
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ଷୋହଳଗୋଟି ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆକଳନ ପରୀକ୍ଷା ଅନୁଷ୍ଠିତ ହେଲା । ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ତତ୍ତ୍ୱାବଧାନରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ତଦାରଖରେ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ନୂତନ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆକଳନ ପରୀକ୍ଷା ଆଜି ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ନିରକ୍ଷରମାନଙ୍କୁ ସାକ୍ଷର କରିବା ଏବଂ ସେମାନଙ୍କ ଶିକ୍ଷଣ ଦକ୍ଷତାର ପରୀକ୍ଷଣ ପାଇଁ ଆୟୋଜିତ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଶିକ୍ଷାର୍ଥୀ ଉତ୍ସାହର ସହିତ ପରୀକ୍ଷା ଦେଇଥିଲେ । ପୂର୍ବରୁ ପଞ୍ଜିକୃତ ହୋଇଥିବା ଶିକ୍ଷାର୍ଥୀମାନେ ନିଜନିଜ ବିଦ୍ୟାଳୟ କେନ୍ଦ୍ରରେ ଉପସ୍ଥିତ ରହି ପଢ଼ିବା, ଲେଖିବା ଓ ମୌଳିକ ଗଣିତ ଦକ୍ଷତାର ପ୍ରଦର୍ଶନ ଲିଖିତ ଭାବରେ ଦେଇଥିଲେ । ବ୍ଲକରେ ପରୀକ୍ଷାକୁ ସ୍ୱଚ୍ଛ ଭାବରେ କରିବା ପାଇଁ ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଓ ଜଗବନ୍ଧୁ ମାଝୀ ମନିଟରିଙ୍ଗ କରିଥିଲେ ।