୨୧ରୁ ବଲାଙ୍ଗିରରେ ଜାତୀୟ ସବ୍‌ଜୁନିଅର ବ୍ୟାଡମିଣ୍ଟନ ଚମ୍ପିଆନ୍‌ସିପ୍‌

-ଭାଗନେବେ ୪୫୦ରୁ ଅଧିକ ଖେଳାଳୀ, କୋଚ୍‌, ସର୍ପୋଟିଂ ଷ୍ଟାଫ୍‌
-୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଜାତୀୟ ରେଫରୀ ତାଲିମ ଓ ପରୀକ୍ଷା
-ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ କରି ଇତିହାସ ରରିବ ବଲାଙ୍ଗିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମଠାରେ ଜାତୀୟ ସବ୍‌ଜୁନିଅର (୧୩ ବର୍ଷ ବୟସ ବର୍ଗ) ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ ଅନୁଷ୍ଠିତ ହେବ । ଏହି ଚମ୍ପିଆନ୍‌ସିପ୍‌ରେ ଦେଶର ସମସ୍ତ ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୪୫୦ରୁ ଅଧିକ ମନୋନୀତ ଖେଳାଳୀ ଅଂଶଗ୍ରହଣ କରିବେ ବୋଲି ଶନିବାର ଅପରାହ୍ଣ ୪ଟାରେ ଷ୍ଟାଡିୟମ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ଏହି ଚମ୍ପିଆନ୍‌ସିପ୍‌ର ସଫଳ ଆୟୋଜନ ପାଇଁ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଥିଲେ । ବଲାଙ୍ଗିରରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରର ବ୍ୟାଡମିଣ୍ଟନ ଚମ୍ପିଆନ୍‌ସିପ୍‌ ଆୟୋଜନ ହେବା ସମଗ୍ର ବଲାଙ୍ଗିର ତଥା ସମଗ୍ର ରାଜ୍ୟ ପାଇଁ ଗୌରବର ବିଷୟ । ଏହି ଚମ୍ପିଆନ୍‌ସିପକୁ ସଫଳ କରିବା ଦିଗରେ ବଲାଙ୍ଗିରର ସମସ୍ତ ଜନସାଧାରଣ, ଜିଲ୍ଲା ପ୍ରଶାସନ ଏବଂ ଗଣମାଧ୍ୟମକୁ ସେ ଅନୁରୋଧ କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପୂର୍ବର ଏକ ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧରେ ଉପଜିଲ୍ଲାପାଳ ତଥା ଆୟୋଜନ କମିଟିର ଉପାଧ୍ୟକ୍ଷ ପ୍ରଭାସ କୁମାର ଦଣ୍ଡସେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଖେଳାଳୀ, କୋଚ୍‌, ରେଫରୀ, ରାଜ୍ୟ ତଥା ଜାତୀୟ ସଂଘ କର୍ମକର୍ତ୍ତାଙ୍କ ରହଣି, ଖାଇବା ଏବଂ ଗମନାଗମନ ଓ ଖେଳ ପାଇଁ ଆଜି ପର୍ଯ୍ୟନ୍ତ କରାଯାଇଥିବା ପ୍ରସ୍ତୁତିକୁ ନେଇ ଭାରତୀୟ ବ୍ୟାଡମିଣ୍ଟନ ସଂଘ ଦ୍ୱାରା ନିଯୁକ୍ତି ହୋଇଥିବା ସଂୟୋଜକ ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ସୁରୁଲାଲ ମଟାରୀ ସମସ୍ତ ସୂଚନା ଦେଇଥିଲେ । ଚମ୍ପିଆନସିପ୍‌ ଆରମ୍ଭ ହେବା ପୂର୍ବରୁ ନଭେମ୍ବର ୧୮, ୧୯ ଓ ୨୦ ତାରିଖ ତିିନିଦିନ ଧରି ଜାତୀୟ ରେଫରୀ ତାଲିମ ଅନୁଷ୍ଠିତ ହେବ ଏବଂ ଏହାର ପରୀକ୍ଷା ୨୧, ୨୨, ୨୩ ଓ ୨୪ ତାରିଖ ଖେଳ ସମୟରେ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ବାହାରୁ ୩୬ ଜଣ ଏବଂ ଓଡିଶାରୁ ୩୦ ଜଣ ରେଫରୀ ପରୀକ୍ଷା ପାଇଁ ମନୋନୀତ ହୋଇଥିବା ସୂଚନା ଦିଆଯାଇଥିଲା । ଏହି ପ୍ରତିଯୋଗିତା ସମୟରେ ଭାରତୀୟ ବ୍ୟାଡମିଣ୍ଟନ ସଂଘର ଟୁର୍ଣ୍ଣାମେଣ୍ଟ କମିଟି ଆବାହକ ଉମର ରସିଦ୍‌, ଉପସଭାପତି ଏସ୍‌ ମୁରଲୀଧରନ୍‌, ଜାତୀୟ ରେଫରୀ କମିଟି ଆବାହକ ରାକେଶ ଶେଖର, ଭାରତୀୟ ପାରା ବ୍ୟାଡମିଣ୍ଟନ ଯୁଗ୍ମ ସମ୍ପାଦକ ପ୍ରଭାକର ରାଓ, ବିଶ୍ୱ ବ୍ୟାଡମିଣ୍ଟନ ଫେଡରେସନ୍‌ ସ୍ୱୀକୃତି ପ୍ରାପ୍ତ ଅମ୍ପାୟର ଧନଞ୍ଜନ ସାନି, ଫାଇନ୍‌ ସି ଦଥାନ୍‌, ସୁଦୀପ ବାର୍ଭେ, ଆନ୍ତର୍ଜାତିକ କୋଚ୍‌ ତଥା ଖେଳାଳୀ ଏମ୍‌ ଭି ମୁରଲିକ୍ରିଷ୍ଣା, ଜାତୀୟ କୋଚ୍‌ ଗୋବର୍ଦ୍ଧନ ରେଡ୍ଡି ପ୍ରମୁଖ ଉପସ୍ଥିତ ରହିବେ ବୋଲି ସୂଚନା ଦିଆଯାଇଥିଲା । ଆଜିର ଏହି ଆୟୋଜନ କମିଟି ବୈଠକ ତଥା ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ବୀରେନ୍ଦ୍ର ମିଶ୍ର, ସୁଶାନ୍ତ ଚୋପଦାର, ଧର୍ମେନ୍ଦ୍ର ନନ୍ଦ, ପ୍ରାକ୍ତନ ଖେଳାଳୀ ନବୀନ ନନ୍ଦ, ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା ଏବଂ ରେଫରୀ ପରୀକ୍ଷା ଦାୟିତ୍ୱରେ ଥିବା ଅନନ୍ତ ବେହେରା ଓ ମାନସ ମହାନ୍ତି ମଞ୍ଚାସୀନ ହୋଇ ଚମ୍ପିଆନ୍‌ସିପ୍‌ ସଫଳତା ଦିଗରେ ମତାମତ ଦେଇଥିଲେ ।

Leave A Reply

Your email address will not be published.

20 − ten =