pakka

ବର୍ଷା ଅଭାବ ଯୋଗୁଁ ଗାଇସିଲେଟରେ ମାଣ୍ଡିଆ ଚାଷ ବାଧାପ୍ରାପ୍ତ : ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଅଭାବୀ ବର୍ଷା ପାଇଁ ମାଣ୍ଡିଆ ଚାଷ ବାଧାପ୍ରାପ୍ତ ହେବାରେ ଲାଗିଛି । ସୂଚନା ଅନୁସାରେ ଓଡ଼ିଶା ମିଲେଟ ମିଶନ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ସଂଗଠନ ଦେବଦତ୍ତ କ୍ଲବ୍ ଓ କୃଷି ବିଭାଗର ମିଳିତ ଉଦ୍ୟମରେ ଚଳିତ ବର୍ଷ ବ୍ଲକର ୧୬ଟି ଗ୍ରାମ ପଞ୍ଚାୟତରେ ପ୍ରାୟ ୨୦୦ ହେକ୍ଟର ଜମିରେ ମାଣ୍ଡିଆ, କୁଦୋ ୮୦ ହେକ୍ଟର, ୮ହେକ୍ଟର ଗୁର୍ଜି ଧାଡ଼ି ବୁଣା ହୋଇଥିବା ବେଳେ ୩୧୧ ହେକ୍ଟର ଜମିରେ ୫୪୮ ଜଣ ଚାଷୀ ତଳି ଶଯ୍ୟା ପକାଇଛନ୍ତି । କିନ୍ତୁ ଚଳିତ ବର୍ଷ ସମୟାନୁସାରେ ବର୍ଷା ହୋଇ ନଥିବା ଯୋଗୁଁ ଏବଂ ପ୍ରବଳ ତାପମାତ୍ରା ପାଇଁ କିଛି ଚାଷୀ ବିଲରେ ଏ ପର୍ଯ୍ୟନ୍ତ ମାଣ୍ଡିଆ ଲଗାଇ ପାରିନାହାନ୍ତି । ଯେଉଁ ଚାଷୀମାନେ ମାଣ୍ଡିଆ ଲଗେଇ ସାରିଛନ୍ତି ତାହା ବର୍ତ୍ତମାନ ତଳିଶଯ୍ୟାରେ ବିଭିନ୍ନ ରୋଗ ଲାଗିବା ସହ ବିଲରେ ଲାଗିଥିବା ମାଣ୍ଡିଆ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇ ସାରିଛି । ଯାହା ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ହତାଶ ହୋଇପଡ଼ିଛି । ସମସ୍ତ ମାଣ୍ଡିଆ ଚାଷୀ ଦେବଦତ୍ତ କ୍ଲବ୍‌ରେ ଅଭିଯୋଗ କରିବା ପରେ ଆଜି ବ୍ଲକ ସଂଯୋଜକ ରୁଦ୍ର ସାହୁ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଗାଇସିଲେଟ ବ୍ଲକର ତାଲପାଲି, କାଟାବାହାଲ, ଜାମୁଟପାଲି, କନ୍ଦାଗାର୍ଡ, ଫିରଙ୍ଗିମାଲ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଚାଷୀମାନଙ୍କ ସହ ଆଲୋଚନା କରି ପଞ୍ଚାୟତସ୍ତରୀୟ କୃଷି ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରି ଏହି ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ଚାରା ରୋପଣର ଦିନ ଗଡିଯିବାରୁ ମାଣ୍ଡିଆ ଉତ୍ପାଦନରେ ପ୍ରଭାବ ପଡ଼ିବାର ତଥା ଉକ୍ତ ଜମି ପଡ଼ିଆ ପଡ଼ିବାର ଆଶଙ୍କା ବଢ଼ି ଯାଇଛି । ଗତବର୍ଷ ମଧ୍ୟ ଏହି ବ୍ଲକରେ ନିମ୍ନ ବୃଷ୍ଟିପାତ ଯୋଗୁଁ ୧୬୪ ହେକ୍ଟର ଜମିରେ ମାଣ୍ଡିଆ ଚାଷ କ୍ଷତିଗ୍ରସ୍ତ ହୋଇଥିଲା । କ୍ରମାଗତ ୨ବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କାରଣରୁ ମାଣ୍ଡିଆ ଚାଷ କରୁଥିବା ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.

eighteen − seventeen =