
ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଯାଦବ ଭବନ ପରିସରରେ ‘ତହଁକ୍ ସାହିତ୍ୟ କୁଟୁମ୍’ ଆନୁକୂଲ୍ୟରେ ପାରମ୍ପରିକ ଗଣପର୍ବ ‘ନୂଆଁଖାଇ ଜୁହାର୍ ଭେଟ୍’ ଏବଂ ସାରସ୍ୱତ ସମାରୋହ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଦିବସର ପ୍ରଥମ ପର୍ଯ୍ୟାୟରେ ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀଙ୍କ ଫଟୋ ଚିତ୍ରରେ କୁଟୁମ୍ବର ମୁଖିଆଙ୍କ ଦ୍ୱାରା ନିଷ୍ଠାପୂର୍ଣ୍ଣ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା ସମାପନ ପରେ କୁଟୁମ୍ବର ସମସ୍ତ ସଦସ୍ୟ ଏକତ୍ର ଭୂମିରେ ଉପବେଶନ କରି ପାରମ୍ପରିକ ରୀତିରେ ନବାନ୍ନ ଗ୍ରହଣ କରିଥିଲେ । ଏହା ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଠ କଳାକାର ଗିରିଧାରୀ ମଟାରୀ, ନିରଞ୍ଜନ ମଟାରୀ ଏବଂ ପରମେଶ୍ୱର କୁମ୍ଭାର ନିଜର ଚିତ୍ତାକର୍ଷକ ଢୋଲ୍, ବିଣାକାରିଆ ଓ ବଂଶୀ ପରିବେଷଣ ମାଧ୍ୟମରେ ସମଗ୍ର ପରିବେଶକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଷ୍ଠିତ ଆଲୋଚନା ସଭାରେ ଅତିଥି ଭାବରେ ଜିଲ୍ଲା ଲେଖକ ପରିଷଦର ସମ୍ପାଦକ ସୁଶାନ୍ତ ବାଗ, ନିରଞ୍ଜନ ପଣ୍ଡା, ବ୍ରହ୍ମାନନ୍ଦ ବଞ୍ଛୋର, ସନ୍ଦୀପ ବାଗ, ଗୟାଧର ପଟେଲ, ରାଜମଣୀ ସାହୁ ଓ ସୁଷମା ବେହେରା ପ୍ରମୁଖ ଯୋଗଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ନୂଆଁଖାଇ କିଭଳି ଭାଇଚାରା, ସାମାଜିକ ଏକତା ଏବଂ ପଶ୍ଚିମ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତୀକ, ସେ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ଦ୍ୱିତୀୟ ଅଧିବେଶନରେ ଏକ ମନୋଜ୍ଞ କୋଶଳୀ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଠ ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁ, ହାସ୍ୟ କବି ଶିଶିର ପୁରୋହିତ, ଗୋପୀନାଥ ଦଣ୍ଡସେନା, ଗୀତିକାର ରାଜୀବ ପ୍ରସାଦ ଭୋଇ ଓ ଭବାନୀ ଶଙ୍କର ମିଶ୍ର ମଞ୍ଚାସୀନ ଥିଲେ । ପ୍ରଥମେ ସମ୍ପାଦକ ରାଜେଶ ଦଣ୍ଡସେନା ଅନୁଷ୍ଠାନର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଏହି ସମଗ୍ର ସାରସ୍ୱତ ସମାରୋହକୁ ‘ତହଁକ୍’ର ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ସୂଚାରୁ ରୂପେ ପରିଚାଳନା କରିଥିଲେ ଓ ପ୍ରସନ୍ନ ଗଡ଼ତ୍ୟା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କବିତା ଆସରକୁ ମାନସୀ ସାହୁ, ପୁଷ୍ପାଞ୍ଜଳି ମେହେର, ଉତ୍ତମ ଖମାରୀ ଓ ନିକିତା ସା ସଫଳତାର ସହ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଭରତ ମେହେର, ଶାଳିନୀ ସା ଗରିବ ମଲ୍ଲିକ, ବିବେକ ପ୍ରଧାନ, ନିତ୍ୟାନନ୍ଦ ଜୁଏଡ଼, ସୁଶୀଲ ଗୁରୁ, ଗିରିଶ ପାତ୍ର , ଦିଲୀପ ପୁରୋହିତ, ଗୋପାଳ ମେହେର, ଜ୍ୟୋତିରାଣୀ ମିଶ୍ର, ନିରୁପମା ମିଶ୍ର, ବଂଶୀଧର ନାଏକ, ଦିଗାମ୍ବର ନାଏକ୍, ଜଗବନ୍ଧୁ ପଟେଲ, ରବିନ୍ଦ୍ର କୁମାର ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଶେଷରେ କବି ମିଳନ ପଣ୍ଡା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।