମସ୍ୟାର ସମାଧାନ କରିବା ପାଇଁ ପ୍ରସ୍ତାବ କରାଯାଇଥିଲା । ଆଜି ବି ଅନେକ ଗାଁର ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ କୁହାଯାଇଥିଲା । ବଙ୍ଗୋମୁଣ୍ଡା ବ୍ଲକରେ ଯୋଗାଣ ନିରୀକ୍ଷକ ଆସୁନଥିବାରୁ ଅଂଚଳରେ ଶହ ଶହ ଲୋକମାନଙ୍କ ରାସନ କାର୍ଡ କଟି ଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜନ ପ୍ରତିନିଧି ମାନେ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭିନ୍ନ ଗାଁରେ ଅଚଳ ନଲକୂପକୁ ସଚଳ କରିବା ପାଇଁ କୁହାଯାଇଥିଲା । ଏଥିରେ ଜିପିଇଓ ରାହାସ ବିହାରୀ ମଲ୍ଲିକ, ସହକାରୀ ଯନ୍ତ୍ରୀ ଟନକିଶୋର ନାଏକ, କାର୍ଯ୍ୟନିବାହୀ ଅଧିକାରୀ ସୁଧିର ଚନ୍ଦ୍ର ଠାକୁର ପ୍ରମୁଖଙ୍କ ସହ ବହୁ ପଂଚାୟତର ସରପଂଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ । ସମସ୍ତ ଜନପ୍ରତିନିଧି, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସାନିଟାଇଜ୍‌ କରାଯାଇ ମାସ୍କ ପ୍ରଦାନ କରି ବୈଠକରେ ପ୍ରବେଶ କରିଥିଲେ ଓ ସମସ୍ତଙ୍କୁ ସାମାଜିକ ରକ୍ଷା କରି ବୈଠକରେ ଉପସ୍ଥିତ ହେବା ପାଇଁ କୁହାଯାଇଥିଲା । ଭାଲୁମୁଣ୍ଡା ସରପଂଚ ଉପେନ୍ଦ୍ର ମେହେର, ସିନ୍ଧେକେଲା ସରପଂଚ ରାଜା ଥନାପତି, ବଙ୍ଗୋମୁଣ୍ଡା ସରପଂଚ ସୁଶାନ୍ତ କୁମାର ଯୋଶୀ ବିଭିନ୍ନ ପ୍ରସଙ୍ଗରେ ରହିଥିବା ସମସ୍ୟାକୁ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । କୋଭିଡ ନିୟମ ପାଳନ ପୂର୍ବକ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.