csstore

ଲଳିତକଳା ଏକାଡେମୀ ପକ୍ଷରୁ ଆର୍ଟ-ଗ୍ୟାଲେରୀ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଆ ଭାଷା, ସାହିତ୍ୟ ପ୍ରତିଷ୍ଠାନ ଓ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଓଡ଼ିଶା ଲଳିତ କଳା ଏକାଡେମୀର ଆଞ୍ଚଳିକ ଆର୍ଟ-ଗ୍ୟାଲେରୀ ଉଦ୍‌ଘାଟିତ ହୋଇଯାଇଛି । ଏକ ସ୍ୱତନ୍ତ୍ର ସାମୟିକ ଚିତ୍ରକଳା ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୨୮ଟି କଳାକୃତି ପ୍ରଦର୍ଶିତ ହୋଇଛି । ଏହି ଆନୁଷ୍ଠାନିକ ପ୍ରଦର୍ଶନ ସାମାରୋହରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତିଥିମାନଙ୍କୁ ମଞ୍ଚ ଉପରକୁ ସ୍ୱାଗତ କରିଥିଲେ । ପରେ ଶ୍ରୀ ସାମଲ ଏହି ଚିତ୍ରକଳା ପ୍ରଦର୍ଶନୀର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମ, ଖଲିକୋଟ ଆର୍ଟ-କଲେଜର ଅଧ୍ୟକ୍ଷ ସୁବ୍ରତ କୁମାର ମଲ୍ଲିକ, ଅଧ୍ୟାପକ ପ୍ରମୋଦ କୁମାର ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ୨୮ ଜଣ ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ସୁନ୍ଦର ସୁନ୍ଦର ଚିତ୍ରକଳା ଗୁଡିକ ସ୍ଥାନ ପାଇଛି । ଯାହା ସ୍ଥାନୀୟ କଳାପ୍ରେମୀଙ୍କୁ ବେଶ ଉତ୍ସାହିତ କରିବ ବୋଲି ଜଣାପଡିଛି । ଏହି ପ୍ରଦର୍ଶନୀରେ ଜଗନ୍ନାଥ ସଂସ୍କୃତି ତଥା ରଥଯାତ୍ରା ଉପରେ ଆଧାରିତ ଛବି ସହ ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟର ଚିତ୍ର, ସ୍ଵାଧୀନତା, ସଂଗ୍ରାମୀମାନଙ୍କର ବୀରତ୍ଵ ପ୍ରଦର୍ଶନର ଚିତ୍ର, ଓଡ଼ିଶାର ସଂସ୍କୃତି, ପରମ୍ପରା, ଆଦିବାସୀ ସଂସ୍କୃତି ସହ ଅନେକ ସୃଜନଶୀଳ କଳାକାରଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ରକଳାଗୁଡିକ ଦର୍ଶକଙ୍କୁ ବେଶ ହୃଦୟ ସ୍ପର୍ଶୀ ହୋଇଛି । ପ୍ରଦର୍ଶିତ ଚିତ୍ରକଳାଗୁଡିକୁ ଦେଖି ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ ।

jayashree
Leave A Reply

Your email address will not be published.