ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଝିଅ

ଗଜପତି, (କେପିଏନ୍‌ଏସ୍‌) : କରୋନା ମହାମାରୀରେ ଅନେକ ପରିବାର ଉଜୁଡି ଯାଇଥିବା ବେଳେ ଅନେକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥା ଦୋହଲି ଯାଇଛି । ଏହିଭଳି ଅବସ୍ଥାରେ ପରିବାରର କିଏ ମୁରବି ହରାଇଛି ତ କିଏ ରୋଜଗାରିଆ ପୁଅକୁ ହରାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗଜପତି ଜିଲ୍ଲା ମୋହନା ବ୍ଲକ ମୋହନା ପଞ୍ଚାୟତ ଦଳିତ ସାହିରେ । ଏହି ସାହି ବାସିନ୍ଦା ସରଜ ପୋଲେଈ ଗତ ଜୁନ ମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ବ୍ରହ୍ମପୁର ଟାଟା କୋଭିଡ ଡାକ୍ତର ଖାନରେ ତାଙ୍କର ଗତ ଜୁଲାଇ ୧୧ ତାରିଖରେ ଦେହାନ୍ତ ହୋଇଥିଲା । ସେ ଚାଲିଗଲା ପରେ ପରିବାର ଅସହାୟ ହୋଇ ପଡିଥିଲା । ଘରେ ବିଧବା ପତ୍ନୀ ସହିତ ୬ ବର୍ଷର ଓ ୯ ବର୍ଷର ଝିଅ ଅଛନ୍ତି । ଦୁଇ ଝିଅ ମୋହନା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢୁଛନ୍ତି । ଦୁଇଟି ଛୁଆଙ୍କୁ କିପରି ମଣିଷ କରିବେ ତାହାକୁ ନେଇ ତାଙ୍କ ସ୍ତ୍ରୀ ମର୍ମାହତ । ସେ କିପରି ଳାଳନପାଳନ କରିବେ ତାହାକୁ ନେଇ ଚିନ୍ତିତ ଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ଖବରକୁ ପଢି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ଗଜପତି ଜିଲ୍ଲାପାଳ, ଶିଶୁ ସୁରକ୍ଷା ୟୁନିଟ ଗଜପତି, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ମୋହନା ବିଡ଼ିଓଙ୍କୁ ଏହି ବିଷୟରେ ଅବଗତ କରାଇ ଦୁଇଟି ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ନିବେଦନ ରକ୍ଷାକରି ଡ଼ିସିପିଓଙ୍କ ନିଦ୍ଦେଶରେ ଦୁଇଜଣ ଅଧିକାରୀ ପହଂଚି ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଦୁଇଜଣ ଝିଅଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ମାସିକ ୧୫ସହ ଟଙ୍କା ଦିଆଯିବ ବୋଲି କହିଲେ । ସେହିପରି ତାଙ୍କର ସ୍ତ୍ରୀଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସାମିଲ କରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଗଜପତି ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

2 × four =