
ବଲାଙ୍ଗିର, (କେପିଏନ୍ଏସ୍) : ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର । ଦୁଇ ଦିନର ଲଗାଣ ବର୍ଷା ପରେ ଲକ୍ଷ୍ମୀଯୋରରେ ବନ୍ୟାଜଳ ବଢ଼ି ସତ୍ୟନାରାୟଣପଡ଼ାର ପରିସ୍ଥିତି ସଙ୍କଟଜନକ ହୋଇପଡ଼ିଛି । ତଳିଆ ବ୍ରିଜ ଉପରେ ପ୍ରବଳ ସ୍ରୋତ ବହୁଥିବାରୁ ଅନେକ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି ଏବଂ ଜନଜୀବନ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି । ଏହି ପରିସ୍ଥିତିରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ କ୍ଷୁଦ୍ର ଜଳସେଚନ ବିଭାଗର ସହଯନ୍ତ୍ରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ । ଜଳବନ୍ଦୀ ପରିବାରଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ ସହ ଶୀଘ୍ର ସହାୟତା ପାଇଁ ସମ୍ପୃକ୍ତ ବିଭାଗକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଖୁବଶୀଘ୍ର ସେଠାରେ ଏକ ବଡ଼ ଓ ଉଚ୍ଚତର ବ୍ରିଜ ନିର୍ମାଣ କରାଯିବ ବୋଲି ଆଶ୍ୱାସନ ମିଳିଛି ।