jayashree

ଲଗାଣ ବର୍ଷାରେ ବେହାଲ ନୂଆପଡ଼ା : ୨-୩ ଦିନର ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

  • ଓଡ଼ିଶା-ଛତିଶଗଡ଼ ଯୋଗାଯୋଗ ବିଚ୍ଛିନ୍ନ, ସ୍କୁଲ-କଲେଜ ବନ୍ଦ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ଗତ ଦୁଇରୁ ତିନି ଦିନ ଧରି ଲଗାତାର ହେଉଥିବା ପ୍ରବଳ ବର୍ଷା ନୂଆପଡ଼ା ଜିଲ୍ଲାର ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି । ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ସ୍କୁଲ ଓ କଲେଜକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଆଦେଶ ଜାରି କରିଛନ୍ତି । ସାରାବଙ୍ଗ ବ୍ରିଜ୍ ଭାଙ୍ଗିବାରୁ ଅନ୍ତର୍ରାଜ୍ୟ ଯୋଗାଯୋଗ ଠପ୍ । ଲଗାତାର ବର୍ଷାରେ ସୃଷ୍ଟି ହୋଇଥିବା ପ୍ରବଳ ସ୍ରୋତରେ ସାରାବଙ୍ଗ ବ୍ରିଜ୍ ଭାଙ୍ଗିଯାଇଛି । ଫଳରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସଡ଼କ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ଏହି ଘଟଣା ଯାତ୍ରୀ, ବ୍ୟବସାୟୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ଅସମ୍ପୂର୍ଣ୍ଣ ନୂଆ ବ୍ରିଜ୍ ନେଇ ବଢ଼ିଲା ଅସନ୍ତୋଷ । ଦୀର୍ଘଦିନ ଧରି ନିର୍ମାଣାଧୀନ ଥିବା ନୂଆ ସାରାବଙ୍ଗ ବ୍ରିଜ୍ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ । ପୁରୁଣା ବ୍ରିଜ୍ ଭାଙ୍ଗିଯିବା ଏବଂ ନୂଆ ବ୍ରିଜ୍‌ର କାମ ଶେଷ ନହେବାରୁ ଲୋକମାନେ ଏବେ ଚରମ ର୍ଦୁଭାଗ୍ୟର ସମ୍ମୁଖୀନ ହେଉଛନ୍ତି । ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୁଇ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ନୂଆପଡ଼ା ବ୍ଲକ୍‌ର ମୋଟା ନୂଆପଡ଼ା ଓ ଆମାନାରା ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ଯୋଗାଯୋଗ ବ୍ୟବସ୍ଥା ଠପ୍ ହୋଇଯାଇଥିବାରୁ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଉଦ୍ଧାର, ରିଲିଫ୍ ଏବଂ ବିକଳ୍ପ ଯାତାୟାତ ବ୍ୟବସ୍ଥା କରିବାକୁ ଦାବି ଜୋର ଧରିଛି । ସୁନାବେଡ଼ା ଅଭୟାରଣ୍ୟରେ ମଧ୍ୟ ପରିସ୍ଥିତି ସଙ୍କଟଜନକ । ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ମଧ୍ୟ ଲଗାତାର ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ପାଣିରେ ଏକାଧିକ ଛୋଟବଡ଼ ପୋଲ କ୍ଷତିଗ୍ରସ୍ତ ଓ ଭାଙ୍ଗିଯାଇଥିବାରୁ ଅଞ୍ଚଳଟି ବାହ୍ୟ ଜଗତରୁ ପ୍ରାୟ ବିଚ୍ଛିନ୍ନ ହୋଇପଡ଼ିଛି । ସହରରେ ପଶିଲା ବର୍ଷା ପାଣି, ଜଳବନ୍ଦୀ ତେଲିପଡ଼ା ନୂଆପଡ଼ା ସହରର ତେଲିପଡ଼ା ଅଞ୍ଚଳରେ ବର୍ଷା ପାଣି ଘରଭିତରକୁ ପଶିଯାଇଛି । ଅନେକ ପରିବାର ଜଳବନ୍ଦୀ ହୋଇଥିବା ବେଳେ ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ନଷ୍ଟ ହୋଇଯାଇଛି । ଲଗାତାର ବର୍ଷା ଯୋଗୁଁ ସମଗ୍ର ଜିଲ୍ଲାରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି । ବର୍ତ୍ତମାନ ସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବା, ଅନାବଶ୍ୟକ ଯାତ୍ରା ନକରିବା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳଠାରୁ ଦୂରେ ରହିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.