pakka

ବଲାଙ୍ଗିର ଜିଲ୍ଲାସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ : ଜିଲ୍ଲାରେ ମେ ୨୭ରୁ ରବି ଧାନ କ୍ରୟ ଆରମ୍ଭ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲାସ୍ତରୀୟ କ୍ରୟ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ମେ ମାସ ୨୭ ତାରିଖ ସୋମବାରରୁ ରବି ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ । ଏଥି ନିମନ୍ତେ ୯୮ଗୋଟି ପ୍ୟାକ୍ସ ଏବଂ ୧୧ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ରହିଥିବା ବେଳେ ସମୁଦାୟ ୧୦୯ ଗୋଟି ଧାନ କ୍ରୟ କେନ୍ଦ୍ର ଜରିଆରେ ଯୋଗାଣ ନିଗମ ଧାନ କ୍ରୟ କରିବ । ରବି ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ । ଏକର ପ୍ରତି ଧାନ କିଣାର ପରିମାଣ ରାଜ୍ୟସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ କଲାପରେ ସେହି ଅନୁସାରେ କ୍ରୟ କରାଯିବ । ଚଳିତ ବର୍ଷ ଧାନ କ୍ରୟ କେନ୍ଦ୍ର ଗୁଡିକରେ ସପ୍ତାହର ୫ ଦିନ ଶନିବାର, ରବିବାର ବ୍ୟତୀତ ଧାନ କ୍ରୟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୭୮୬୯ ଜଣ ଚାଷୀ ପଞ୍ଜିକରଣ ହୋଇଥିବା ବେଳେ ଗତ ରବିରେ ୭୮୨୧ ଜଣ ଚାଷୀ ପଞ୍ଜିକୃତ ହୋଇ ୨ଲକ୍ଷ ୭୦ ହଜାର ୮୦୩.୭୮ କ୍ୱିଣ୍ଟାଲ ଧାନ କିଣାଯାଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗ୍ରୀଷ୍ମ ପ୍ରବାହ ଓ ପ୍ରାକ ମୌସୁମୀକୁ ଦୃଷ୍ଟିରେ ରଖି ସମସ୍ତ ଧାନ କ୍ରୟ ଗୁଡିକରେ ଯେକୌଣସି ପ୍ରକାର ଅସୁବିଧାକୁ ସମ୍ମୁଖୀନ ଓ ପ୍ରତିହତ କରିବା ନିମନ୍ତେ ପାନୀୟ ଜଳ, ବିଜୁଳି, ଟ୍ରପୋଲିନ ଓ ଚାଷୀଙ୍କ ପାଇଁ ଆଶ୍ରୟସ୍ଥଳି ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଚାଷୀ ଯେପରି ରବି ଧାନ ବିକ୍ରୟକୁ ସହଜ, ସୁବିଧା ଓ ସ୍ଵଚ୍ଛତାର ସହ କରିପାରିବ ସେଥି ପ୍ରତି ବିଶେଷ ଯତ୍ନବାନ ହେବାକୁ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଶ୍ରୀ ଇସାଲୱାର ନିର୍ଦ୍ଦେଶ ଦେବା ସହ ବିଭାଗୀୟ ସମ୍ପୃକ୍ତ ଅଧିକାରୀ ବୃନ୍ଦ ନିଜ ନିଜ ବିଭାଗ ମଧ୍ୟରେ ସୁସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ବୈଠକରେ ଚାଷୀ ପ୍ରତିନିଧି ତଥା ମିଲର ସଂଘ ପ୍ରତିନିଧିମାନଙ୍କ ଦ୍ୱାରା ଆଗତ ଗତ ବର୍ଷ ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଗତବର୍ଷ ହୋଇଥିବା ତ୍ରୁଟିର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ଵ ଦେଇ ଚଳିତ ବର୍ଷ ରବିଧାନ କ୍ରୟକୁ ସୁବ୍ୟବସ୍ଥିତ କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ସୂଚନା ଦେଇଥିଲେ । ସମସ୍ତଙ୍କ ମିଳିତ ସହଯୋଗରେ ଚଳିତ ବର୍ଷ ରବି ଧାନ କ୍ରୟ ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ସମ୍ପୃକ୍ତ ଅଧିକାରୀମାନେ ଆଗୁଆ ପ୍ରସ୍ତୁତିର ସର୍‌ଜମିନ ଯାଞ୍ଚ ସହ ତୃଣମୂଳ ସ୍ତରରେ ସୁସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରି , ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ସମବାୟ ସମିତି ରେଜିଷ୍ଟ୍ରାର ଦମୟନ୍ତୀ ସିଂ, ସମ୍ପାଦକ ନିୟନ୍ତ୍ରିତ ବଜ଼ାର କମିଟି, ଜିଲ୍ଲା ଚାଷୀ ସଂଗଠନର କର୍ମକର୍ତ୍ତା, ମିଲର୍ସ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ । ବୈଠକରେ ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର ସ୍ୱାଗତ କରିବା ସହ ଅଧ୍ୟକ୍ଷ୍ୟଙ୍କ ଅନୁମତିରେ ଆଳୋଚିତ କାର୍ଯ୍ୟ ଖସଡ଼ା ବୈଠକରେ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.

20 + fifteen =