
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ୟୁନିୟନ୍ ଅଫ୍ ଜର୍ଣ୍ଣାଲିଷ୍ଟର ସହନୁବନ୍ଧିତ ଗଞ୍ଜାମ ଜିଲ୍ଲା ସାମ୍ୱାଦିକ ୟୁନିୟନ୍ର ବାର୍ଷିକ ସାଧାରଣ ବୈଠକ ବ୍ରହ୍ମପୁର ସ୍ଥିତ ସର୍କିଟ ହାଉସର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସଭାପତି ପ୍ରକାଶ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ସଦସ୍ୟ ଓ.ୟୁ.ଜେ. ସାଧରଣ ସମ୍ପାଦକ ପ୍ରସନ୍ନ ପାଇକରାୟ ଯୋଗଦେଇ ରାଜ୍ୟର ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଆକ୍ରମଣ, ଅପମାନ ଆଦିକୁ ସେ ଦୃଢ଼ ନିନ୍ଦା କରିବା ସାଂଗକୁ ସେ ଦିଗରେ ଆମେ ସମସ୍ତେ ଏକାଠି ହୋଇ ସଂଘକୁ ମଜବୁତ୍ କରିବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ପ୍ରମୁଖ ବିଭିନ୍ନ ବିଷୟରେ ଆଲୋକପାତ କରି ସଂଘକୁ ସୁଦୃଢ଼ୀକରଣ କରିବା ଦିଗରେ ଆଲୋକପାତ କରିଥିଲେ । ଛତ୍ରପୁର ପ୍ରେସ କ୍ଲବ ସଭାପତି ରବିନ୍ଦ୍ର ନାଥ ପଣ୍ଡା ଯୋଗଦେଇ ଏ ସମସ୍ତ ସମସ୍ୟାକୁ ସଂଘ ଗୁରୁତ୍ୱର ସହ ନେଇ କାର୍ଯ୍ୟକାରୀ କରିବାକୁ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ । ଏପରିକି ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ସାମ୍ବାଦିକଙ୍କ ନିମନ୍ତେ ପେନସନ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ଦ୍ଵାରା ଖୁବ୍ ଶୀଘ୍ର ଘୋଷଣା କରିବା ଆବଶ୍ୟକ ବୋଲି ବିଭିନ୍ନ ସ୍ଥାନରୁ ଆସିଥିବା ସାମ୍ବାଦିକ ମାନେ ମତପ୍ରକାଶ କରିଛନ୍ତି । ଯାହାକି ସାମ୍ବାଦିକମାନଙ୍କ ଆର୍ଥିକ ସମସ୍ୟା ବହୁତ ଦୟନୀୟ ଅବସ୍ଥାରେ ପଡ଼ିରହିଛି । ସେମାନଙ୍କୁ ସ୍ଵାସ୍ଥ୍ୟ ବୀମା ରାଜ୍ୟସରକାର ଦେଇଛନ୍ତି, ସତ କିନ୍ତୁ ସାମ୍ବାଦିକମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ସାଧାରଣ ଚିକିତ୍ସା ସେବା ଓ ଔଷଧ ଦ୍ରବ୍ୟ ସମ୍ପୂର୍ଣ୍ଣ ମଗଣାରେ ଯୋଗାଇଦେବାକୁ ଦାବୀ ହୋଇଛି । ଏଥି ସାଂଗକୁ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ବାସଗୃହ ନିର୍ମାଣ, ଗାଡ଼ି, ବାହନ ଆଦି କ୍ରୟ କରିବାକୁ ଏକ ସ୍ୱତନ୍ତ୍ର ଋଣ ସୁବିଧା ଲାଗୁ କରିବା ଉପରେ ଆଲୋଚନା ହୋଇଥିଲା । ସାମ୍ବାଦିକଙ୍କ ନିମନ୍ତେ ଦୂରଯାତ୍ରା, ତୀର୍ଥ କ୍ଷେତ୍ର ଆଦି ଯାତ୍ରା କରିବାକୁ ହେଲେ ସ୍ଵତନ୍ତ୍ର ପାସ୍ ବ୍ୟବସ୍ଥା ମାଧ୍ୟମରେ ଟ୍ରେନ୍ ଏବଂ ବସ୍ରେ ଯାତ୍ରା କରିବାକୁ ହେଲେ ଯାତ୍ରୀଶୁଳ୍କ ସାନ୍ତ୍ଵନାମୂଳକ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି । ମୁଖ୍ୟଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲା ସଙ୍ଘ ତରଫରୁ ପ୍ରତିନିଧିତ୍ଵ କରିଥିବା ପ୍ରତିନିଧି ଅବା ସଦସ୍ୟ ମାନଙ୍କୁ ନେଇ ନୂତନ ଭାବେ କର୍ମକର୍ତ୍ତା ଚୟନ କରାଯାଇଛି । ସେମାନେ ହେଲେ ସଭାପତି-ସଦାଶିବ ପଣ୍ଡା (ପୁରୁଷୋତ୍ତମପୁର), ଉପ-ସଭାପତି ଏ. ରାଜା ରାଓ (ବ୍ରହ୍ମପୁର), ରାଜଗୋପାଳ ପାଢ଼ୀ (ପାତ୍ରପୁର), ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର (ଛତ୍ରପୁର), ସଂପାଦକ ମେଘନାଦ ଦାସ (ଶେରଗଡ଼), ସନ୍ତୋଷ କୁମାର ପଣ୍ଡା (ପୋଲସରା), କୋଷାଧ୍ୟକ୍ଷ ଭାବେ ସୁଧୀର କୁମାର ନାହାକ (ଛତ୍ରପୁର), ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଅଶୋକ କୁମାର ମହାଙ୍କୁଡ (ପୁରୁଷୋତ୍ତମପୁର) ପ୍ରମୁଖଙ୍କୁ ମନୋନୀତ କରାଯାଇଛି ।