ଘୋର ଅବ୍ୟବସ୍ଥା ମଧ୍ୟରେ ପ୍ରାଣୀଧନ ଚିକିତ୍ସା ସେବା : ସାଧାରଣରେ ଅସନ୍ତୋଷ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ବର୍ତ୍ତମାନ ଘୋର ଅବ୍ୟବସ୍ଥା ଭିତରେ ଚାଲିଥିବା ଦେଖାଦେଇଛି । ସୂଚନା ଥାଉକି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପଶୁ ସମ୍ପଦର ସୁରକ୍ଷାକୁ ନେଇ ବିଗତ ବର୍ଷ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷଠାରେ ଦୁଇଟି ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥଲା । ପ୍ରଥମ ବୈଠକଟି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଦ୍ଵିତୀୟ ବୈଠକଟି ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଦତ୍ତାତ୍ରେୟ ଭାଉ ସାହେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠସିତ ହୋଇଥିଲା । ବୈଠକରେ ପଶୁପକ୍ଷୀଙ୍କ ସୁରକ୍ଷା ଏବଂ ସେମାନଙ୍କ ଯତ୍ନ କିପରି ରକ୍ଷା କରାଯାଇ ପାରିବ ସେ ନେଇ ବିଶେଷ ଆଲୋଚନା ହୋଇଥିଲା । ବୈଠକରେ ପଶୁଙ୍କ ବହୁବିଧ ସମସ୍ୟାର ସମାଧାନ ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ ଏସପିସିଏର ସଦସ୍ୟ, ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ । ପଶୁପକ୍ଷୀ ଦୁର୍ଘଟଣାର ଶିକାର ହେଲେ ସେମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ଦରକାର ହେଉଥିବା ଆମ୍ବୁଲାନ୍ସ, ଉନ୍ନତ ଧରଣର ଯନ୍ତ୍ରପାତି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବା ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର ପରିପ୍ରେକ୍ଷୀରେ ସିକନ୍ଦରାବାଦ ସ୍ଥିତ ଜି.ଭି.କେ ସଂସ୍ଥା, ବ୍ରହ୍ମପୁର ଅନନ୍ତନଗର ସ୍ଥିତ ବିକାଶ, ଜଗତସିଂହପୁର ପିପୁଲ ଫର୍ ଆନିମଲ୍ସ ଓ ବ୍ରହ୍ମପୁର ଲୋଚାପଡ଼ା ସ୍ଥିତ ଆଦର୍ଶ ସଂସ୍ଥା ପକ୍ଷରୁ ସେମାନଙ୍କର ସର୍ତ୍ତାବଳୀ ବୈଠକରେ ଉପସ୍ଥାପନ କରିଥିଲେ । ଉକ୍ତ ସର୍ତ୍ତାବଳୀକୁ ବିଶ୍ଳେଷଣ କରି ସିକନ୍ଦରାବାଦ ସ୍ଥିତ ଜି.ଭି.କେ ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରିଥିଲେ ଜିଲ୍ଲାପାଳ ।

କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଉକ୍ତ ସଂସ୍ଥା ଦାୟିତ୍ୱ ନେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ଯୋଗାଇବାରେ ବିଫଳ ହୋଇଥିବା ନେଇ ବ୍ରହ୍ମପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଘୋର ଅସନ୍ତୋଷ ପ୍ରକାଶ ପାଉଥିବା ଅଭିଯୋଗକୁ ନେଇ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଭେଟିଥିଲେ ଏସ୍‌ପିସିଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀ । ଶ୍ରୀ ଚୌଧୁରୀ ତାଙ୍କ ସାକ୍ଷାତକାରରେ କହିଛନ୍ତି ପୂର୍ବରୁ ପଶୁ ଚିକିତ୍ସାଳୟ ପକ୍ଷରୁ ବାହାରେ ବୁଲୁଥିବା ଗୋରୁଗାଈଙ୍କ ଅସୁବିଧା ହେଲେ ପ୍ରତିଦିନ କମ୍ ସେ କମ୍ ୧୦ଟି ଚିକିତ୍ସା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ ଠିକା ସଂସ୍ଥା ଦିନକୁ ୫ଟି ଆମ୍ବୁଲାନ୍ସ ସେବା ଦେଇପାରୁନଥିବା ବେଳେ ଯନ୍ତ୍ରପାତି ଯୋଗାଇବାରେ ମଧ୍ୟ ସଂପୂର୍ଣ୍ଣ ବିଫଳ ହେଉଥିବା ବ୍ରହ୍ମପୁର ସହରର ବହୁ ବୁଦ୍ଧିଜୀବୀଙ୍କ ସମେତ ପଶୁପ୍ରେମୀ ମତବ୍ୟକ୍ତ କରିଛନ୍ତି । ନିୟମ ଅନୁସାରେ ଦୁଇ ସିଫ୍ଟରେ ଆମ୍ବୁଲାନ୍ସରେ ଦୁଇଜଣ ଡ଼ାକ୍ତର, ଦୁଇଜଣ ଆଟେଣ୍ଡେଣ୍ଟ ଏବଂ ଦୁଇଜଣ ପଶୁଧନ ନିରୀକ୍ଷକ ରହିବା କଥା । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଉକ୍ତ ଜି.ଭି.କେ ଠିକା ସଂସ୍ଥା ଦାୟିତ୍ଵ ନେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ କେବଳ ଜଣେ ଡ଼ାକ୍ତର, ଜଣେ ପଶୁଧନ ନିରୀକ୍ଷକ ଏବଂ ୨ଜଣ ଆଟେଣ୍ଡଣ୍ଟକୁ ନିୟୋଜିତ କରିଛି । ‘ସରକାରକା ମାଲ୍ ଦରିଆମେ ଡାଲ୍’ ନୀତି ଆପଣେଇଛି ଉକ୍ତ ଠିକା ସଂସ୍ଥା ଓ ପଶୁ ଚିକିତ୍ସାଳୟ ବୋଲି ସାଧାରଣରେ ଆଲୋଚନା ହେଉଛି । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଜରୁରୀକାଳୀନ ଟେଲିଫୋନ ନମ୍ବର ୧୯୬୨ରେ କଲ କଲେ କେହି ଉତ୍ତର ଦେଉନଥିବା ଅଭିଯୋଗ ହୋଇଛି । ଆମୁଲାନ୍ସ କର୍ମଚାରୀଙ୍କୁ ଯୋଗାଯୋଗ କଲେ ସେମାନେ ୧୯୬୨ରେ କଲ କରନ୍ତୁ, ଫୋନ୍ କଲ୍ ପାଇଲେ ଆମେ ଯିବୁ ନଚେତ ଆମେ ଯାଇପାରିବୁ ନାହିଁ ବୋଲି କହୁଥିବା ନେଇ ଅଭିଯୋଗ ହୋଇଛି । ଏପରିକି ଆମ୍ବୁଲାନ୍ସରେ ଇନ୍ଧନ ନାହିଁ ଏବଂ ଆପଣମାନେ ଇନ୍ଧନ ଭରିଲେ ଗାଡ଼ି ଯିବ ବୋଲି କହୁଛନ୍ତି । ଏହାକୁ ନେଇ ପଶୁପ୍ରେମୀ ତଥା ଏସ୍‌ପିସିଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀ ସି.ଡି.ଭି.ଓ. ଏବଂ ଏସ.ଡି.ଭି.ଓ.ଙ୍କୁ ସାକ୍ଷାତ କରିଥିଲେ । ଅଭିଯୋଗ ପରେ ସି.ଡି.ଭି.ଓ. ଆମ୍ବୁଲାନ୍ସ ଡ୍ରାଇଭର ସାଇରାମ ରେଡ୍ଡୀ ଓ ଆଟେଣ୍ଡେଣ୍ଟ ବିଜୁ ଲେଙ୍କାଙ୍କୁ ଫୋନ୍ କରିଥିଲେ ମଧ୍ୟ କଥା ଶୁଣିବା ତ ଦୂର ବରଂ ଦୁର୍ବ୍ୟବହାର କରୁଥିବା ଖୋଦ ସି.ଡି.ଭି.ଓ. ସୂଚନା ଦେଇଥିଲେ । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଶୁ ପ୍ରେମୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଦାବୀ ଜଣାଇବା ସହ ବ୍ରହ୍ମପୁର ବିଧାୟକଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

5 × 1 =